/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750173614.jpg)
Odisha Issues Statewide Diarrhoea Alert
ଯାଜପୁର ସୀମା ପାର ହୋଇ ରାଜ୍ୟର ଅନ୍ୟ ଜିଲ୍ଲାକୁ ବ୍ୟାପୁଛି ଡାଇରିଆ। କଟକ, କେନ୍ଦ୍ରାପଡ଼ା ଭଳି ୫ଟି ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏବେ ବିଭିନ୍ନ ଜିଲ୍ଲାରେ ଖାଦ୍ୟ ବ୍ୟବସାୟର ସ୍ବଚ୍ଛତା ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। କାଲି ରାଜଧାନୀ ଭୁବନେଶ୍ବର ପରେ ଆଜି କଟକ ଓ ଜଗତସିଂହପୁରରେ ଆକ୍ସନ ମୋଡକୁ ଜିଲ୍ଲା ପ୍ରଶାସନ। ସେପଟେ ଆଉ ୯ ଦିନ ପରେ ରଥଯାତ୍ରା ଥିବାରୁ ତା ପୂର୍ବରୁ ଡାଇରିଆର ପ୍ରକୋପକୁ କିଭଳି ଶୂନ୍ୟ କରାଯାଇପାରିବ, ତା ଉପରେ ଜୋର୍ ଲଗାଇ ଦେଛନ୍ତି ସବୁ ଜିଲ୍ଲା ପ୍ରଶାସନ।
ଉପରେ ଖାଦ୍ୟ ଭଣ୍ଡାର, ତଳେ ପୁତ୍ତିଗନ୍ଧମୟ ପରିବେଶ। ସହରଯାକ ଆବର୍ଜନା ଯେଉଁଠି ପାସ୍ କରୁଛି, ତାଉ ଉପରେ ବେଧଡ଼କ ଚାଲିଛି ଖାଦ୍ୟ ବେପାର। ଖୋଦ୍ କଟକ ସହର ଓ ଜଗତସିଂହପୁରରେ ଆଗରେ ହୋଟେଲ, ଆଉ ହୋଟେଲ ପଛପଟେ ମାଛି ଭଣ ଭଣ ପରିବେଶ। ସାରା ରାଜ୍ୟକୁ ଏବେ ଡାଇରିଆ ଡରାଉଥିବା ବେଳେ ଆଜି ଖାଦ୍ୟ ଓ ସ୍ବାସ୍ଥ୍ୟ ବିଭାଗର ରେଡ୍ ବେଳେ ସାମ୍ନାକୁ ଆସିଛି କିଛି ଭୟଙ୍କର ଦୃଶ୍ୟ। ବ୍ୟାପୁଥିବା ହଇଜା ସ୍ଥିତି ନିୟନ୍ତ୍ରଣକୁ ଆଣିବା ଏବଂ ଅନ୍ୟ ଜିଲ୍ଲାରେ ଯାଜପୁର ଭଳି ସ୍ଥିତି ନହେବା ଲାଗି ବିଭିନ୍ନ ଜିଲ୍ଲାରେ ଆକ୍ସନ ମୋଡ୍କୁ ଆସିଛି ପ୍ରଶାସନ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ଏବେ ହଇଜା ହାହାକାର; ଜିଲ୍ଲା ପରେ ଜିଲ୍ଲା ମାଡ଼ି ଚାଲିଛି ଝାଡ଼ାବାନ୍ତି...
କଟକ ସହରର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ୍ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନରେ ଚଢାଉ କରିଛି ସିଏମସିର ସ୍ବାସ୍ଥ୍ୟ ଟିମ୍। ଚଢାଉ ବେଳେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି କରୁଥିବା କିଛି ଦୋକାନ ସିଲ୍ ହୋଇଛି। କିଛି ସ୍ଥାନରେ ଖାଦ୍ୟ ମାନ ଠିକ୍ ନଥିବାରୁ ତାକୁ ନଷ୍ଟ କରାଯାଇଛି। ବିଶେଷକରି ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅବହେଳା, ବାସିଖାଦ୍ୟ ଏବଂ ଅଶୁଦ୍ଧ ପାଣିର ଯାଞ୍ଚ୍ କରି କିଛି ହୋଟେଲକୁ ସିଲ୍ କରିଛି ସିଏମସି ଟିମ୍। ସେହିଭଳି ରାଜଧାନୀ ଭୁବନେଶ୍ବରରେ ବି ସମାନ ବିନ୍ଦୁ ଉପରେ ରେଡ୍ ଅବ୍ୟାହତ ରଖିଛି ବିଏମସିର ସ୍ବାସ୍ଥ୍ୟ ଟିମ୍। ଏପଟେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଛୋଟବଡ଼ ସ୍ଥାନରେ ଖାଦ୍ୟ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲଗୁଡ଼ିକରେ ବ୍ୟାପକ ଖାନତଲାସି କରାଯାଇ କିଛି ଦୋକାନୀଙ୍କୁ ଫାଇନ୍ ମଧ୍ୟ କରାଯାଇଛି।
ରାଜଧାନୀର କଳିଙ୍ଗ ନଗର ଅଞ୍ଚଳରେ ଏକ ଆପର୍ଟମେଂଟରେ ୭୦ ଜଣ ଡାଇରିଆ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି କଟକ ଜିଲ୍ଲାରେ ବି ୬୦ରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ଗଲା ଦୁଇଦିନରେ କଟକ ବାଙ୍କୀ ଘୋଳପୁରରେ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟାଙ୍ଗୀ ଅଞ୍ଚଳରେ ବି ୮ ଜଣଙ୍କୁ ଚିହ୍ନଟ କରାଯାଇଛି। କଟକ ବଡ଼ମେଡିକାଲରେ ଏବେ ବିଭିନ୍ନ ଜିଲ୍ଲାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ୨୦ ଜଣ ଚିକିତ୍ସାଧୀନ ଅଛନ୍ତି। ଗୋଟେପଟେ ଝାଡ଼ାବାନ୍ତି ଗୋଟିଏରୁ ଆଉ ଗୋଟିଏ ଜିଲ୍ଲାକୁ ମାଡୁଥିବା ବେଳେ ଆଗକୁ ଆସୁଛି ରଥଯାତ୍ରା। ଏହି ଅବସରରେ କେବଳ ପୁରୀ ନୁହେଁ, ରାଜ୍ୟର ସବୁ ଜିଲ୍ଲାରେ ରଥ ଉତ୍ସବରେ ଏକାଠି ହେବେ ବହୁ ସଂଖ୍ୟାରେ ଲୋକେ। ତେଣୁ ତା ପୂର୍ବରୁ ଝାଡ଼ାବାନ୍ତିର ପ୍ରକୋପ କିଭଳି ସମୁଳେ ଲୋପ ପାଇବ, ଏବେ ତା ଗୁରୁତ୍ବ ଦେଉଛନ୍ତି ଜିଲ୍ଲାର ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)