• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

News Highlights

  • k

ଆମ ଶରୀରର ବିଭିନ୍ନ ପ୍ରକ୍ରିୟା ସମ୍ପାଦିତ କରିବା ପାଇଁ ଭିନ୍ନ ଭିନ୍ନ ଉପାଦେୟ ଅଙ୍ଗମାନଙ୍କ ମଧ୍ୟରୁ କିଡନୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶରୀରରେ ରେଚନ ବା ରେନାଲ୍ କ୍ରିୟା ଦ୍ୱାରା ଏହା ଆମ ରକ୍ତରେ ଲବଣ ଓ ଖଣିଜ ପଦାର୍ଥ ବା ମିନେରାଲ୍ସର ସନ୍ତୁଳନ ରକ୍ଷା କରିବାରେ କାର୍ଯ୍ୟ କରେ। ଏହା ହେଉଛି କିଡନୀର ମୁଖ୍ୟ ବ୍ୟବସ୍ଥା। ତେବେ ଆଜିକାଲି ଆପଣଙ୍କ ସଂସ୍ପର୍ଶରେ ଜଣେ ଏମିତି ବ୍ୟକ୍ତି ନିଶ୍ଚିତ ଥିବେ ଯିଏ ତାଙ୍କ କିଡନୀ ସମସ୍ୟା ନେଇ ଚିନ୍ତିତ ଥିବେ। ପ୍ରାରମ୍ଭିକ କିମ୍ୱା ଆଡଭାନ୍ସଡ୍ ସ୍ଥିତିରେ ଥିବା କିଡନୀ ସମସ୍ୟା ଯୋଗୁଁ ମଧ୍ୟ ଅନେକ ପୀଡ଼ିତ ରହୁଥିବା ଆପଣ ଲକ୍ଷ୍ୟ କରୁଥିବେ। ଥରେ କିଡନି ସମସ୍ୟା କ୍ରୋନିକ୍ ହୋଇଗଲା ପରେ ଆପଣଙ୍କ ରକ୍ତର ବିଶୋଧନ ଅସମ୍ଭବ ହୋଇପଡ଼େ, ଯାହା ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଆଜି କିଛି ଖାଦ୍ୟ ବିଷୟରେ ଜାଣିବା ଯାହା ନିୟମିତ ଖାଇବା ଦ୍ୱାରା ଆପଣଙ୍କ କିଡନୀ ସ୍ୱାସ୍ଥ୍ୟ ଭଲ ରହିବ।

କିଡନୀ ପାଇଁ ଉପଯୁକ୍ତ ଖାଦ୍ୟ ବାଛିବା ବେଳେ ଆପଣ ନିୟମିତ ଗ୍ରହଣ କରୁଥିବା କାର୍ବୋହାଇଡ୍ରେଟ୍ ବା ଶ୍ୱେତସାର, ପ୍ରୋଟିନ୍ ବା ପୁଷ୍ଟିସାର ଓ ଫ୍ୟାଟ୍ ବା ସ୍ନେହସାରର ମାତ୍ରାକୁ ଜାଣିବା ନିହାତି ଦରକାର। ଯଦି କେହି କିଡନୀ ଜନିତ ସମସ୍ୟା(କ୍ରୋନିକ୍ କିଡନୀ ଡିଜିଜ୍)ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ତେବେ ତାଙ୍କର ମୁଖ୍ୟ ମେଡିକାଲ୍ ନ୍ୟୁଟ୍ରିସନ୍ ଥେରାପି ପାଇଁ ଡାକ୍ତର କୁହନ୍ତି। ଆବଶକୀୟ ଔଷଧ ସହ ପୋଷଣ ଠିକ୍ ରହିଲେ ହିଁ କିଡନୀ ସମସ୍ୟା ଜଲଦି ଠିକ୍ ହେବାର ଦେଖାଯାଏ। ତେବେ ଡାଇବେଟିସ୍ ରୋଗୀମାନେ ଖୁବ୍ ଜଲଦି କିଡନୀ ରୋଗରେ ପୀଡ଼ିତ ହେବା ଦେଖାଯାଏ, କାରଣ ରକ୍ତ ଶର୍କରା ଅତ୍ୟଧିକ ହେତୁ ଏହା କିଡନୀ ଉପରେ ଚାପ ପକାଏ।

ପ୍ରଥମେ ଆପଣଙ୍କୁ ଆପଣ ଦୈନିକ କେତେ କ୍ୟାଲୋରୀ ଖାଦ୍ୟ ଖାଉଛନ୍ତି ଦେଖିବାକୁ ପଡ଼ିବ। କିଡନୀ ସମସ୍ୟା ଥିବା ବ୍ୟକ୍ତିମାନଙ୍କୁ ସାଧାରଣତଃ ଖାଦ୍ୟର ସ୍ୱାଦ ଜଣାପଡ଼ିନଥାଏ କାରଣ ବିଭିନ୍ନ ମିନେରାଲ୍ସ ତଥା ସୋଡ଼ିୟମ୍ କମ୍ ଥିବା ଖାଦ୍ୟ ସେମାନଙ୍କୁ ଦିଆଯାଏ। ଏଣୁ ସେମାନେ କମ୍ କ୍ୟାଲୋରୀ ସେବନ ଦ୍ୱାରା ଶରୀରର ମାଂସପେଶୀ ଜନିତ ଓଜନ କମି କମି ଯାଏ, ଫଳରେ ସେମାନେ ଦୁର୍ବଳ ହୋଇଯାଆନ୍ତି। ତେବେ ଧ୍ୟାନ ରଖନ୍ତୁ, ଏହି ସମୟରେ ରୋଗୀର ଶରୀରର ଓଜନ ଅନୁସାରେ ଏବଂ ରୋଗର ସ୍ତର ଅନୁଯାୟୀ ସୋଡିୟମ୍, ପୋଟାସିୟମ୍, ଫସଫରସ୍ ପରି ମିନେରାଲ୍ସ ଏବଂ ଅତ୍ୟଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟକୁ ଛାଡ଼ି ଅନ୍ୟ ଖାଦ୍ୟ ଉପଯୁକ୍ତ ପରିମାଣରେ ଦେବା ଆବଶ୍ୟକ ହୋଇଥାଏ।

ଯଦି କେବେ ପରିସ୍ରାରେ ଆଲବୁମିନ୍-କ୍ରିଏଟିନିନ୍ ଅନୁପାତ ୩୦ ମି.ଗ୍ରା ରୁ ଢେର ଅଧିକ ରହୁଛି, ତେବେ ଆପଣ କିଡନୀ ସ୍ୱାସ୍ଥ୍ୟ ନେଇ ସତର୍କ ହୋଇଯାଆନ୍ତୁ। ଏହାର ଅର୍ଥ ଆଲବୁମିନ୍ ନାମକ ପ୍ରୋଟିନ୍‌କୁ ଆପଣଙ୍କ ଖାଦ୍ୟରୁ ରକ୍ତ ଶୋଷଣ କରି ସଂଚୟ କରୁଛି କିନ୍ତୁ କିଡନୀ ଦ୍ୱାରା ଶୋଧନ ବେଳେ ଆଲବୁମିନ୍ କଣିକା ଛାଣି ହୋଇ ପାରୁ ନାହିଁ। ଅର୍ଥାତ୍ ଆପଣଙ୍କ କିଡନୀରେ ସମସ୍ୟା ରହିଛି। ପ୍ରୋଟିନ୍ ଆମ ଶରୀରର ବୃଦ୍ଧିରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତି ଦିନକୁ ନିଜ କିଲୋଗ୍ରାମ ଓଜନ ପିଚ୍ଛା ଏକ ଗ୍ରାମ୍ ପ୍ରୋଟିନ୍ ନେବାର ପରାମର୍ଶ ଦିଆଯିବା ବେଳେ କିଡନୀ ସମସ୍ୟା ଥିବା ବ୍ୟକ୍ତିମାନେ ଏହାର ଅଧାରୁ କମ୍ ପ୍ରୋଟିନ୍ ନେବାକୁ କୁହାଯାଏ। କାରଣ ପ୍ରୋଟିନ୍ ଏକ ସମସ୍ୟା ଥିବା କିଡନୀ ଦ୍ୱାରା ଠିକ୍ ରେ ରକ୍ତରୁ ଅଲଗା ହୋଇ ପାରିବ ନାହିଁ ଏବଂ ପରିସ୍ରାରେ ନିଷ୍କାସିତ ହୋଇଯିବ। କିନ୍ତୁ ଯଦି ଆପଣଙ୍କର କିଡନୀ ସମସ୍ୟା କ୍ରୋନିକ୍ ଅଟେ ଏବଂ ଆପଣ ଡାୟଲିସିସ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ନିୟମିତ ପରିମାଣରୁ ଅଧିକ ପରିମାଣର ପ୍ରୋଟିନ୍ ସେବନ ଜରୁରୀ। କାରଣ ଡାୟଲିସିସ୍ ଦ୍ୱାରା ରକ୍ତରେ ଥିବା ପ୍ରୋଟିନ୍ ମଧ୍ୟ ବାହାରିଯାଇଥାଏ।

ଅଧିକ ପଢ଼ନ୍ତୁ: ରାତିରେ କଣ କଲେ କମିବ ପେଟ ? ଆସନ୍ତୁ ଜାଣିବା ସହଜ-ସରଳ ଉପାୟ... 

ପ୍ରତି ବ୍ୟକ୍ତିଙ୍କ ଖାଦ୍ୟରେ ଫ୍ୟାଟ୍ ବା ସ୍ନେହସାର ଉପଲବ୍ଧ ରହିବା ନିହାତି ଦରକାର। କାରଣ ଏହା ଆମ ଶରୀରରେ କେତେକ ଭିଟାମିନ୍ ଶୋଷଣରେ ସାହାଯ୍ୟ କରେ ଏବଂ ବ୍ଲଡ୍ ପ୍ରେସର୍ ନିୟନ୍ତ୍ରଣରେ ରଖେ । କିନ୍ତୁ ଅପକାରୀ ଫ୍ୟାଟ୍ ଯେପରିକି ସାଚୁରେଟେଡ୍ ଫ୍ୟାଟିଏସିଡ୍ ଓ ଟ୍ରାନ୍ସ ଫ୍ୟାଟ୍ ପରି ଫ୍ୟାଟ୍ ଆମ କୋଲେଷ୍ଟରଲ୍ ସ୍ତର ବଢ଼ାଇଥାଏ ଏବଂ ପରୋକ୍ଷରେ କିଡନୀ ଉପରେ ଚାପ ପକାଇଥାଏ। ଏହା ପରେ ହୃଦ୍‌ରୋଗର ସମ୍ଭାବନା ବଢ଼ାଏ। ଏଣୁ କିଡନୀ ସମସ୍ୟା ଥିବା ବ୍ୟକ୍ତି ବଟର୍, ଛଣାଛଣି ଖାଦ୍ୟ, କେକ୍, ପ୍ୟାଷ୍ଟ୍ରି, ମଟନ୍, କ୍ଷୀର ଜାତୀୟ ଖାଦ୍ୟ ଆଦିରୁ ଦୂରେଇ ରହିବା ଉଚିତ୍। ଏହି ଜାଗାରେ ଆପଣ ଅଲିଭ୍ ଅଏଲ୍, ଓଟ୍ସ, ଆମଣ୍ଡ୍ ଓ ୱାଲନଟ୍ ଆଦି ନଟ୍ସ, ଆଦି ନେଲେ ଉପକାରୀ ଫ୍ୟାଟ୍ ପାଇପାରିବେ।

ଜାତୀୟ ପୋଷଣ ସଂସ୍ଥାନ ପ୍ରଣୀତ ନିର୍ଦ୍ଦେଶାବଳୀ ଅନୁସାରେ ଦିନକୁ ଜଣେ ବୟସ୍କ ବ୍ୟକ୍ତି ଅତି ବେଶୀରେ ୨୦୦୦ ମିଲିଗ୍ରାମ ଲୁଣ ଖାଇପାରିବେ, ଯାହା କି ପାଖାପାଖି ଗୋଟେ ଛୋଟ ଚାମଚ ପରିମାଣର ହେବ। ଏଥିରୁ ଅଧିକ ହେଲେ ରକ୍ତରେ ସୋଡ଼ିୟମ୍ ବଢ଼େ ଯାହା କିଡନୀ ଦ୍ୱାରା ଶୋଧନ ହୋଇପାରେ ନାହିଁ। ସୋଡିୟମ୍ ଶରୀରରେ ଫ୍ଲୁଇଡ୍ ବା ତରଳ ଜମି ରହିବା ପାଇଁ ମଧ୍ୟ ଦାୟୀ ଥାଏ। ଏଣୁ ଦୈନିକ ଆବଶ୍ୟକ ପରିମାଣରୁ ଅଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ୍ ପ୍ରେସର୍ ଉପରେ ମଧ୍ୟ ପ୍ରଭାବ ପଡ଼େ। ଆପଣ ଯଦି କିଡନୀ ସମସ୍ୟା ଦେଇ ଗତି କରୁଛନ୍ତି କିମ୍ୱା ଏହି ସମସ୍ୟାରୁ ଦୂରେଇ ରହିବାକୁ ଚାହାନ୍ତି ତେବେ ଫ୍ରୋଜେନ୍ ଫୁଡ୍ସ ଯେପରି ବଜାରରେ ମିଳୁଥିବା ଫ୍ରୋଜେନ୍ ଥିବା ପ୍ୟାକେଜ୍ଡ ଖାଦ୍ୟ, ଅଧିକ ମସଲାଯୁକ୍ତ ଖାଦ୍ୟ, ଚିପ୍ସ, ଆଦି ଖାଇବା ବନ୍ଦ କରିବା ଆବଶ୍ୟକ।

ଏଥିସହିତ ବିଭିନ୍ନ ପରିବାକୁ ରାନ୍ଧିବା ପୂର୍ବରୁ ଧୋଇକରି ଗରମ ପାଣିରେ ପକାଇ ଦୁଇ ମିନିଟ୍‌ ପରେ କାଢ଼ି ତା ପରେ ରାନ୍ଧିବା ଆବଶ୍ୟକ, ଯାହା ଦ୍ୱାରା ଏହାର ପୋଟାସିୟମ୍ ବାହାରି ଯାଇଥାଏ। ମୁଖ୍ୟତଃ ଫୁଲକୋବି, କନ୍ଦମୂଳ, ପାଳଙ୍ଗ, ଆଦି ଏହି ବର୍ଗରେ ଆସନ୍ତି। ପାଚିଲା କଦଳୀ, ଖଜୁରୀ, କିସମିସ୍ ଆଦି ଫଳ ମଧ୍ୟ ପୋଟାସିୟମ୍‌ରେ ଭରପୂର ଯାହା ଏହି ସମୟରେ ଖାଇବା ଅନୁଚିତ୍। କମ୍ ପୋଟାସିୟମ୍ ଥିବା କିଛି ପରିବା ଯେପରି କାକୁଡ଼ି, କୋବି, ବ୍ରୋକୋଲି, ଏବଂ ନାସପାତି, ସପୁରୀ, ଷ୍ଟ୍ରବେରୀ ପରି ଫଳ ଖାଇପାରିବେ।

ତେବେ ଆପଣ ଯଦି ଜଣେ ସୁସ୍ଥ ବ୍ୟକ୍ତି ଏବଂ ଆପଣଙ୍କର କୌଣସି କିଡନୀ ଜନିତ ସମସ୍ୟା ନାହିଁ ତେବେ ଆପଣ ଦୈନିକ ସୋଡ଼ିୟମ୍, ପୋଟାସିୟମ୍, ଫସଫରସ୍ ଓ ପ୍ରୋଟିନ୍ ଖାଦ୍ୟକୁ ଆବଶ୍ୟକ ପରିମାଣରେ ଖାଆନ୍ତୁ। ମୋଟ ଉପରେ ଜଣେ ସୁସ୍ଥ ବ୍ୟକ୍ତି ଏକ ସୁସ୍ଥ କିଡନୀ ସହ ବଞ୍ଚିବାକୁ ଚାହୁଁଥିଲେ ତାଙ୍କୁ ଦୈନିକ 1800-2000 କିଲୋ କ୍ୟାଲୋରୀ ଖାଦ୍ୟ ଗ୍ରହଣ କରିବାକୁ ହେବ, ଯେଉଁଥିରେ ଫ୍ୟାଟ୍ ୧୦-୧୫ ଗ୍ରା ଏବଂ ପ୍ରୋଟିନ୍ ବ୍ୟକ୍ତିଙ୍କ ଶରୀର ଓଜନ କିଲୋଗ୍ରାମ ପ୍ରତି ଏକ ଗ୍ରାମ ହିସାବରେ (ଛେନା, ପତଳା ଡାଲି, ଅଣ୍ଡାର ବାହାର ଧଳା ଅଂଶ, ଇତ୍ୟାଦି) ନେଇ ହେବ। ଏହା ସହ ଉପରେ ବର୍ଣ୍ଣନା ଥିବା ପରି ଆବଶ୍ୟକ ମାତ୍ରାରେ ଅନ୍ୟ ଖଣିଜ ଲବଣ ନେବାକୁ ହେବ। କୌଣସି କିଡନୀ ସମସ୍ୟା ନଥିବା ବ୍ୟକ୍ତିଙ୍କୁ ପରିବା ଗରମ ପାଣିରେ ପକାଇବା ପ୍ରକ୍ରିୟା ବା ଲିଚିଂ ପଦ୍ଧତିରେ ରୋଷେଇ କରିବା ଆବଶ୍ୟକ ନାହିଁ। ଏସବୁ ମାନି ଚଳିଲେ ଆପଣଙ୍କ କିଡନୀ ସୁସ୍ଥ ରହିବା ସହ ଆପଣ ନିରୋଗ ରହିବେ।

ଅଧିକ ପଢ଼ନ୍ତୁ: ହୃଦୟ ସୁରକ୍ଷା ଓ ସୁସ୍ଥ ଜୀବନ ପାଇଁ ମେଡିଟେରେନିଆନ୍ ଖାଦ୍ୟ ପ୍ରଣାଳୀ