• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୀର୍ଘ ଦିନର ଛକାପଞ୍ଝା ପରେ, ଶେଷରେ ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଅଲ୍ କାଦିର୍ ଟ୍ରଷ୍ଟ ଦୁର୍ନୀତି ଅଭିଯୋଗ ମାମଲାରେ ଇସଲାମାବାଦ କୋର୍ଟ ପରିସରରେ ତାଙ୍କୁ ଗିରଫ କରିଛି ପାକିସ୍ତାନ ରେଞ୍ଜର୍ସ । ତେଣେ ଇମ୍ରାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଉତ୍ତେଜନା ଦେଖାଦେଇଛି । ଲାହୋର ସମେତ ବିଭିନ୍ନ ସହରରେ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ଦଳ PTIର ସମର୍ଥକ । 

ଇମ୍ରାନ ଖାନ୍ ଗିରଫ ହେବା ପରେ ପାକିସ୍ତାନରେ ଉତ୍ତେଜନା । କେଉଁଠି ବିକ୍ଷୋଭ ନାରାବାଜି, ତ ଆଉ କେଉଁଠି ଅସନ୍ତୋଷର ନିଆଁ । ଇସଲାମାବାଦ ହାଇକୋର୍ଟ ପରିସରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭିଡ଼ି ଭିଡ଼ି ନେଇଛନ୍ତି ପାକିସ୍ତାନୀ ରେଞ୍ଜର୍ସ । ଇମ୍ରାନ ଆଜି କୋର୍ଟକୁ ନିଜ ବେଲ୍ ରିନ୍ୟୁ କରିବା ପାଇଁ ଆସିଥିବା ବେଳେ, ବାୟୋମେଟ୍ରିକ୍ ପାଇଁ ଅପେକ୍ଷା କରିଥିଲେ । ଆଉ ଠିକ୍ ସେତିକି ବେଳେ ଏକାଧିକ ସାଞ୍ଜୁଆ ଗାଡ଼ି ଧରି ସେଠାରେ ପହଞ୍ଚିଥିଲେ ଅର୍ଦ୍ଧସାମରିକ ବାହିନୀର ବହୁ ସଂଖ୍ୟକ ଯବାନ । ଆଉ ସିଧାସଳଖ ସେଠାରୁ ଇମ୍ରାନଙ୍କୁ ଉଠାଇ ନେଇ ଭର୍ତ୍ତି କରିଥିଲେ ଗାଡ଼ି ଭିତରେ ।

ଅଲ୍ କାଦିର ଟ୍ରଷ୍ଟ ନାଁରେ ୫୩ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ମାମଲାରେ ତାଙ୍କୁ ଆଜି ଗିରଫ କରାଯାଇଥିବା ଟୁଇଟ୍ କରିଛି ଇସଲାମାବାଦ ପୋଲିସ । ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ବା NABର ଏକାଧିକ ଥର ସମନ ଖିଲାପ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏଥିସହ ଆଇନଶୃଙ୍ଖଳା ବିଗିଡ଼ିବା ଆଶଙ୍କାରେ ଇସଲାମାବାଦରେ ୧୪୪ ଧାରା ଜାରି କରାଯାଇଛି । ତେବେ ଇମ୍ରାନଙ୍କ ଗିରଫଦାରୀ ପରେ ଏକାଧିକ ସାଂଘାତିକ ଅଭିଯୋଗ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇଛି ତାଙ୍କ ଦଳ ପିଟିଆଇ । କୋର୍ଟ ପରିସରରେ ଇମ୍ରାନ ଓ ତାଙ୍କ ଓକିଲକୁ ନିର୍ଯାତନା ଦିଆଯାଇଛି ଏବଂ ଇମ୍ରାନଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଛି ବୋଲି ଦଳ ଅଭିଯୋଗ କରିଛି ।

ଲାହୋର ସମେତ ପାକିସ୍ତାନର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି । ଦଳ ପକ୍ଷରୁ ଆଗାମୀ ପଦକ୍ଷେପ କଣ ହେବ, ସେହି ସଂପର୍କରେ ନିଷ୍ପତ୍ତି ନେବାକୁ ଗଠନ ହୋଇଛି ୬ ଜଣିଆ କମିଟି । ପାକିସ୍ତାନରେ କୌଣସି ଆଇନ ନଥିବା ସାରା ବିଶ୍ୱ ଦେଖୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ବହୁଚର୍ଚ୍ଚିତ ତୋଷଖାନା ମାମଲାରେ ଦୀର୍ଘଦିନ ହେଲା ନିଜ ଗିରଫଦାରିକୁ ଏଡ଼ାଇ ଆସୁଥିଲେ ଇମ୍ରାନ୍ ଖାନ୍। ତେବେ ଗତବର୍ଷ ଏପ୍ରିଲରେ ସେ କ୍ଷମତାରୁ ବିଦା ହେବା ପରଠୁ ତାଙ୍କ ବିରୋଧରେ ଶତାଧିକ ମାମଲା ରୁଜୁ ହେଲାଣି । ପ୍ରଶ୍ନ ଉଠୁଛି ଯେ, ଇମ୍ରାନଙ୍କୁ ଭାରି ପଡ଼ିଲା କି ISI ଅଧିକାରୀଙ୍କ ସହ ପଙ୍ଗା ? ତାଙ୍କ ଗିରଫଦାରୀ ପଛରେ ରହିଛି କି ପାକ୍ ସେନା ଓ ଗୁଇନ୍ଦା ସଂସ୍ଥାର ହାତ ? କିଛି ଦିନ ତଳେ ISI ଅଧିକାରୀ ମେଜର ଜେନେରାଲ୍ ଫୈସଲ ନସୀରଙ୍କ ଉପରେ ସାଂଘାତିକ ଆରୋପ ଲଗାଇଥିଲେ ଇମ୍ରାନ । ସେ ତାଙ୍କୁ ୨ ଥର ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣିଥିଲେ । ଆଉ ଆଜି ବି କୋର୍ଟକୁ ଯିବା ପୂର୍ବରୁ ଗାଡ଼ିରେ ବସି ଏସଂପର୍କରେ ଉଲ୍ଲେଖ କରିବା ସହିତ, କୌଣସି ଡ୍ରାମା ନକରି ୱାରେଣ୍ଟ ଦେଖାଇଲେ ମୁଁ ଜେଲ୍ ଯିବାକୁ ପ୍ରସ୍ତୁତ ବୋଲି କହିଥିଲେ ଇମ୍ରାନ ଖାନ୍ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୩ରେ ପଞ୍ଜାବ ପ୍ରଦେଶର ୱଜିରାବାଦରେ ରାଲି କରିବା ବେଳେ, ଇମ୍ରାନଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ । ଇମ୍ରାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ହିଂସାା ରାସ୍ତାକୁ ଓହ୍ଲାଇଛନ୍ତି  ।