• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

ଭୋକ ସତେ କେତେ କଷ୍ଟ, କେତେ ଦୁଃଖ କେତେ ଯନ୍ତ୍ରଣାଦାୟକ । ଜଣେ ଭୋକିଲା ହିଁ ଜାଣେ ଭୋକର କଷଣ । ଭୋକ କାହାର ନାହିଁ ଏମିତି ନାହିଁ। ଭୋକର ମରଣ ନାହିଁ। ଖାଦ୍ୟ ପାଇଲେ ନୀରବିଯାଏ, ଖାଦ୍ୟ ସରିଗଲେ ଫଣା ଟେକି ଗର୍ଜନ କରେ । ଏଇ ଭୋକ ପାଇଁ ତ ବିକ୍ରି ହୁଏ ମାତୃତ୍ବ, ସମ୍ପର୍କ ବଳିପଡେ, ବାର୍ଦ୍ଧ୍ୟକ୍ୟରେ ମଣିଷ ବେଠି ଖଟେ ଆଉ ଯୌବନ ଦାନନରେ କଟିଯାଏ । କେବେ କେବେ ଭୋକ ପାଇଁ ରକ୍ତର ବନ୍ୟା ବହିଯାଏ । ତଥାପି ଭୋକର ନିଆଁ ଦାଉ ଦାଉ ଜଳୁଥାଏ । କହିବାକୁ ଗଲେ ଏ ପାପୀ ପେଟ ପାଇଁ ହିଁ ସବୁ ନାଟ । ଭୋକ ପାଇଁ ସବୁ ଏଠି ଡହଳବିକଳ ।

ଏପରି ଭୋକରେ ଘାଣ୍ଟି ହେଉଥିବା ଅସହାୟଙ୍କ ମୁହଁରେ ଦାନା ଯୋଗାଇବା ସତରେ କୌଣସି ପୂଣ୍ୟ ଠାରୁ କମ ନୁହେଁ । ହେଲେ କେତେ ଜଣ ଏପରି ପୂଣ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି । ତଥାପି ଆଜିକା ସମୟରେ କିଛି ଏପରି ଲୋକ ଅଛନ୍ତି, ଯାହାଙ୍କ ପାଇଁ ଦୁନିଆରେ ମାନବିକତା ବଞ୍ଚିଛି । ଛପରା ସହରରେ କିଛି ଦୟାଳୁ ଲୋକ ଭୋକିଲାଙ୍କ ଭଗବାନ ପାଲଟିଛନ୍ତି । ନିଜସ୍ୱ ଉଦ୍ୟମରେ ଅସହାୟ ଭୋକିଲାଙ୍କ ମୁହଁକୁ ମୁଠାଏ ଦାନା ଯୋଗାଇବା ପରି ମହତ କାମ କରୁଛନ୍ତି । ଆଉ ଏଇମାନେ ମଝି ରାତିରେ ସହର ଶୋଇପଡ଼ିଲା ପରେ ରାସ୍ତା କଡ଼ରେ ଖୋଲି ଦିଅନ୍ତି ତାଙ୍କର ରୁଟି ବ୍ୟାଙ୍କ । ଏହା ଏଭଳି ଏକ ବ୍ୟାଙ୍କ, ଯାହା ଭୋକିଲା ପେଟର କଥା ବୁଝେ । ବିନା ଟଙ୍କାରେ ଲୋକେ ପାଆନ୍ତି କିଛି ରୁଟି ଓ ତରକାରୀ ।

୨୦୧୮ରେ ଆରମ୍ଭ ହୋଇଥିବା ଏହି ମହତ ଅଭିଯାନ ଆଜି ସୁବ୍ୟବସ୍ଥିତ ଆନ୍ଦୋଳନରେ ପରିଣତ ହୋଇସାରିଛି । ପ୍ରତି ଦିନ ପାଖାପାଖି ୨୦୦ ଲୋକଙ୍କୁ ଭୋଜନ ଉପଲବ୍ଧ କରାଉଛି ରୁଟି ବ୍ୟାଙ୍କ । ଏହି ରୁଟି ବ୍ୟାଙ୍କର କାହାଣୀ ନିସ୍ୱାର୍ଥପରତା ଓ ପରୋପକାର ପରି ଗଭୀର ଭାବନାରୁ ପ୍ରେରିତ ଏକ ପ୍ରୟାସ ।

ଦୁଇ ଜଣ ସରକାରୀ ବିଦ୍ୟାଳୟର ଶିକ୍ଷକ ରବିଶଙ୍କର ଉପାଧ୍ୟାୟ ଓ ସତ୍ୟେନ୍ଦ୍ର କୁମାର ନିଜର କିଛି ବନ୍ଧୁଙ୍କ ସହ ମିଶି ଏହି ରୁଟି ବ୍ୟାଙ୍କ ଆରମ୍ଭ କରିଥିଲେ । ୨୦୧୮ ଅକ୍ଟୋବର ଦଶହରାରେ ଏହି ରୋଟି ବ୍ୟାଙ୍କ ଖୋଲିଥିଲା । ଅଲ୍ ଇଣ୍ଡିଆ ରୁଟି ବ୍ୟାଙ୍କ ଟ୍ରଷ୍ଟର ସଂସ୍ଥାପକ କିଶୋରକାନ୍ତ ତିଓ୍ବାରୀ ଏବଂ ତାଙ୍କ ସହଯୋଗୀ ରୋଶନ ପଟେଲଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏଭଳି କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କହନ୍ତି ରବିଶଙ୍କର। ୪ ଜଣ ସାଙ୍ଗଙ୍କୁ ନେଇ ପ୍ରଥମ ଟିମ୍ ଗଠନ କରିଥିଲେ ଦୁଇ ଶିକ୍ଷକ । ରାକେଶ ରଞ୍ଜନ, ରାମଜନମ ମାଞ୍ଝି, ପିଣ୍ଟୁ ଗୁପ୍ତା ଓ ଆନନ୍ଦ ମିଶ୍ରା ଏହି ମହତ ଅଭିଯାନ ଆରମ୍ଭ କରିବା ପାଇଁ ଉଭୟଙ୍କୁ ସାହାଯ୍ୟ କରିଥିଲେ ।

ପ୍ରଥମ ଦିନ ରବିଶଙ୍କର ଓ ତାଙ୍କ ସାଥୀମାନେ ୭ ପ୍ୟାକେଟ୍ ଖାଦ୍ୟ ଭୋକିଲାଙ୍କୁ ଦେଇଥିଲେ। ଏବେ ତାଙ୍କ ଟିମରେ ୨୦ ଜଣ ସାମିଲ ହୋଇଛନ୍ତି ଓ ସେମାନେ ଦିନକୁ ୨୦୦ ପ୍ୟାକେଟ୍ ଖାଦ୍ୟ ବଣ୍ଟନ କରୁଛନ୍ତି । ବିଳମ୍ବିତ ରାତିରେ ବିଭିନ୍ନ ଛକ ବୁଲିବୁଲି ରୁଟି ଓ ତରକାରୀ ବାଣ୍ଟନ୍ତି ତାଙ୍କ ଟିମ । ରାତି ୯ଟା ସୁଦ୍ଧା ଖାଦ୍ୟ ପ୍ରସ୍ତୁତ କରି ତାଙ୍କ ଟିମ୍ ସହରକୁ ବାହାରି ଯାଉଛନ୍ତି ।

ଦିନକୁ ଦିନ ଚାହିଦା ବଢ଼ୁଥିବା ଦେଖି ଅଧିକ ଗଠନମୂଳକ ଆଭିମୁଖ୍ୟର ଆବଶ୍ୟକତା ଅନୁଭବ କରିଥିଲେ ଏହାର ସଦସ୍ୟ । ଏଥିପାଇଁ ଆଜି ଛପରାର ମୋହନ ନଗରରେ ରୁଟି ବ୍ୟାଙ୍କର ଅନ୍ନପୂର୍ଣ୍ଣା ସାମୁଦାୟିକ ରୋଷେଇ ନାମକ ରୋଷେଇ ଘର ରହିଛି। ଏଥିରେ ଚୁଲା, ରାସନ ସାମଗ୍ରୀ ଓ ସମସ୍ତ ରୋଷେଇ ସାମଗ୍ରୀ ଉପଲବ୍ଧ ରହିଛି । ରୋଷେଇ କରିବା ପାଇଁ କିଛି ଲୋକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

ବର୍ତ୍ତମାନ ରାଜେଶ କୁମାର, ଧୀରଜ ଏବଂ ରାମବାବୁ ରୋଷେଇ କାର୍ଯ୍ୟ ସମ୍ଭାଳୁଛନ୍ତି, ଯେଉଁମାନେ ଦିନରେ ଅନ୍ୟତ୍ର କାମ କରନ୍ତି କିନ୍ତୁ ସନ୍ଧ୍ୟାରେ ଏକାଠି ହୋଇ ରୋଷେଇ କରନ୍ତି । ଏତେ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ ସୁଦ୍ଧା ତିନି ଜଣ ମିଶି ମାତ୍ର ୧୦,୦୦୦ ଟଙ୍କା ପାରିଶ୍ରମିକ ନିଅନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ଅପରାହ୍ନ ୫ ଟାରୁ ରାତି ୮ ଟା ଯାଏଁ ରୋଷେଇ ହୁଏ, ତା’ପରେ ପ୍ୟାକେଜିଂ ହୋଇ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରାଯାଏ ।

ଭୋକିଲା ଲୋକଙ୍କୁ ଖାଦ୍ୟ ପରଷିବା ପୂର୍ବରୁ ଗୁଣବତ୍ତା ନିଶ୍ଚିତ କରିବାକୁ ଦଳ ପ୍ରଥମେ ଖାଦ୍ୟର ସ୍ୱାଦ ଚାଖନ୍ତି । ଏବେ ରୁଟି ବ୍ୟାଙ୍କରେ ସ୍ଥାନୀୟ ଲୋକମାନ ଯୋଡ଼ି ହୋଇ ଜନ୍ମଦିନ, ବିବାହ, ପୂଜାପାଠ ଆଦି ଉତ୍ସବରେ ଗରିବଙ୍କୁ ଭୋଜନ ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ ଉତ୍ସବରେ ଭୋଜନ ଯୋଗାଉଛନ୍ତି ସ୍ଥାନୀୟ ଲୋକେ ।

ମାସରେ ଅତି କମରେ ୧୦ ରୁ ୧୨ ଦିନର ଭୋଜନ ବିଭିନ୍ନ ଲୋକ ଯୋଗାଇ ଦିଅନ୍ତି । ରାସ୍ତାରେ ଶୋଇଥିବା ଭୋକିଲାଙ୍କ ବ୍ୟତୀତ ସରକାରୀ ଡାକ୍ତରଖାନା ଓ ଛପରାର ଦୁଇଟି ରେଳ ଷ୍ଟେସନରେ ମଧ୍ୟ ଖାଦ୍ୟ ବଣ୍ଟନ କରେ ଏହି ରୁଟି ବ୍ୟାଙ୍କ । ଏତେ ଲୋକଙ୍କ ମିଳିତ ପ୍ରୟାସରେ ହେଉଥିବା ମହତ କାମ ସତରେ ପ୍ରସଂଶା ଯୋଗ୍ୟ ।

 

OTV is now on Whatsapp

Join and get latest news update delivered to you via whatsapp

Join Now