• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଡରାଇଲାଣି କରୋନା । ଚୀନ୍‌-ଜାପାନ୍‌-ଆମେରିକାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଏବେ ଓଡ଼ିଶା ତଥା ଭାରତରେ କାୟା ବିସ୍ତାର କଲାଣି । ଓଡ଼ିଶାରେ ଚୀନ୍ ଭାଇରସ୍‌ ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ ଚୀନ୍‌ରେ କୋଭିଡର ଯେଉଁ ଓମିକ୍ରନ୍ ଭାରିଏଣ୍ଟ BF.7 ଆତଙ୍କ ସୃଷ୍ଟି କରିଛି ବା ଗୋଟିଏ ପରେ ଗୋଟିଏ ଜୀବନ ନେଇ ଚାଲିଛି, ସେହି ଭାଇରସ୍‌ ଏବେ ଓଡ଼ିଶାରେ । ଯେଉଁଥିପାଇଁ ସମସ୍ତଙ୍କ ମନରେ ଛନକା ପଶିଛି ।

ଏହି ଭାଇରସ୍‌ ପ୍ରଭାବରେ ଚୀନ୍‌ରେ ଏତେ ସଂଖ୍ୟାରେ ମୃତ୍ୟ ଘଟୁଛି ଯେ, ଶବଦାହ କେନ୍ଦ୍ର ସମ୍ମୁଖରେ ଦିନରାତି ଭିଡ଼ ଜମି ରହୁଛି । ଏହି ଭାରିଏଣ୍ଟ ଏବେ ଚୀନରେ ଆତଙ୍କ ସୃଷ୍ଟି କରିଛି । ଏମିତିକି ରୋଗୀଙ୍କୁ ହସ୍ପିଟାଲରେ ବେଡ୍‌ ମିଳୁନି । ଏହି ଭାରିଏଣ୍ଟ ଏବେ ଓଡ଼ିଶାରେ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ସୂଚନା ଅନୁସାରେ, କେବଳ ଓଡ଼ିଶାରେ ନୁହେଁ ଗୁଜରାଟରେ ମଧ୍ୟ ୨ ଜଣ ଏହି ଭାଇରସ୍‌ ଦ୍ୱାରା ଆକ୍ରନ୍ତ ହୋଇଥିବା ଜଣାପଡ଼ିଛି । ତେଣୁ ଏବେ ଏହା ଭାରତ ପାଇଁ ଏକ ପ୍ରକାର ସତର୍କ ଘଣ୍ଟି ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ: ଚୀନର ୬୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବେ, ଯାଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ

ଏବେ ଚୀନ୍, ଜାପାନ, ଆମେରିକା, ବ୍ରାଜିଲ ଏବଂ କୋରିଆରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏସବୁ ଦେଶରେ ସପ୍ତାହକୁ ପ୍ରାୟ ୩୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବିଶେଷ କରି ଚୀନରେ କୋଭିଡ ସ୍ଥିତି ଅତି ସାଂଘାତିକ ରହିଛି । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । କହିଛନ୍ତି, କରୋନାର ନୂଆ ଭାରିଏଣ୍ଟକୁ ଠିକ୍‌ ସମୟରେ ଚିହ୍ନଟ କରିବାକୁ ହେଲେ, ଏଥିପାଇଁ ଜିନୋମ୍‌ ସିକ୍ୟୁଏନ୍ସିଂ ଜରୁରୀ । ରାଜ୍ୟ ଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ସାମ୍ପଲ ପଠାଇବେ । ଏହାସହ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଲୋକମାନେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।

ସେପଟେ କେନ୍ଦ୍ର ଠାରୁ ଚିଠି ପାଇବା ପରେ ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ ପାଇଁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କରୋନା ଆକ୍ରାନ୍ତଙ୍କ ଜେନମ୍ ସିକ୍ୟୁଏନ୍ସିଂ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି । ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ସେଠାରେ ଟେଷ୍ଟ କରିବାର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।