ଚଳିତ ବର୍ଷ ଧର୍ମନଗରୀ ପ୍ରୟାଗରାଜରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି । ଜନସମୁଦ୍ର ପାଲଟିଛି ତ୍ରିବେଣୀ ସଂଗମ । ମହାକୁମ୍ଭରେ ବୁଡ଼ ପକାଇବାକୁ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି । ଏହାରି ଭିତରେ ଅନେକ ନେତା, ମନ୍ତ୍ରୀ ଓ ଭିଆଇପି ପ୍ରୟାଗରାଜ ଯାଇ ବୁଡ଼ ପକାଇ ସାରିଲେଣି । ସେହି କ୍ରମରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୟାଗରାଜ ଗସ୍ତରେ ଯାଇ ମହାକୁମ୍ଭରେ ସ୍ନାନ କରିଛନ୍ତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ସୂଚନା ଦିଆଯାଇଥିଲା ।
ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।
Also Read
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମହାକୁମ୍ଭରେ ଅନେକ ନେତା, ମନ୍ତ୍ରୀ, ସେଲିବ୍ରିଟି ଓ ନାମୀଦାମୀ ଲୋକ ବୁଡ଼ ପକାଇ ସାରିଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ।
ଏହାଛଡ଼ା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାଙ୍କର କ୍ୟାବିନେଟ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି । ରାମଦେବ ବାବାଙ୍କଠାରୁ ଆରମ୍ଭ କରି ହେମାମାଳିନୀ ମଧ୍ୟ କୁମ୍ଭରେ ବୁଡ଼ ପକାଇଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ: ଅଧିକ ପଢ଼ନ୍ତୁ : ନଦୀଘାଟକୁ ଜଗି ରହିବେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ, ଚିନ୍ତା ବଢାଇଛି କୁମ୍ଭୀର
ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ, ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ । ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି । ତଥାପି, ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ ।