Advertisment

Maha Kumbh Mela: ଶାହି ସ୍ନାନ ପାଇଁ ଉଛୁଳୁଛି ପ୍ରୟାଗରାଜ, ସଂଗମରେ ବୁଡ଼ ପକାଇଲେଣି ୬ କୋଟିରୁ ଅଧିକ ଶ୍ରଦ୍ଧାଳୁ

ଅସମ୍ଭବ ଭିଡ଼... ଅସମ୍ଭାଳ ଭିଡ଼... ମହାକୁମ୍ଭରେ ମୌନୀ ଅମାବାସ୍ୟା ଶାହି ସ୍ନାନ ପାଇଁ ମଙ୍ଗଳବାର ରାତିରୁ ସଙ୍ଗମ କ୍ଷେତ୍ରକୁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ । ବଡ଼ ବଡ଼ ଶୋଭାଯାତ୍ରା କରି ପହଞ୍ଚିଥିଲେ ବିଭିନ୍ନ ଆଖଡ଼ାର ସାଧୁସନ୍ଥ ।

author-image
Santosh Kumar Sahoo
undefined

ମୌନି ଅମାବାସ୍ୟାରେ ୬ କୋଟି ବୁଡ଼

ମୌନୀ ଅମାବାସ୍ୟା ଶାହି ସ୍ନାନ ପାଇଁ ଉଛୁଳୁଛି ପ୍ରୟାଗରାଜ ମହାକୁମ୍ଭ । ତ୍ରିବେଣୀ ସଂଗମରେ କୋଟି କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଅମୃତ ସ୍ନାନ ଜାରି ରହିଛି । ଏବେ ସୁଦ୍ଧା ବୁଡ଼ ପକାଇଲେଣି ୬ କୋଟିରୁ ଅଧିକ ଶ୍ରଦ୍ଧାଳୁ । ତେବେ ବ୍ରାହ୍ମ ମୁହୂର୍ତ୍ତରେ ଶାହିସ୍ନାନର ଦୁର୍ବାର ଇଚ୍ଛା ଭିତରେ ଗତରାତିରେ ଉପୁଜିଥିଲା ଦଳାଚକଟା ଭଳି ସ୍ଥିତି । ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ଏବଂ ୬୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପଟେ ଏହାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିବା ସହ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Advertisment

ଅସମ୍ଭବ ଭିଡ଼... ଅସମ୍ଭାଳ ଭିଡ଼... ମହାକୁମ୍ଭରେ ମୌନୀ ଅମାବାସ୍ୟା ଶାହି ସ୍ନାନ ପାଇଁ ମଙ୍ଗଳବାର ରାତିରୁ ସଙ୍ଗମ କ୍ଷେତ୍ରକୁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ । ବଡ଼ ବଡ଼ ଶୋଭାଯାତ୍ରା କରି ପହଞ୍ଚିଥିଲେ ବିଭିନ୍ନ ଆଖଡ଼ାର ସାଧୁସନ୍ଥ । ରାତି ଗୋଟାଏରୁ ୨ଟା ଭିତରେ ଆଖଡ଼ା ମାର୍ଗ ବ୍ୟାରିକେଡ୍ ଭାଙ୍ଗି ତ୍ରିବେଣୀ ସଙ୍ଗମ ଘାଟରେ ବୁଡ଼ ପକାଇବାକୁ ମାଡ଼ିଯାଇଥିଲେ ଲୋକେ । ଦଳାଚକଟା ଭଳି ସ୍ଥିତିରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନଥିବା ବେଳେ, ଅନେକ ବିପନ୍ନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମହାକୁମ୍ଭ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: ମହାକୁମ୍ଭ ପାଇଁ ବିମାନ ଭଡ଼ା ଆକାଶ ଛୁଆଁ; ଚିନ୍ତାରେ ଯାତ୍ରୀ, ଜାଣନ୍ତୁ ଭୁବନେଶ୍ବରରୁ କେତେ ଅଛି ଦର...

Advertisment

ଉତ୍ତରରେ ଗଙ୍ଗା, ଦକ୍ଷିଣରେ ଯମୁନା ଓ ରହସ୍ୟମୟୀ ସରସ୍ବତୀର ମିଳନସ୍ଥଳରେ ରହିଛି ତ୍ରିକୋଣଭୂମି 'ସଙ୍ଗମ ନୋଜ୍' । ଘଣ୍ଟାପ୍ରତି ପ୍ରାୟ ୨ ଲକ୍ଷ ଲୋକ ଯେପରି ସଙ୍ଗମ ନୋଜରେ ବୁଡ଼ ପକାଇପାରିବେ, ସେଥିପାଇଁ ଏହି ଜାଗାକୁ ଆହୁରି ୨୬ ହେକ୍ଟର ବଢ଼ାଇଛନ୍ତି ୟୁପି ସରକାର । ତଥାପି ଏହା ମଧ୍ୟ ନିଅଣ୍ଟ ପଡ଼ିଗଲା ଜନସମୁଦ୍ର ଆଗରେ । ମହାକୁମ୍ଭରେ ଅନ୍ୟାନ୍ୟ ସ୍ଥାୟୀ ଓ ଅସ୍ଥାୟୀ ଘାଟ ଥିଲେ ମଧ୍ୟ, ତ୍ରିବେଣୀ ସଂଗମରେ ବ୍ରାହ୍ମ ମୁହୂର୍ତ୍ତରେ ଶାହିସ୍ନାନ କରିବାର ଦୁର୍ବାର ଆଶା, ଏହି ଦଳାଚକଟା ସ୍ଥିତିର କାରଣ ବୋଲି କୁହାଯାଉଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତି ସମୀକ୍ଷା କରିବା ସହ, ଏବେ ଏହା ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି । କୌଣସି ଗୁଜବରେ ବିଶ୍ବାସ ନକରିବାକୁ ଏବଂ ଶ୍ରଦ୍ଧାଳୁଙ୍କୁ ନିକଟସ୍ଥ ଘାଟରେ ସ୍ନାନ କରିବାକୁ ନିବେଦନ କରିଛନ୍ତି ଯୋଗୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ କଥା ହେବା ସହ ଘଟଣାକୁ ଦୁଃଖଦ ବୋଲି କହିଛନ୍ତି । ଏଥିସହ ଦିଲ୍ଲୀ ନିର୍ବାଚନୀ ରାଲିରେ ଉଦବୋଧନ ବେଳେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଅଘଟଣ ପରେ, ଭକ୍ତଙ୍କ ପ୍ରବଳ ଭିଡ଼କୁ ଦେଖି ଆଖଡ଼ା ପରିଷଦ ପକ୍ଷରୁ ଆଜିର ଶାହି ସ୍ନାନକୁ ସାମୟିକ ବାତିଲ କରାଯାଇଥିଲା । ପ୍ରଥମେ ବୁଡ଼ ପକାଇଥିଲେ ଅଗଣିତ ଶ୍ରଦ୍ଧାଳୁ । ତେବେ ଦିନ ବଢ଼ିବା ସହ ଗହଳି ହ୍ରାସ ପାଇବାରୁ ପୁଣି ବିଭିନ୍ନ ଆଖଡ଼ା ପକ୍ଷରୁ ଅମୃତ ସ୍ନାନ ଆରମ୍ଭ ହୋଇଛି । ବଡ଼ ଶୋଭାଯାତ୍ରା ନକରି, ବିଭିନ୍ନ ଆଖଡ଼ାରୁ ଅଳ୍ପ ଅଳ୍ପ ସଂଖ୍ୟାରେ ସାଧୁସନ୍ଥମାନେ ପର୍ଯ୍ୟାୟକ୍ରମେ ଆସି ଶାହି ସ୍ନାନ କରୁଛନ୍ତି । ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବନ୍ଦୋବସ୍ତ ଆହୁରି କଡ଼ା କଡ଼ି ହୋଇଥିବା ବେଳେ, ଆକାଶରୁ ପୁଷ୍ପବୃଷ୍ଟି କରୁଛି ହେଲିକପ୍ଟର । ଆଜି ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି ଆକଳନ କରାଯାଉଛି ।

ମକର ସଂକ୍ରାନ୍ତି ଓ ମୌନୀ ଅମାବାସ୍ୟା ଶାହି ସ୍ନାନ ପରେ, ବସନ୍ତ ପଞ୍ଚମୀରେ ରହିଛି ତୃତୀୟ ତଥା ଚଳିତ ମହାକୁମ୍ଭର ଅନ୍ତିମ ଶାହି ସ୍ନାନ ସୁଯୋଗ। ଏଥିସହ ଫେବୃଆରୀ ୧୨ ମାଘ ପୂର୍ଣ୍ଣିମା ଓ ଫେବୃଆରୀ ୨୬ ମହାଶିବରାତ୍ରିରେ ବି ରହିଛି ମହାକୁମ୍ଭ ସ୍ନାନ ପାଇଁ ପବିତ୍ର ତିଥି ।

ଅଧିକ ପଢ଼ନ୍ତୁ: ମୌନ ରହିଲେ କେଉଁ ଫଳ ପ୍ରାପ୍ତିହୁଏ, କ’ଣ ରହିଛି ମହାକୁମ୍ଭରେ ସଠିକ୍ ସ୍ନାନ ବିଧି...

Prayagraj Maha Kumbh Mela
Advertisment
Advertisment