/odishatv-khabar/media/post_attachments/uploadimage/library/16_9/16_9_0/nepal__1757511518.jpg)
nepal
ଜଳୁଛି ଭାରତର ପଡୋଶୀ ଦେଶ। ଦୁଇ ଦିନରେ ପୂରା ବଦଳି ଯାଇଛି ନେପାଳର ଚିତ୍ର। ଆଉ ବିକ୍ଷୋଭକାରୀଙ୍କ ପ୍ରତିବାଦ କରିବାର ଷ୍ଟାଇଲ୍ ବି ବଦଳିଛି । ଶାନ୍ତ ଦେଶ ହୋଇ ଉଠିଛି ଅଶାନ୍ତ। ସଂସଦ ଭବନଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ, ସବୁ କିଛିକୁ ଘେରାଉ କରିଛନ୍ତି ଜେନ୍-ଜି। ୟୁଥ୍ଙ୍କ ଆକ୍ରୋଶ ନେପାଳ ସରକାରଙ୍କ ମୂଳଦୁଆକୁ ଦୋହଲାଇ ଦେଇଛି। ଥରହର ହୋଇଛି ଗାଦି। ନେପାଳ ରାଜନୀତିରେ ଜାରି ରହିଥିବା ଅସ୍ଥିରତା ପୁଣି ବୁଢ଼ିଆଣୀ ଜାଲରେ ଫସିଛି, ଯେଉଁଠୁ ବାହାରିବା ଗତ ୧୭ ବର୍ଷରେ କୌଣସି ବି ସରକାରଙ୍କ ପାଇଁ ସମ୍ଭବ ହୋଇପାରିନି ।
ନେପାଳ ରାଜନୀତି ୧୭ ବର୍ଷ ଧରି ଅସ୍ଥିରତାରେ ଫସିରହିଛି । ଗତ ୧୭ ବର୍ଷ ରେ ଏଠି ବଦଳିଲେଣି ୧୪ ପ୍ରଧାନମନ୍ତ୍ରୀ। ମାଓବାଦୀ ନେତା ପ୍ରଚଣ୍ଡ ହୁଅନ୍ତି ଅବା ଶେର ବାହାଦୂର ଦେଉବା । ମଧେସୀ ଆନ୍ଦୋଳନରୁ ବନିଥିବା ନେତା ହୁଅନ୍ତୁ ଅବା ନିଜେ କେ ପି ଶର୍ମା ଓଲି । କେବେ ବିଶ୍ୱାସଘାତ, କେବେ ମେଣ୍ଟରେ ଦ୍ୱନ୍ଦ୍ୱ ତ କେବେ ଜନତାଙ୍କ କ୍ରୋଧର ଶିକାର ହୋଇ ପ୍ରଧାନମନ୍ତ୍ରୀମାନଙ୍କୁ ବାଧ୍ୟ ହୋଇ ପଦ ଛାଡ଼ିବାକୁ ପଡ଼ିଛି ।
ଅଧିକ ପଢନ୍ତୁ: ଯୁବକଙ୍କୁ ଭୋଗରେ ନିଶା ଦେଲେ, ଦୁଷ୍କର୍ମ କରି ଭିଡିଓ କଲେ ! ବିରୋଧ କରିବାରୁ ମାଡ଼ ମାରିଲେ
ନେପାଳରେ ରାଜତନ୍ତ୍ର ଶେଷ ହେବା ପରେ ଗଣତନ୍ତ୍ରର ନୂଆ ଶୂଭାରମ୍ଭ ହୋଇଥିଲା। ୨୦୦୮ରେ ମାଓବାଦୀ ନେତା ପ୍ରଚଣ୍ଡ ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ ବନିଥିଲେ । କିନ୍ତୁ ସେନା ମୁଖ୍ୟଙ୍କ ନିଯୁକ୍ତି ଏବଂ ରାଷ୍ଟ୍ରପତି ରାମବରନ ଯାଦବଙ୍କ ସହ ବିବାଦ ତାଙ୍କ ସରକାରକୁ ଅସ୍ଥିର କରିଦେଇଥିଲେ । ମାତ୍ର ୯ ମାସ ପରେ ହିଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ।
ପ୍ରଚଣ୍ଡଙ୍କ ଇସ୍ତଫା ପରେ ୨୦୦୯ ମେ’ ମାସରେ ୟୁଏମ୍ଏଲ୍ ନେତା ମାଧବ କୁମାର ନେପାଳ କ୍ଷମତାକୁ ଆସିଥିଲେ । ତାଙ୍କ ସରକାର ମେଣ୍ଟ ଭରସାରେ ତିଷ୍ଠିଥିଲା । କିନ୍ତୁ ରାଜନୈତିକ ଅସହମତି, ଦଳଗୁଡ଼ିକ ଭିତରେ କନ୍ଦଳ ଏବଂ ଜନତାଙ୍କ ଚାପ ଭିତରେ ତାଙ୍କ ସରକାର ବି ମାତ୍ର ଦେଢ଼ ବର୍ଷ ପରେ ଭାଙ୍ଗି ଯାଇଥିଲା ।
ଏହାପରେ ଫେବ୍ରୁଆରୀ ୨୦୧୧ରେ ଶାସନ ସମ୍ଭାଳି ଥିଲେ ଝଲନାଥ ଖନାଲ। ସେ ବି ୟୁଏମ୍ଏଲ୍ ନେତା ଥିଲେ । କିନ୍ତୁ ତାଙ୍କ ସରକାର ମାତ୍ର ୬ ମାସ ହିଁ ଚାଲିପାରିଥିଲା । ଏହାପରେ ଅଗଷ୍ଟ ୨୦୧୧ରେ କ୍ଷମତା ସମ୍ଭାଳିଥିଲେ ମାଓବାଦୀ ପାର୍ଟିର ଦ୍ୱିତୀୟ ସର୍ବୋଚ୍ଚ ନେତା ବାବୁରାମ ଭଟ୍ଟାରାଇ। କିନ୍ତୁ ସଂସଦରେ ଅସହମତି ଏବଂ ନିର୍ବାଚନ ହୋଇ ନ ପାରିବାରୁ ୨୦୧୩ରେ ସଂସଦ ଭଙ୍ଗ କରିବାକୁ ପଡ଼ିଥିଲା ।
ମାର୍ଚ୍ଚ ୨୦୧୩ରେ ନେପାଳରେ ରାଜନୈତିକ ଗତିରୋଧ ଏତେ ବଢ଼ିଯାଇଥିଲା ଯେ ପ୍ରଧାନ ବିଚାରପତି ଖିଲ ରାଜ ରେଗମୀଙ୍କୁ ଅନ୍ତରୀଣ ସରକାରର ନେତୃତ୍ୱ ହସ୍ତାନ୍ତର କରାଯାଇଥିଲା । ତାଙ୍କ କାମ ଥିଲା କେବଳ ନିର୍ବାଚନ କରାଇବା । ସେ ତାହା ହିଁ କରିଥିଲେ ।
ପେବ୍ରୁଆରୀ ୨୦୧୪ରେ ନେପାଳୀ କଂଗ୍ରେସ ନେତା ସୁଶୀଲ କୋଇରାଲା ଶାସନକୁ ଆସିଥିଲେ । ତାଙ୍କ କାର୍ଯ୍ୟକାଳରେ ୨୦୧୫ରେ ନେପାଳରେ ଭୟଙ୍କର ଭୂମିକମ୍ପ ଆସିଥିଲା । ଏହା ସତ୍ତ୍ୱେ ସେ ନୂଆ ସମ୍ବିଧାନକୁ ପାରିତ କରି ଇତିହାସ ରଚିଥିଳେ । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଓ ମେଣ୍ଟ ରାଜନୀତି ତାଙ୍କୁ ଦୀର୍ଘ ସମୟ ଧରି କ୍ଷମତାରେ ରହିବାକୁ ଦେଇ ନ ଥିଲା ।
ଓଲି ପ୍ରଥମ ଥର ପାଇଁ ୨୦୧୫ରେ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ଭାରତର ଅବରୋଧ ଏବଂ ମଧେସୀ ଆନ୍ଦୋଳନ ଭିତରେ ଓଲି ଚୀନ୍ ଆଡ଼କୁ ଢଳିଥିଲେ । କିନ୍ତୁ ମେଣ୍ଟ ସହଯୋଗୀଙ୍କ ସହ ସମ୍ପର୍କ ବିଗିଡ଼ିବାରୁ ପ୍ରାୟ ୧୦ ମାସ ପରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା । ଏହାପରେ ୨୦୧୬ ଅଗଷ୍ଟରେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଥିଲେ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ । ଏଥର ସେ କ୍ଷମତାରେ ରହିବା ଲାଗି ଶେର ବାହାଦୂର ଦେଉବାଙ୍କ ସହ ବୁଝାମଣା କରିଥିଲେ । ସେହି ଅନୁସାରେ ୯ ମାସ ପରେ ସେ ପଦ ଛାଡ଼ିଥିଲେ ।
ଜୁନ୍ ୨୦୧୭ରେ ଦେଉବା ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିର୍ବାଚନ କରାଇବା । ଏଥିରେ ସେ ସଫଳ ହୋଇଥିଲେ। କିନ୍ତୁ ନୀତିଗତ ମାମଲାରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା । ଫେବ୍ରୁଆରୀ ୨୦୧୮ରେ କେ ପି ଶର୍ମା ଓଲି ବିପୁଳ ବିଜୟ ପାଇ ଦ୍ୱିତୀୟ ଥର ଲାଗି ନେପାଳ ଶାସନ ଗାଦିରେ ବସିଥିଲେ। କିନ୍ତୁ ଦଳ ଭିତରେ କନ୍ଦଳ, ସଂସଦ ଭଙ୍ଗ ବିବାଦ, ସୁପ୍ରିମକୋର୍ଟଙ୍କ ଫଇସଲା ଭିତରେ ତାଙ୍କ ନିୟନ୍ତ୍ରଣ ଦୁର୍ବଳ ହୋଇଥିଲା, ପରେ ସେ ଇସ୍ତଫା ଦେଇଥିଲେ।
୨୦୨୧ ମେ’ରେ ତୃତୀୟ ଥର ଲାଗି ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ କେ ପି ଶର୍ମା ଓଲି । କିନ୍ତୁ ତାଙ୍କ କାର୍ଯ୍ୟକାଳ ପ୍ରାୟ ୨ ମାସ ହିଁ ରହିଥିଲା । ୨୦୨୧ ଜୁଲାଇରେ ଶେର ବାହାଦୂର ଦେଉବା ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ୬ ମାସ ବି ତିଷ୍ଟି ପରିନଥିଲା ତାଙ୍କ ସରକାର।
୨୦୨୨ ଡିସେମ୍ବରରେ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କ୍ଷମତାରେ ରହିବା ଲାଗି ବାରମ୍ବାର ମେଣ୍ଟ ବଦଳାଇଥିଲେ । ଫଳରେ ତାଙ୍କ ସରକାର ଉପରୁ ଜନତା ଏବଂ ସଂସଦ ଉଭୟଙ୍କ ଭରସା ଉଠି ଯାଇଥିଲା ।
୨୦୨୪ ଜୁଲାଇରେ କେ ପି ଶର୍ମା ଓଲି ଚତୁର୍ଥ ଥର ଲାଗି କ୍ଷମତାକୁ ଆସିଥିଲେ। ସେ ଦାବି କରିଥିଲେ ଯେ, ଏଥର ଦେଶରେ ସ୍ଥିରତା ଆଣିବେ । କିନ୍ତୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ବ୍ୟାନ୍ ଏବଂ ଦୁର୍ନୀତି ବିରୋଧୀ ଆନ୍ଦୋଳନ ତାଙ୍କ ସରକାରକୁ ଦୋହଲାଇ ଦେଇଛି । ଜେନ୍-ଜି’ର ହିଂସାତ୍ମକ ଆନ୍ଦୋଳନ ପରେ ସେପ୍ଟେମ୍ବର ୯ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)