Advertisment

Pakhala Dibasa 2025: ଝୁମ୍ପୁଡିଠୁ ପଞ୍ଚ ତାରକା ହୋଟେଲ୍ ଚାରିଆଡ଼େ ମହକିଲା ପଖାଳ

ମୁଖ୍ୟମନ୍ତ୍ରୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ପଖାଳର ଆନନ୍ଦ ନେଇଥିଲେ । ପରେ ସୋସିଆଲ ମିଡିଆରେ ପୋଷ୍ଟକରି ଲେଖିଛନ୍ତି ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆତ୍ମା । ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ ।

author-image
Deviprasad Jena
ଅଦ୍ୟତନ ହୋଇଛି
undefined

Pakhala Dibasa

କଥାରେ ଅଛି ଯିଏ ପଖାଳ ନ ଖାଇଛି, ସିଏ କି ଓଡ଼ିଆ । ଆଜିର ଡିଜିଟାଲ୍ ଯୁଗରେ ସେଇ ପଖାଳ ଏବେ ଗ୍ଲୋବାଲ୍ ହେଇଯାଇଛି । କାରଣ ବିଗତ କିଛି ବର୍ଷ ହେଲା ମାର୍ଚ୍ଚ ୨୦ ଆଜିର ତାରିଖକୁ ବିଶ୍ବପଖାଳ ଦିବସ ଭାବେ ପାଳନ କରାଯାଉଛି । ଆପଣ ବି ଆଜି ପଖାଳ ଖାଇଥିବେ ନିଶ୍ଚୟ । କଂସାଏ ଛୁଙ୍କମରା ପଖାଳକୁ ଆମିଷ ନିରାମିଷ- ବାର ରକମର ଭଜାର ମଜା ନେଇଛନ୍ତି ଲୋକେ ।

Advertisment

ବିଲ ହୁଡ଼ାରୁ ବଡ଼ ରେସ୍ତୋରାଁ, କୁଡ଼ିଆରୁ ଫାଇଭ୍ ଷ୍ଟାର ହୋଟେଲ୍, ସବୁଠି ଆଜି ହଂସା ଉଡ଼ାଇଛି ପଖାଳ କଂସା । କେଉଁଠି ମାଟିପାତ୍ର ଓ କଦଳୀପତ୍ରରେ ପଡ଼ିଛି ସାଧୁ ଓ ମଠ ମହନ୍ତଙ୍କ ପଖାଳ ପଙ୍ଗତ, ତ ପୁଣି କେଉଁଠି ବନ୍ଧୁ-ପ୍ରିୟଜନଙ୍କ ମେଳେ ଜମିଛି ପଖାଳ ଭାତର ଭୋଜି ।

ମନେ ପଡ଼ିଯାଇଛି ଓଡ଼ିଆ ଜନଜୀବନ ପଖାଳ ସହ ଜଡ଼ିତ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ସେ ପଂକ୍ତି ''ଓଡ଼ିଆ ଜୀବନ ଦୁଆ ଶାଗ ପଖାଳ, ଜଗନ୍ନାଥ ରସିଖାଏ ମନେ ତୁ ଭାଳ, ଚାଖି ନାହିଁ ଯିଏ ଥରେ ଧିକ ତା ଜନମରେ, ମଣିଷ ଜାକରେ ସେ ତ ଅଣ ପୁରୁଷା, ଆସ ଜୀବନ ଧନ ମୋର ପଖାଳ କଂସା।''

Advertisment

ହଁ ଅବସର ଯେତେବେଳେ ବିଶ୍ବ ପଖାଳ ଦିବସର ତେଣୁ ସବୁଠି ଜମିଛି ପଖାଳ ମାଡ଼ । ଜମେଇକି ହେଇଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟର ସେଲିବ୍ରେସନ୍ । ପଖାଳର ବି ରହିଛି ଅନେକ ଭେରାଇଟି । ଚାଇଁ ପଖାଳ, ବାସି ପଖାଳ, ସଜପଖାଳ, ଦହି ପଖାଳ, ଜିରାପଖାଳ, ଛୁଙ୍କ ପଖାଳ ଏମିତି କେତେ କ'ଣ । ଖରାରୁ ଆସି ଗୁଣ୍ଡେ ଖାଇ ଢୋକେ ପିଇଦେଲେ ମନ ମିଜାଜ୍ ସବୁ ଥଣ୍ଡା । ସେଇଥିପାଇଁ ତ ପଖାଳ ପ୍ରେମରେ ବାୟା ପ୍ରତିଟି ଓଡ଼ିଆ ।

ମୁଖ୍ୟମନ୍ତ୍ରୀ ବି ଏଥିରୁ ବାଦ୍ ପଡ଼ନ୍ତେ କେମିତି । ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ପଖାଳର ଆନନ୍ଦ ନେଇଥିଲେ ମୁଖ୍ୟମନ୍ତ୍ରୀ । ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆତ୍ମା । ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ ।

ଭୁବନେଶ୍ବର ପାନ୍ଥ ନିବାସରେ ଓଟିଡିସିରେ ମଧ୍ୟ ପାଳନ ହୋଇଥିଲା ପଖାଳ ଦିବସ । ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ ପଖାଳର ମହାତ୍ମ୍ୟ ବଖାଣିଥିଲେ । ସେ ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ବିଶ୍ବ ଦରବାରକୁ ନେବାର ପ୍ରୟାସ କରୁଥିବା ଫୁଡ୍ ବ୍ଲଗରଙ୍କୁ ପୁରସ୍କୃତ କରିଛନ୍ତି । ସ୍ଥାନୀୟ ବିଧାୟକ ବାବୁ ସିଂଙ୍କ ସହ ଡାଇନିଂ ଟେବୁଲରେ କଂସା ବାସନରେ ସୁଆଦିଆ ପଖାଳର ମଜା ନେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅପରପକ୍ଷେ ପୂର୍ବତନ ବିଧାୟକ ସୁର ରାଉତ ରାୟଙ୍କ ଘରେ ପଖାଳ ଆସରର ଦୃଶ୍ୟ ଥିଲା ଟିକେ ନିଆରା । ମାଛ ଭଜା, ଚିଙ୍ଗୁଡ଼ି ଛେଚା, କଖାରୁ ଫୁଲ ପିଠା, ବଢ଼ିଚୁରା, ଛତୁ ପୋଡ଼ା ଏମିତି ୧୮ପ୍ରକାରର ଆଇଟମ୍ କରି ଘରେ ପଖାଳ ଆସର କରିବା ସହ ସାନପୁଅ ମନ୍ମଥ ରାଉତରାୟଙ୍କ ସହ ଗୋଟିଏ କଂସାରେ ପଖାଳ ଖାଇଛନ୍ତି ସୁର ।

କଟକ ତିନିଘରିଆ ଅଞ୍ଚଳର କିଛି ମହିଳା ଗୋ ସେବକଙ୍କ ନିଆରା ଅନ୍ଦାଜର ପଖାଳ ଦିବସ ପାଳନ ବେଶ୍ ଚର୍ଚ୍ଚା ସାଉଁଟିଛି । କୁଣ୍ଡରେ ପଖାଳ ସାଙ୍ଗକୁ କଦଳୀପତ୍ରରେ ଶାଗଠୁ ନେଇ ଜାବତୀୟ ପନିପରିବା ପୁଣି ତରଭୁଜ ବାଢ଼ି ବୁଲା ଗାଈ ଗୋରୁଙ୍କୁ ପରଶିଛନ୍ତି ଏହି ମହିଳା ମାନେ । ଓଡ଼ିଆଙ୍କ ପ୍ରିୟ ପଖାଳକୁ ବିଶ୍ବ ପଖାଳ ଦିବସରେ ଆଜି କିଏ କେତେ ଢଙ୍ଗରେ କେତେ ବାଗରେ ସେଲିବ୍ରେଟ୍ କରିଛନ୍ତି । ଆଉ ତାରି ଭିତରେ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି, ମୁଁ ଓଡ଼ିଆ ମୋ ପଖାଳ କଂସା ମୋ ପାଇଁ ଭାରି ବଢ଼ିଆ ।

ଅଧିକ ପଢ଼ନ୍ତୁ: କଟକିଆଙ୍କ ପ୍ରିୟ ଖାଦ୍ୟ ଦହିବରା...ଯିଏ ଖାଇଛି, ସିଏ ଜାଣିଛି...

Odisha Pakhala Dibasa Pakhala Day Mohan Charan Majhi
Advertisment
Advertisment