• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରୋଗ ଭଲ କରିବା ପାଇଁ ଆସିଥିଲେ, ସାଙ୍ଗରେ ନୂଆ ରୋଗ ନେଇ ଫେରିଲେ । ତାହା ପୁଣି ଏଡ୍‌ସ ରୋଗ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ପ୍ରଶ୍ନ ଆସୁଥିବ ରୋଗୀ ହୋଇ ତ ଆସିଥିଲେ କେମିତି ଏଡ୍‌ସର ଶିକାର ହେଲେ ? ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଆଉ ଘଟଣାଟି ଘଟିଛି ସମ୍ବଲପୁର ବୁର୍ଲା ମେଡିକାଲରେ । ମେଡିକାଲ୍‌ ଟିମ୍‌ର ଟିକିଏ ଭୁଲ ପାଇଁ କଷ୍ଟ ଯନ୍ତ୍ରଣାରେ ଘାଂଟି ହେଉଛନ୍ତି ସିଦ୍ଧେଶ୍ୱର । ଆଉ ୪ ଲକ୍ଷ ଟଙ୍କା ଦେଇ ନିଜ ମୁଣ୍ଡର ଦୋଷ ଖସାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଅଧିକ ପଢ଼ନ୍ତୁ: କ୍ୟାନ୍ସର ରୋଗୀଙ୍କ ଜୀବନ ସହ ଖେଳ, ୧୦ ମାସ ଧରି କର୍କଟ ରୋଗୀଙ୍କୁ ମିଳୁନି ବାୟୋପ୍ସି ରିପୋର୍ଟ

ରେଢାଖୋଲ ଅଞ୍ଚଳର ସିଦ୍ଧେଶ୍ଵର ପ୍ରଧାନ । ୨୦୧୬ ମସିହାରେ ହଠାତ୍‌ ତାଙ୍କର ଦେହ ଖରାପ ହେବାରୁ ମେଡିକାଲରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ତାଙ୍କର ହିମୋଗ୍ଲୋବିନ ପରିମାଣ କମିଯାଇଛି । ରକ୍ତର ଆବଶ୍ୟକତା ରହିଛି । ଆଉ ସିଦ୍ଧେଶ୍ୱରଙ୍କ ପାଇଁ ମେଡିକାଲ ବ୍ଲଡ୍‌ ବ୍ୟାଙ୍କରୁ ରକ୍ତ ଯୋଗାଡ଼ କରିଥିଲେ ପରିବାର ଲୋକ । ହେଲେ ସେମାନେ ଜାଣିନଥିଲେ ଏଇ ରକ୍ତ ତାଙ୍କ ପାଇଁ କାଳ ହେବ । ବିନା କୌଣସି ପରୀକ୍ଷା ନିରାକ୍ଷାରେ ସିଦ୍ଧେଶ୍ୱରଙ୍କୁ ଦିଆଯାଇଥିଲା HIV ସଂକ୍ରମିତ ରକ୍ତ । ଆଉ ସତ ଜାଣିବା ପରେ ପରିବାର ପାଦ ତଳୁ ଖସିଯାଇଥିଲା ମାଟି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିଦ୍ଧେଶ୍ୱରଙ୍କୁ ଏଡ୍‌ସ ହୋଇସାରିଥିବା ଜାଣିବା ପରେ ପରିବାର ଲୋକଙ୍କୁ ନଜଣାଇ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଏଡ୍‌ସର ମେଡିସିନ୍‌ ଖାଇବାକୁ ଦେଲେ । ହେଲେ ସତ ବେଶି ଦିନ ଲୁଚି ରହିନଥିଲା । ଏନେଇ ଓଟିଭି ମଧ୍ୟ ଅନୁସନ୍ଧାନମୂଳକ ଖବର ପ୍ରସାରଣ କରିଥିଲା । ହେଲେ ସତ ମାନିବାକୁ ରାଜି ନଥିଲେ ମେଡିକାଲ କର୍ତ୍ତୃପକ୍ଷ । କିନ୍ତୁ ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ପାଇଁ ଏଡ୍‌ସ ରୋଗରେ ଘାଂଟି ହେଉଥିଲେ ସିଦ୍ଧେଶ୍ୱର । ଏମିତିକି ଘଟଣାରେ ଭୀମସାର ବ୍ଲଡ୍‌ବ୍ୟାଙ୍କର ଇନଚାର୍ଜ ଡାକ୍ତର ରାଜେନ୍ଦ୍ର ପଟ୍ଟନାୟକଙ୍କୁ ସସ୍‌ପେଣ୍ଡ କରାଯାଇଥିଲା ।

ସେହିପରି ବ୍ଲଡ୍ ବାଙ୍କରେ କାର୍ଯ୍ୟରତ ଜଣେ ଲାବ୍‌ରୋଟୋରୀ ଟେକ୍ନିସିଆନ୍‌ ଓ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । କିନ୍ତୁ ସିଦ୍ଧେଶ୍ୱରଙ୍କୁ କୌଣସି ଲାଭ ମିଳିନଥିଲା । ଘଟଣା ଘଟିବାର ୪ ବର୍ଷ ପରେ ଅର୍ଥାତ୍‌, ୨୦୨୨ ମସିହାରେ ସିଦ୍ଧେଶ୍ୱରଙ୍କୁ କ୍ଷତି ପୂରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତାହା ପୁଣି ମାତ୍ର ୪ ଲକ୍ଷ ଟଙ୍କା । ଏନେଇ ଭୀମସାର ନିର୍ଦ୍ଦେଶକଙ୍କୁ ଚିଠି ଲେଖାଇ ଜଣାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅନୂ ସଚିବ ରଶ୍ମି ମିଶ୍ର ।

ଏଠାରେ ପ୍ରଶ୍ନ ଉଠୁଛି, ରୋଗୀଙ୍କ ଜୀବନ ସହ ଖେଳ ଖେଳିବାର ୪ ବର୍ଷ ପରେ ମାତ୍ର ୪ ଲକ୍ଷ ଦେଇ ନିଜ ମୁଣ୍ଡରୁ କେମିତି ଦୋଷ ଖସାଇ ଦେବ ସ୍ୱାସ୍ଥ୍ୟ ବିଭାଗ ? ଯଦି ସିଦ୍ଧେଶ୍ୱରଙ୍କର କୌଣସି ଅସୁବିଧା ହେବ ତାହାଲେ ଦାୟୀ ରହିବ କିଏ ? ଏହା କେବଳ ସିଦ୍ଧେଶ୍ୱରଙ୍କ ସହ ହୋଇଛି ନା ଅନ୍ୟରୋଗୀଙ୍କ ସହ ବି ହୋଇଛି ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

(ରିପୋର୍ଟ- ସଂଜୟ ଜେନା,ସମ୍ବଲପୁର)