ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ କ୍ଷମତାକୁ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏତେ ବଡ ବଙ୍ଗଳା, ଏତେ ସମ୍ମାନ, ସୁରକ୍ଷା, ରାଜକୀୟ ଠାଣିମାଣି.. । ସବୁ ଶେଷ ହୋଇଯିବ । ଏହାପରେ ବାଇଡେନ କରିବେ କ’ଣ ? ଖାଲି ବାଇଡେନ ନୁହେଁ, ଅନ୍ୟ ପୂର୍ବତନ ରାଷ୍ଟ୍ରପତିଙ୍କୁ ନେଇ ବି ମନରେ ଅନେକ ପ୍ରଶ୍ନ । ରାଷ୍ଟ୍ରପତି ପଦରୁ ଅବସର ନେବା ପରେ କୁଆଡେ ଯାଆନ୍ତି, କ’ଣ କରନ୍ତି ଆମେରିକା ରାଷ୍ଟ୍ରପତି ? ପଦରୁ ହଟିବା ପରେ କି କି ସୁବିଧା ମିଳେ ? ରାଜନୀତିରେ କେତେ ଆକ୍ଟିଭ ରୁହନ୍ତି ଏମାନେ?
ଅଧିକ ପଢ଼ନ୍ତୁ: US President Oath: ଆଜିଠୁ ଆମେରିକାରେ ଟ୍ରମ୍ପଙ୍କ ଯୁଗ; ଯୋଗ ଦେବେ ଜୟଶଙ୍କର
ପ୍ରଥମେ ଆରମ୍ଭ କରିବା ବାଇଡେନଙ୍କଠାରୁ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅବସର ନେବା ପରେ କ’ଣ କରିବାର ଯୋଜନା ରଖିଛନ୍ତି ? ବାଇଡେନ ଘରୋଇ ଏବଂ ବୈଦେଶିକ ନୀତି କ୍ଷେ୍ତ୍ରରେ ସଫଳ ହେବେ ବୋଲି ତାଙ୍କର ଅଭିପ୍ରାୟ ପ୍ରକାଶ କରିଛନ୍ତି । ସେ ତାଙ୍କର ଜନ୍ମସ୍ଥାନ ଡେଲାବେୟାରରେ ଅବସର ସମୟ ଅତିବାହିତ କରିବେ । ସେଠାରେ ଡେଲାବେୟର ୟୁନିଭର୍ସିଟିରେ ନିଜ ନାମରେ ଥିବା ଇନଷ୍ଟିଚ୍ୟୁଟରେ ପଲିସି ମେକରକୁ ନେଇ କାମ କରିବେ ।
ତେବେ ବାଇଡେନଙ୍କର ସବୁଠାରୁ ବଡ ସ୍ୱପ୍ନ ହେଲା ଡେଲାବେୟାରରେ ଏକ ପ୍ରେସିଡେନ୍ସିଆଲ ଲାଇବ୍ରେରୀ କରିବେ । ଏଥିପାଇଁ ସେ ଫଣ୍ଡ ଯୋଗାଡ କରିବେ । ସାଧାରଣ ଭାବେ ଆମେରିକା ରାଷ୍ଟ୍ରପତିମାନେ ପୁସ୍ତକ ଲେଖିବା ଏବଂ ପବ୍ଲିକ ଭାଷଣ ଦେବାର କାମ କରିଥାନ୍ତି । ଏହି କାମ ବାଇଡେନ ବି କରିବେ । କୁହାଯାଉଛି, ସେ ନିଜର ଜନ୍ମସ୍ଥାନରେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି ଏବଂ ସେଠାରେ ରହି ଏହି କାମ କରିବେ ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଅବସର ପରେ ଫିଲ୍ମ ଏବଂ ଟିଭି ସୋ ପାଇଁ ପ୍ରଡକ୍ସନ କାମ କରୁଛନ୍ତି । ଏଥିସହିତ ବିଶ୍ୱର ବଡ ବଡ ଆଲୋଚନାତ୍ମକ କାର୍ଯ୍ୟକ୍ରମରେ ବି ସେ ଭାଗ ନେଉଛନ୍ତି । ଓବାମା ମିସେଲଙ୍କ ସହ ମିଶି ହାଇକ୍ୱାଲିଟି ପ୍ରଡକ୍ସନ ହାଉସ ନିର୍ମାଣ କରିଛନ୍ତି ।ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସେ ଏହି କାମରେ ଖୁବ ବ୍ୟସ୍ତ ରହୁଛନ୍ତି ।
ଅବସର ନେବା ପରେ ଆମେରିକା ରାଷ୍ଟ୍ରପତିଙ୍କୁ ସରକାରୀ ସୁବିଧା କ’ଣ ମିଳିଥାଏ ? କେତେ ମିଳେ ପେନସନ ?
ଅବସର ନେବା ପରେ ଆମେରିକା ରାଷ୍ଟ୍ରପତିଙ୍କୁ ବାର୍ଷିକ ପେନସନ ମିଳିଥାଏ । ଏହି ପେନସନ ଜଣେ କ୍ୟାବିନେଟ ସଚିବର ବେତନ ସହ ସମାନ । ଆମେରିକା କ୍ୟାବିନେଟ ସଚିବଙ୍କ ବାର୍ଷିକ ବେତନ ୨,୪୬, ୪୦୦ ଡଲାର । ଟଙ୍କାରେ ହିସାବ କଲେ ୨.୧୩ କୋଟି ଟଙ୍କା । ତେବେ ଅବସରପ୍ରାପ୍ତ ରାଷ୍ଟ୍ରପତି ଏହାଠାରୁ ଅଧିକ ପେନସନ ପାଆନ୍ତି । ସେମାନଙ୍କୁ ବାର୍ଷିକ ୪ ଲକ୍ଷ ଡଲାର ଅର୍ଥାତ ୩.୪କୋଟି ଟଙ୍କା ପେନସନ ମିଳିଥାଏ ।
ଅଫିସ ଓ କର୍ମଚାରୀ
ଅବସର ନେବା ପରେ ରାଷ୍ଟ୍ରପତିଙ୍କୁ ଏକ କାର୍ଯ୍ୟାଳୟ ଏବଂ ଷ୍ଟାଫ ପାଇଁ ସରକାରୀ ସହାୟତା ମିଳିଥାଏ । ଏଥିରେ କାର୍ଯ୍ୟାଳୟର ଭଡା, ଉପକରଣ ଏବଂ ଷ୍ଟାଫଙ୍କ ଦରମା ସାମିଲ ହୋଇଥାଏ । ଏହି ସୁବିଧା ତାଙ୍କୁ ଆଜୀବନ ମିଳିଥାଏ ।
ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ ହ୍ୟୁଷ୍ଟନରେ ରୁହନ୍ତି । ସେଠାରେ ସେ ତାଙ୍କର ଅଫିସ କରିଛନ୍ତି । ଏହାର ବାର୍ଷକ ଖର୍ଚ୍ଚ ପାଖାପାଖି ଦେଢ କୋଟି ଟଙ୍କା । ସେହିପରି ବିଲ କ୍ଲିଣ୍ଟନ ନ୍ୟୁୟର୍କରେ ରୁହନ୍ତି । ଆମେରିକା ସରକାର ତାଙ୍କର ଏହି ଅଫିସ ପାଇଁ ବାର୍ଷିକ ସାଢେ ଚାରିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ସୁରକ୍ଷା ବ୍ୟବସ୍ଥା
ଅବସର ପରେ ରାଷ୍ଟ୍ରପତି ଏବଂ ତାଙ୍କର ପତ୍ନୀଙ୍କୁ ଆଜୀବନ ସିକ୍ରେଟ ସର୍ଭିସ ସୁରକ୍ଷା ଦିଆଯାଇଥାଏ । ଏପରିକି ସେମାନଙ୍କ ପିଲାମାନଙ୍କୁ ମଧ୍ୟ ୧୬ ବର୍ଷ ବୟସ ଯାଏ ସୁରକ୍ଷା ଦିଆ ଯାଇଥାଏ ।
ଯାତ୍ରା ଖର୍ଚ୍ଚ ଏବଂ ଚିକିତ୍ସା ସୁବିଧା
କୌଣସି ସରକାରୀ କାମରେ ଯାଉଥିଲେ ଅବସରପ୍ରାପ୍ତ ରାଷ୍ଟ୍ରପତିଙ୍କ ସମସ୍ତ ଯାତ୍ରା ଖର୍ଚ୍ଚ ଏଠାରେ ସରକାର ବହନ କରିଥାନ୍ତି । ଯଦି ପୂର୍ବତନ ରାଷ୍ଟ୍ରପତି କୌଣସି ସେନା ହସ୍ପିଟାଲରେ ଚିକିତ୍ସା ସେବା ନିଅନ୍ତି ତେବେ ତାହାର ସମସ୍ତ ଖର୍ଚ୍ଚ ସରକାରଙ୍କ ପକ୍ଷରୁ ବ୍ୟୟ କରାଯାଇଥାଏ ।
ରାଜକୀୟ ଅନ୍ତିମ ସଂସ୍କାର
ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ରାଜକୀୟ ସମ୍ମାନର ସହ ତାଙ୍କର ଅନ୍ତମ ସଂସ୍କାର କରାଯାଇଥାଏ । ଏଥିପାଇଁ ସମସ୍ତ ଆବଶ୍ୟକୀୟ ସୁବିଧା ସରକାର ଯୋଗାଇ ଦେଇଥାନ୍ତି ।
ସବୁ ମିଳେ କିନ୍ତୁ ଘର ମିଳେନି
ଏସବୁ ସୁବିଧା ସହିତ ଅବସରପ୍ରାପ୍ତ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଅନେକ ସୁବିଧା, ସୁଯୋଗ ଆମେରିକା ସରକାର ଯୋଗାଇ ଦେଇଥାନ୍ତି । ଯେମିତି ଲୋମଜିନ, ମରିନ ୱାନ ଏବଂ ଏୟାରଫୋର୍ସ ୱାନରେ ଯାତ୍ରା କରିପାରିବେ । କ୍ଷମତାରେ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଯାତାୟତ ପାଇଁ ଏହିସବୁ ଯାନ ବ୍ୟବହାର କରାଯାଇଥାଏ ।
ତେବେ ହ୍ୱାଇଟ ହାଉସରୁ ଆସିବା ପରେ ପୂର୍ବତନ ରାଷ୍ଟ୍ରପତିଙ୍କୁ କୌଣସି ସରକାରୀ ବାସଗୃହ ମିଳି ନଥାଏ । ଅବସର ପରେ ସେମାନଙ୍କୁ ନିଜ ଘରର ବ୍ୟବସ୍ଥା ନିଜେ କରିବାକୁ ପଡିଥାଏ ।
ବିଲ କ୍ଲିଣ୍ଟନଙ୍କ ରୋଜଗାର କେତେ ?
ଆମେରିକାର ସେବାନିବୃତ୍ତ ରାଷ୍ଟ୍ରପତିମାନଙ୍କ ମୁଖ୍ୟ ଆୟର ସ୍ରୋତ କ’ଣ ଜାଣନ୍ତି ? ସେମାନେ ପୁସ୍ତକ ମାଧ୍ୟମରେ ମୋଟା ଅଙ୍କର ଅର୍ଥ ରୋଜଗାର କରନ୍ତି । ବିଲ କ୍ଲିଣ୍ଟନଙ୍କୁ ଆତ୍ମକଥା ମାଇଁ ଲାଇଫ ଲେଖିବା ପାଇଁ ଅଗ୍ରୀମ ଆକାରରେ ୧୦ କୋଟି ଟଙ୍କା ମିଳିଥିଲା । କ୍ଲିଣ୍ଟନ ଅନେକ ବର୍ଷ ପୂର୍ବେ ଏକ ଇଣ୍ଟରଭ୍ୟୁରେ କହିଥିଲେ, ଯେତେବେଳେ ସେ ହ୍ୱାଇଟ ହାଉସ ଛାଡିଥିଲେ ସେତେବେଳେ ତାଙ୍କ ପାଖରେ ଆର୍ଥିକ ସମ୍ବଳ କିଛି ନ ଥିଲା । ଏବେ ସେ ସବୁଠାରୁ ଅଧିକ ରୋଜଗାର କରୁଥିବା ପୂର୍ବତନ ରାଷ୍ଟ୍ରପତି ।
ସାରା ବିଶ୍ୱରେ ତାଙ୍କର ଭାଷଣ ପାଇଁ ବର୍ତ୍ତମାନ ସୁଦ୍ଧା ସେ ୮୦୦ କୋଟି ରୋଜଗାର କଲେଣି । ଗୋଟିଏ ଭାଷଣ ପାଇଁ ତାଙ୍କୁ ୮୦ ଲକ୍ଷ ଟଙ୍କା ମିଳିଥାଏ । ବିଲ କ୍ଲିଣ୍ଟନ ୨୦୦୧ରେ ହ୍ୱାଇଟ ହାଉସ ଛାଡିଥିଲେ । ସେବେଠାରୁ ସେ ନ୍ୟୁୟର୍କରେ ରହି ଆସୁଛନ୍ତି । ସାରା ବିଶ୍ୱ ବୁଲୁଛନ୍ତି । ଭାଷଣ ଦେଉଛନ୍ତି ଆଉ ପୁସ୍ତକ ଲେଖୁଛନ୍ତି ।
ଅବସର ପରେ ବାରାକ ଓବାମାଙ୍କ ରୋଜଗାର କେତେ ?
ବାରାକ ଓବାମା ଅବସର ନେବା ପରେ ନିଜ ପୁସ୍ତକ ‘ ଏ ପ୍ରମିଜ ଲାଣ୍ଡ’ ପାଇଁ ଏକ ବଡ ଧରଣର ଅଗ୍ରୀମ ଏବଂ ରୟାଲିଟି ବଣ୍ଡ ପାଇଥିଲେ । ୨୦୧୭ରେ ଓବାମା ଏବଂ ମିସେଲ ଓବାମା ନିଜ ଆତ୍ମକଥା ପାଇଁ ପେଙ୍ଗୁଇନ ରାଣ୍ଡମ ହାଉସ ସହ ୬୫ ମିଲିୟନ ଡଲାରର ସଂଯୁକ୍ତ ସାଇନ ଡିଲ କରିଥିଲେ । ଏହି ଡିଲରେ ‘ଏ ପ୍ରମିଜ ଲାଣ୍ଡ’ ବି ସାମିଲ ଥିଲା । ବର୍ତ୍ତମାନ ସୁଦ୍ଧା ଏହି ପୁସ୍ତକର ୩୩ଲକ୍ଷ କପି ବିକ୍ରି ସରିଲାଣି । ଏହି ପୁସ୍ତକରୁ ଓବାମା ଆହୁରି ଅନେକ ମିଲିୟନ ଡଲାର ରୋଜଗାର କରିପାରିବେ ।
ଅନ୍ୟ ପୂର୍ବତନ ରାଷ୍ଟ୍ରପତି କ’ଣ କରନ୍ତି ?
* ରିଚାର୍ଡ ନିକ୍ସନ ୧୯୭୪ରେ ରାଷ୍ଟ୍ରପତି ହୋଇଥିଲେ । ତିନି ବର୍ଷ ପରେ ୱାଟରଗେଟ ଘଟଣା ପରେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା । ୧୯୯୪ରେ ତାଙ୍କର ଦେହାନ୍ତ ହୋଇଥିଲା । ହେଲେ ଅବସର ପରେ ଆତ୍ମଜୀବନୀ ସହ ରାଜନୀତି ଉପରେ ଅନେକ ପୁସ୍ତକ ଲେଖିଥିଲେ ।
* ଗେରାଲ୍ଡ ଫୋର୍ଡ ୧୯୭୭ରେ ଆମେରିକା ରାଷ୍ଟ୍ରପତି ପଦବୀ ପାଇଥିଲେ । ତାଙ୍କର ଅବସର ଜୀବନ ଗଲ୍ଫ ଏବଂ ସ୍କିଇଙ୍ଗ ଖେଳି କଟି ଯାଇଥିଲା । ସେ ଆମେରିକାର ଅନେକ ବହୁରାଷ୍ଟ୍ରୀୟ କମ୍ପାନର ବୋର୍ଡରେ ଥିଲେ । ସେ ଏଥିରେ ଖୁବ ସକ୍ରିୟ ଥିଲେ ।
* ଜିମି କାର୍ଟର ୧୯୮୧ରେ ଆମେରିକା ରାଷ୍ଟ୍ରପତି ହୋଇଥିଲେ । ବିଶ୍ୱର ଅନେକ ଶାନ୍ତିବାର୍ତ୍ତା ଏବଂ ମଧ୍ୟସ୍ଥତା କାମରେ ତାଙ୍କର ନାମ ଆସେ । ଅବସର ପରେ ସେ ‘ହାବିଟେଟ ଅଫ ହ୍ୟୁମାନିଟି‘ ନାମକ ଏକ ସଂସ୍ଥା ତିଆରି କରିଥିଲେ । ଏହି ସଂସ୍ଥା ଜରିଆରେ ସେ ନିଜ ପତ୍ନୀଙ୍କ ସହ ସାମାଜିକ ନ୍ୟାୟ କ୍ଷେତ୍ରରେ ବେଶ ସକ୍ରିୟ ଥିଲେ । କାର୍ଟର ୧୮ଟି ପୁସ୍ତକ ଲେଖିଛନ୍ତି । ଆତ୍ମଜୀବନୀଠାରୁ ଆରମ୍ଭ କରି ରାଜନୀତି ଏବଂ ଆସ୍ଥା ସହ ଜଡିତ ଅନେକ ବିଷୟ ଉପରେ ଏହି ପୁସ୍ତକ ରଚିତ । ଏପରିକି ତାଙ୍କ କବିତାକୁ ନେଇ ଏକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି ।
* ରୋନାଲ୍ଡ ରିଗନ ୧୯୮୧ରୁ ୧୯୮୯ରେ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଦାୟିତ୍ୱରେ ଥିଲେ । ହ୍ୱାଇଟ ହାଉସରୁ ଆସିବା ପରେ ସେ ଦକ୍ଷିଣ କାଲିଫର୍ଣ୍ଣିଆରେ ରହିଥିଲେ । ସେଠାରେ ସେ ନିଜ ଆତ୍ମଜୀବନୀ ଲେଖିଥିଲେ । କିଛି ବର୍ଷ ପର୍ଯ୍ୟନ୍ତ ସେ ଭାଷଣ ଲେଖିବାରେ ବ୍ୟସ୍ତ ଥିଲେ ।
* ଜର୍ଜ ବୁଶ ୧୯୯୩ରେ ଆମେରିକା ରାଷ୍ଟ୍ରପତି ପଦ ଛାଡିଥିଲେ । ପଦରୁ ହଟିବା ପରେ ସେ ଉପସାଗରୀୟ ଦେଶରେ ଆମେରିକା ରାଷ୍ଟ୍ରଦୂତ ଭାବେ କାମ କରିବା ସହ କୂଟନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ବେସବଲ୍ ମ୍ୟାଚ୍ ବହୁତ ପସନ୍ଦ କରୁଥିଲେ ।ତେଣୁ ଅବସର ପରେ ସେ ପ୍ରାୟତଃ ସେହି ମ୍ୟାଚ୍ ଦେଖିବାକୁ ଯାଉଥିଲେ। ସେ ସ୍କାଏ ଡାଇଭିଂ ବି କରୁଥିଲେ । ସେ ବିଲ୍ କ୍ଲିଣ୍ଟନଙ୍କ ସହ ମିଶି ସାରା ବିଶ୍ୱରେ ବିପର୍ଯ୍ୟୟ ସହାୟତା କାମ ମଧ୍ୟ କରନ୍ତି। ଯେତେବେଳେ ଭାରତରେ ସୁନାମି ତାଣ୍ଡବ ସୃଷ୍ଟି କଲା, ତାଙ୍କ ସଂଗଠନ ସାହାଯ୍ୟ ପାଇଁ ଆଗକୁ ଆସିଥିଲା। ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ଜଣେ ଜର୍ଜ ଜୁନିଅର ଯିଏ କି ୨୦୦୧ରେଳ ଆମେରିକାର ରାଷ୍ଟ୍ରପତି ହୋଇଥିଲେ।