• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ । ଇସ୍ରାଏଲ ଡାକ୍ତର ରଚିଲେ ଇତିହାସ । ଜଣେ ବାଳକର ମୁଣ୍ଡକୁ ପୁଣି ଥରେ ଯୋଡ଼ି ନୂଆ ଜୀବନ ଦେଇଛନ୍ତି ଡାକ୍ତର । ଯାହାକି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିରଳ ।

ମିଳିଥିବା ସୂଚନା ଅନୁସାରେ, ସୁଲେମାନ ନାମକ ଜଣେ ବାଳକ ବାଇକ୍‌ ଚଳାଉଥିବା ବେଳେ ଗୋଟିଏ କାର ତାଙ୍କୁ ଧକ୍କା ଦେଇଥିଲା । ସେଥିରେ ତାଙ୍କର ମୁଣ୍ଡର ଖପୁରି ଅଲଗା ହୋଇଯାଇଥିଲା । ବେକରେ ମୁଣ୍ଡଟି ଏକପ୍ରକାର ଝୁଲିକି ରହିଥିଲା।  ତାଙ୍କୁ ଉଦ୍ଧାର କରାଯାଇ ହାଦ୍‌ସା ମେଡିକାଲ ସେଣ୍ଟରରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ପରିସ୍ଥିତି ଜଟିଳ ଥିବାରୁ ତୁରନ୍ତ ତାଙ୍କ ପାଇଁ ଟ୍ରମା ସେଣ୍ଟର ମଧ୍ୟ ଚାଲୁ କରାଯାଇଥିଲା ଓ ତାଙ୍କର ସର୍ଜରୀ ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ: ଦିଲ୍ଲୀ ଏମ୍ସରେ ସଫଳ ହେଲା ୩ ମାସ ଶିଶୁର ବିରଳ ଅସ୍ତ୍ରୋପଚାର

ବାଳକର ବୟସ ମାତ୍ର ୧୨ ବର୍ଷ । ପାଲେଷ୍ଟାଇନ୍‌ର ମୂଳ ବାସିନ୍ଦା ହେଉଛନ୍ତି ସୁଲେମାନ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଭିତରେ ଅନେକ କ୍ଷତ ହୋଇଥିଲା । ଖାଲି ସେତିକି ନୁହେଁ, ତାଙ୍କ ମେରୁଦଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଏନେଇ ସେଠାକାର ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଡାକ୍ତର ଓହାଦ୍ ଏନାଭ୍, ଯିଏ କି ଜଣେ ଅର୍ଥୋପେଡ଼ିକ ବିଶେଷଜ୍ଞ, ସେ ଏହି ଅପରେସନ୍‌ର ନେତୃତ୍ୱ ନେଉଥିଲେ । ଏହି ଅପରେସନ୍‌ ପାଇଁ ଏକାଧିକ ଘଣ୍ଟା ସମୟ ଲାଗିଥିଲା । ଡାକ୍ତର ଏନାଭ କହିଛନ୍ତି, ଶରୀରର ଯେଉଁ ସବୁ ସ୍ଥାନ ନଷ୍ଟ ହୋଇଯାଇଥିଲା ସେଠାରେ ଆମେ ନୂଆ ପ୍ଲେଟ୍‌ ଏବଂ ଜଏଣ୍ଟ ଲଗାଇଛୁ । 

ସେ ଏହି ଅସ୍ତ୍ରୋପଚାର ବା ଅପରେସନ୍‌ରେ ସହଯୋଗ କରିଥିବା ପୁରା ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଅପରେସନ୍‌ ଥିଏଟରରେ ଉପଲବ୍ଧ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଟେକ୍ନୋଲୋଜିକୁ ବି ସେ ସଫଳତାର ଶ୍ରେୟ ଦେଇଛନ୍ତି ।

ତେବେ ଡାକ୍ତରଙ୍କ କହିବାନୁଯାୟୀ, ସୁଲେମାନଙ୍କ ମୁଣ୍ଡ ବେକଠାରୁ ପ୍ରାୟ ଅଲଗା ହୋଇସାରିଥିଲା । ଏହାସହ ମୁଣ୍ଡ ଭିତରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ଯାହାଫଳରେ ଇଣ୍ଟରନାଲ ଇନ୍‌ଜୁରୀ ମଧ୍ୟ ରହିଥିଲା । ଏହି ଅପରେସନ୍‌ ଗତ ଜୁନ୍ ମାସରେ ହୋଇଥିଲା । କିନ୍ତୁ ଏବେ ଏହା ଲୋକଲୋଚନକୁ ଅଣାଗଲା ।

ଏବେ ସୁଲେମାନ ମେଡିକାଲରୁ ଡିସ୍‌ଚାର୍ଜ ହୋଇସାରିଛି । କିନ୍ତୁ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଏବେ ବି ଧ୍ୟାନ ଦେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଏବେ ବି ଡାକ୍ତରଙ୍କ ନଜର ରହିଛି । ବିଭିନ୍ନ ସମୟରେ ପରୀକ୍ଷା ନିରିକ୍ଷା ବି କରାଯାଉଛି ।

ସବୁଠାରୁ ବଡ଼କଥା ହେଲା, ଏବେ ସୁଲେମାନର ମାନସିକ ସ୍ଥିତି ଠିକ୍ ରହିଛି । ଏତେ ବଡ଼ ଦୁର୍ଘଟଣା ପରେ ଏକ କ୍ରିଟିକାଲ ସର୍ଜରି କରାଯାଇଥିଲେ ମଧ୍ୟ ସୁଲେମାନର ମାନସିକ ସ୍ତରରେ କୌଣସି କ୍ଷତି ହୋଇନାହିଁ । ଖାଲି ସେତିକି ନୁହେଁ ଏବେ ସେ ନିଜେ ନିଜେ ଚଲା ବୁଲା ମଧ୍ୟ କରିପାରୁଛି । ସବୁ କଥା ବୁଝିପାରୁଛି । ଆଉ କହିପାରୁଛି । ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ।