ଚୀନକୁ ପାନେ ଦେବା ଚକ୍କରରେ ରହିଛି ଆମେରିକା । ଦାବି ଉଠିଲାଣି ତଦନ୍ତ ହେଉ, ଆମେରିକା ଅର୍ଥରେ ଚୀନର ଉହାନ ଲାବରେ ହେଉଥିଲା କି କୋଭିଡ୍ ଗବେଷଣା ? ସେଇ ଲାବରୁ ଲିକ୍ ହୋଇଛି କି କରୋନା ଭୂତାଣୁ ? କେବଳ ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କ ନଜର ।
ଠିକ୍ ୫ ବର୍ଷ ତଳେ ଅର୍ଥାତ ୨୦୨୦ ଜାନୁଆରୀ ୩୦ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୋଭିଡ-୧୯କୁ ଗ୍ଲୋବାଲ୍ ପବ୍ଲିକ୍ ହେଲଥ୍ ଏମରଜେନସୀ ଭାବେ ଘୋଷଣା କରିଥିଲା । ସାରା ବିଶ୍ୱରେ କୋଭିଡରେ ପ୍ରାୟ ୭୦ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଛି । ଏବେ ପୁଣି ଆମେରିକାର ରାଷ୍ଟ୍ରପତି ଭାବେ କ୍ଷମତାକୁ ଫେରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଚୀନରୁ ସୃଷ୍ଟି ହୋଇଥିବା ଏହି ଭୂତାଣୁ ସାରା ପୃଥିବୀକୁ ବ୍ୟାପି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା । କହିବାକୁ ଗଲେ ସଟ୍ ଡାଉନ୍ ହୋଇଥିଲା ସାରା ବିଶ୍ୱ । ଏହି ଭୂତାଣୁ ଚୀନର ଲାବରୁ ବାହାରିଥିଲା କି ନାହିଁ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ କେହି ପହଞ୍ଚିପାରି ନାହାନ୍ତି । କିନ୍ତୁ ସମସ୍ତେ ଆଲୋଚନା କରୁଛନ୍ତି, ଏହି ଭୂତାଣୁର ଉତ୍ପତ୍ତି ଚୀନର ଲାବରୁ ହିଁ ହୋଇଛି । ଏହାର ଉତ୍ତର ଦାବି କରୁଛନ୍ତି ଆମେରିକାର କଂଗ୍ରେସମ୍ୟାନ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପକାଉଛନ୍ତି ଚାପ । ଏହାର ବିଧିବଦ୍ଧ ତଦନ୍ତ ହେଉ । କେବଳ ସେତିକି ନୁହେଁ ଚୀନ୍ ଏଥିପାଇଁ ମୂଲ୍ୟ ଦେଉ ।
ଆମେରିକାର ସିନେଟ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି ଓ ଗଭର୍ଣ୍ଣମେଣ୍ଟ ଆଫେୟାର୍ସ କମିଟି ୧୪ଟି ଆମେରିକୀୟ ଏଜେନସି ଠାରୁ କୋଭିଡ୍-୧୯ର ଉତ୍ପତ୍ତି ଓ ଆମେରିକାର ଆର୍ଥିକ ସହାୟତାରେ ଚୀନ୍ ଲାବରେ କରାଯାଇଥିବା ଗବେଷଣା ସଂପର୍କରେ ଜାଣିବାକୁ ଚାହିଁଛି । ରିପବ୍ଲିକାନ ରାଣ୍ଡ୍ ପଲ୍ ଏହା ଘୋଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ: ଆମେରିକାରେ ଆତଙ୍କ ସୃଷ୍ଟି କରୁଛି ଏହି ଚାଇନିଜ୍ ଆପ୍; ଜାଣନ୍ତୁ କାହିଁକି...
ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନସୀ (CIA) ଏବେ କୋଭିଡର ଉତ୍ପତ୍ତି ସଂପରକ୍ରେ ଅନୁସନ୍ଧାନ କରୁଛି । ପଶୁ ଶରୀରରୁ ମଣିଷ ଶରୀରକୁ କେମିତି ଆସିଲା, ତା’ ଉପରେ ପୂର୍ବରୁ ଅନୁସନ୍ଧାନ କରୁଥିଲା CIA । କିନ୍ତୁ ଏହା ଏବେ ଲାବ୍ ଲିକ୍ ଉପରେ ଅଧିକ ଅନୁସନ୍ଧାନ କରୁଛି ।
ପ୍ରଥମରୁ କୋଭିଡ୍ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଏହା ଚୀନ୍ ଭାଇରସ୍, କରୋନା ଭାଇରସ୍ ନୁହେଁ ବୋଲି ୨୦୨୦ରେ କହିଥିଲେ ଟ୍ରମ୍ପ । କରୋନା ଇଟାଲିର ଏକ ସ୍ଥାନ ଭଳି ଶୁଭୁଛି, ଏହା ଏକ ସୁନ୍ଦର ସ୍ଥାନ ବୋଲି ଟ୍ରମ୍ପ ମତ ଦେଇଥିଲେ । ଚୀନ୍ ଭାଇରସ ବିରୋଧରେ ଆମର ଲଢେଇ ଜାରି ରହିବ । ଏହା ଦ୍ୱାରା ଲକ୍ଷ ଲକ୍ଷ ଜୀବନ ବଞ୍ଚିଯିବ ବୋଲି ସେ କହିଥିଲେ ।
ପଶୁ ଶରୀର ଅପେକ୍ଷା ଲାବରୁ ଏହି ଭାଇରସ୍ ବା ଭୂତାଣୁ ଜନ୍ମ ନେଇଥିବାର CIA ବିଶ୍ୱାସ କରୁଥିବା ମଧ୍ୟ ଘୋଷଣା କରିସାରିଛି । କରୋନାର ଉତ୍ପତ୍ତି ନେଇ CIA ପୂର୍ବରୁ ଖୋଲାଖୋଲି ଭାବେ କିଛି କହୁନଥିଲା ।
ଚୀନର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ଆମେରିକାର ଆର୍ଥିକ ସହାୟତାରେ ଗବେଷଣା ପାଇଁ କିଏ ଅନୁମତି ଦେଇଥିଲା ବୋଲି ପ୍ରଶ୍ନ କରିଛନ୍ତି ସିନେଟର୍ ରାଣ୍ଡ୍ ପଲ୍ ।
ପଲ୍ ପୁଣି କହିଛନ୍ତି, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇନଫେକଚିଅସ୍ ଡିଜିଜେସର ନିର୍ଦ୍ଦେଶକ ଆନ୍ଥୋନି ଫସିଙ୍କୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ କ୍ଷମା କରିଦେଇଥିବାରୁ ଏହାର ଅଧିକ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଉହାନ ଇନଷ୍ଟିଚ୍ୟୁଟରେ କରୋନା ଭୂତାଣୁର ଗବେଷଣା ପାଇଁ ଆମେରିକାର NIH ଆର୍ଥିକ ସହାୟତା ଦେଉଥିଲା । ଉହାନ ଇନଷ୍ଟିଚ୍ୟୁଟ୍ ଆମେରିକାର ଇକୋ-ହେଲଥ୍ ସଂସ୍ଥା ସହ ମିଳିତ ଭାବେ କାମ କରୁଥିଲା । କାହିଁକି ଇକୋ-ହେଲଥ୍ ଉପରେ କାହିଁକି ତଦନ୍ତ ହେଉନାହିଁ ବୋଲି ମଧ୍ୟ ସେ ପଚାରିଛନ୍ତି । ଏହି ସଂସ୍ଥାକୁ ଏଇ ମାସରୁ ବ୍ୟାନ୍ କରାଯାଇଛି । ଏଭଳି ମହାମାରୀ କେମିତି ଆଗକୁ ହେବ ନାହିଁ, ତା ଉପରେ ଅଧିକ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ପଲ୍ ।