• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ଷାରେ ଭିଜିବ ଏଥର ପାର୍ବଣ । ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅକ୍ଟୋବର ପହିଲାରୁ ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା ଫଳରେ ୧ ତାରିଖରୁ ଉପକୂଳ ଓଡିଶା ରେ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ପରେ ୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରାଯାଇଛି ।

ଏହା ପୂର୍ବରୁ ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୨୮ ଏବଂ ୨୯ ତାରିଖରେ ଉପକୂଳ ସମେତ ୨୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତାରେ ପୂଜା କମିଟି ସଦସ୍ୟ । ବିଗତ ଦୁଇବର୍ଷ ମହାମାରୀ କରୋନା ପାଇଁ ଅନେକ କଟକଣାରେ ହୋଇଥିଲା ପୂଜା । ୪ ଫୁଟ ଉଚ୍ଚତାର ମୂର୍ତ୍ତି ସହ ପରଦା ଆଢୁଆଳରେ ମାଆଙ୍କ ଆବାହନ କରିଥିଲେ ବିଭିନ୍ନ ପୂଜା କମିଟି । ତେବେ ଚଳିତବର୍ଷ କଟକଣା ହଟିଥିବା ବେଳେ ଧୁମ୍ ଧାମରେ ପୂଜା କରିବାକୁ ପ୍ରସ୍ତୁତ୍ ହୋଇଛନ୍ତି ବିଭିନ୍ନ କମିଟି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି ହେଉଛି ।

ଏଇ ଯେମିତି ରାଜଧାନୀର ଅନ୍ୟତମ ପୂଜା କମିଟି ରସୁଲଗଡ଼ । ଚଳିତ ପୂଜାରେ ଦିଲ୍ଲୀର ଅକ୍ଷରଧାମ ପରି ଅବିକଳ ତୋରଣ କରିଛି କମିଟି । ବାଉଁଶ ପାତିଆ ଏବଂ ଆଇସକ୍ରିମ୍ କାଠିରେ ନିର୍ମିତ ହେଉଛି ଏହି ତୋରଣ । ସେହିପରି ସହିଦନଗର ପକ୍ଷରୁ ପୂଜା କମିଟି ଅଯୋଧ୍ୟା ରାମ ମନ୍ଦିର ଆକୃତିରେ ନିର୍ମାଣ ହେଉଛି ତୋରଣ । ତେବେ ବର୍ଷା ଲାଗି ରହିଲେ ଏସବୁ ଫିକା ହୋଇଯିବା ନେଇ ଆଶଙ୍କା କରିଛନ୍ତି କମିଟି ସଦସ୍ୟ । 

ବର୍ଷାର ଆକଳନ ଭିତରେ କିଭଳି ଭକ୍ତମାନେ ମାଙ୍କୁ ମଣ୍ଡପରେ ଦର୍ଶନ କରିପାରିବେ, ସେନେଇ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ପୂଜା କମିଟି ସଦସ୍ୟ ।