• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ପ୍ରେମ କେମିତି ଓ କାହିଁକି ହୁଏ? ତାହା ବଡ଼ କଥା ନୁହେଁ । ପ୍ରେମକୁ ନେଇ କେମିତି ଜୀଇଁ ହୁଏ, ତାହା ହିଁ ବଡ଼ କଥା । ବାଲେଶ୍ବରର ଜଳେଶ୍ବରରେ ଏହିଭଳି ଦୁଇ ପ୍ରେମପକ୍ଷୀଙ୍କ ଏକ ନିଆରା କାହାଣୀ ଦେଖିବାକୁ ମିଳିଛି । ଯାହାଙ୍କ ଜୀବନରେ ବୋହୁଛି ପ୍ରତିବନ୍ଧକର ଝଡ଼ । ଜଣେ ଚା’ଖଣ୍ଡେ ପେଟ ପାଇଁ ଦାଦନ ସାଜିଛି ତ ଆଉ ଜଣେ ଦିବ୍ୟାଙ୍ଗ ଅବସ୍ଥାରେ ଖଣ୍ଡିଏ ହ୍ବିଲ୍ ଚେୟାରରେ ଜୀବନ ଜୀଉଁଛି । ତଥାପି ସେମାନେ ପଣ କରିଛନ୍ତି ସାତ ଜନ୍ମର ସାଥୀ ହେବାକୁ ।

ବନ୍ଧୁରୁ ବଧୂ ସଜାଇ ଦାଦନ ପ୍ରେମିକଟିଏ, ଦିବ୍ୟାଙ୍ଗ ପ୍ରେମିକାର ମଥାରେ ସିନ୍ଦୂର ଭରିଛି । ବାଣ ରୋଷଣୀ କରି ବର ଆସିଥିଲା । ଡିଜେର ତାଳେ ତାଳେ ନାଚ ଗୀତରେ ବିଭୋର ହୋଇଥିଲେ ବନ୍ଧୁ ପରିଜନ । ଏଣେ ବଧୂ ବେଶରେ ସଜେଇ ହୋଇ ସ୍ବପ୍ନର ରାଜକୁମାରକୁ ଅପେକ୍ଷାରତ ରହିଥିଲା କନ୍ୟା । ନୂଆ ସଂସାର କରିବାର ସ୍ବପ୍ନରେ ଉଭୟେ ବିଭୋର । ବର ଓ କନ୍ୟା ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ପ୍ରହରାଜପୁର ଗାଁର ।

ଅଧିକ ପଢନ୍ତୁ: ବିବାହର ତିନି ଘଣ୍ଟା ପରେ ବାହା ପୋଷାକରେ ପରୀକ୍ଷା ଦେଲେ ନବବଧୂ

ପଞ୍ଚାନନ ଜେନା ଓ ଅନ୍ନପୂର୍ଣ୍ଣା ପାତ୍ର। ଚା’ଖଣ୍ଡେ ପେଟ ପାଇଁ ପଞ୍ଚାନନ ଗୋଆରେ ସାଜିଛନ୍ତି ଦାଦନ ଶ୍ରମିକ । ଦିବ୍ୟାଙ୍ଗ ଅବସ୍ଥାରେ ଖଣ୍ଡିଏ ହ୍ବିଲ୍ ଚେୟାରରେ ଜୀବନ ଜୀଉଁଛନ୍ତି ଅନ୍ନପୂର୍ଣ୍ଣା ପାତ୍ର । ହେଲେ ଉଭୟେ ଏବେ ବନିଛନ୍ତି ପତି-ପତ୍ନୀ । ବୈଦିକ ରୀତିନୀତି ଅନୁଯାୟୀ, ଗତକାଲି ବିବାହ ସମ୍ପନ୍ନ ପରେ ଏହି ପ୍ରେମ ପକ୍ଷୀ ଏବେ ସାଜିଛନ୍ତି ସାତ ଜନ୍ମର ସାଥୀ । ନାନା ପ୍ରତିବନ୍ଧକ ଭିତରେ ଉଭୟେ ଉଭୟଙ୍କୁ ପାଇ ବେଶ୍ ଖୁସି ।

ଅସଂପୂର୍ଣ୍ଣ ଦୁଇ ଗୋଡ଼ ସହ ଜନ୍ମନେଇଥିବା ଅନ୍ନପୂର୍ଣ୍ଣା ଶାରିରୀକ ଭାବେ ସମ୍ପୂର୍ଣ୍ଣ ନୁହଁନ୍ତି ସତ, କିନ୍ତୁ ରୂପ ଆଉ ଗୁଣରେ ସେ ସର୍ବ ଲକ୍ଷଣ ସମ୍ପନ୍ନା । ଫେସବୁକ୍ ହେଉ ଅବା ଇନଷ୍ଟା, ଭଳି କି ଭଳି ରିଲ୍ସ ତାଙ୍କ ଫଲୋଅର୍ସଙ୍କର ମନ ମୋହୁଛି । ସେଥିପାଇଁ ତ ଯୁକ୍ତ ତିନି ପ୍ରଥମ ବର୍ଷରେ ପଢ଼ୁଥିବା ଅନ୍ନପୂର୍ଣ୍ଣାଙ୍କ ରିଲ୍ସ ଦେଖୁ ଦେଖୁ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ ୨୫ ବର୍ଷିୟ ପଞ୍ଚାନନ । ତା’ପରଠୁ କେହି ଆଉ ପଛକୁ ଚାହିଁନାହାଁନ୍ତି ।

ଅନ୍ନପୂର୍ଣ୍ଣା ଦିବ୍ୟାଙ୍ଗ ହୋଇଥିବା ଜାଣି ବି ପଞ୍ଚାନନ ନିଷ୍ପତ୍ତି ତାଙ୍କୁ ହିଁ ଜୀବନସାଥୀ ବନାଇବେ ବୋଲି ନିଷ୍ପତି ନେଇଥିଲେ । ତା’ପରେ ଅନ୍ନପୂର୍ଣ୍ଣାଙ୍କୁ ଦୁଇ ହାତରେ ଉଠାଇ ଅଗ୍ନିକୁ ସାକ୍ଷୀ ରଖି ସାତ ଫେରା ଦେଇଛନ୍ତି ପଞ୍ଚାନନ । ହ୍ବିଲଚେୟାରରେ ବସାଇ ମଥାରେ ଭରିଛନ୍ତି ସିନ୍ଦୂର । ଏବେ ଉଭୟେ ଉଭୟଙ୍କ ପାଇଁ ସମର୍ପିତ । ଆଉ ଏଥିରେ ବେଶ୍ ଖୁସି ଅଛନ୍ତି ଉଭୟ ପରିବାର । ସମାଜରେ ବଦଳୁଥିବା ପ୍ରେମର ପରିଭାଷା ଭିତରେ ନିରିମାଖୀ ଦିବ୍ୟାଙ୍ଗ ଅନ୍ନପୂର୍ଣ୍ଣା ଓ ଦାଦନ ପଞ୍ଚାନନଙ୍କ ଏହି ନିସ୍ବାର୍ଥପର ପ୍ରେମ କାହାଣୀ, ଆଜି ଭିନ୍ନ ବାର୍ତ୍ତା ଦେଇଛି ।

ଅଧିକ ପଢନ୍ତୁ: ୨୦୦ ଭୋକିଲାଙ୍କ ମୁହଁରେ ପ୍ରତିଦିନ ଆହାର ଦେଉଛି ଏହି ‘ରୁଟି ବ୍ୟାଙ୍କ’

OTV is now on Whatsapp

Join and get latest news update delivered to you via whatsapp

Join Now