ମାଲକାନଗିରି ଜିଲ୍ଲାରୁ ଜଣେ ମହିଳା ପରିବାର ସହ ମହାକୁମ୍ଭକୁ ଯାଇଥିଲେ । ସେଠାରେ ସେ ଭିଡ଼ ଭିତରେ ହଜିଗଲେ । ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ଅଲଗା ହୋଇଗଲେ । ତାଙ୍କ ପାଖରେ ନା ଥିଲା ମୋବାଇଲ୍ ଫୋନ୍ ନା ସେ କାହା ସହ ହିନ୍ଦି ବା ଇଂରାଜୀରେ କଥାବାର୍ତ୍ତା କରିପାରୁଥିଲେ । ବେସାହାରା ହୋଇଯାଇଥିଲେ । ଅସହାୟ ଅବସ୍ଥାରେ ମନସ୍ତାପରେ ଥିଲେ । କାହାକୁ କହିବେ କ’ଣ କହିବେ, କିଛି ଭାବି ପାରୁନଥିଲେ । ତାଙ୍କ ସହ ଯାଇଥିବା ପରିବାରର ଅନ୍ୟ ସଦସ୍ୟମାନେ ବି ତାଙ୍କୁ ଖୋଜୁଥିଲେ । କିନ୍ତୁ ପାଉନଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଖୋଜି ପାଇବା ବି କଷ୍ଟକର ଥିଲା । ମହିଳାଜଣକ ଗୋଟିଏ କୋଣରେ ମନମାରି ବସିରହିଥିଲେ ।
ଭିଡ଼ ଭିତରେ OSRTCର ଜଣେ କର୍ମଚାରୀ ଦେଖିଥିଲେ ଏହି ମହିଳାଙ୍କୁ । ଜାଣିବାକୁ ପାଇଥିଲେ ସେ ଓଡ଼ିଶାର ବୋଲି । ତାଙ୍କ ଆଧାର କାର୍ଡରୁ ଜାଣିଲେ ତାଙ୍କର ଠିକଣା । ତା ପରେ କର୍ମଚାରୀ ଜଣକ OSRTC ମୁଖ୍ୟାଳୟ ସହ ଯୋଗାଯୋଗ କରିଥିଲେ । ମାଲକାନଗିରି ଜିଲ୍ଲା ପ୍ରଶାସନର ସହାୟତା ବି ନିଆଯାଇଥିଲା । ତାଙ୍କ ଗାଁରୁ ମିଳିଥିଲା ତାଙ୍କ ପରିବାରର ମୋବାଇଲ୍ ନମ୍ୱର । ଏହି ମହିଳାଙ୍କୁ ଓଏସଆରଟିସି ବସରେ ଓଡ଼ିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେ ସ୍ଲିପର ସିଟରେ ଆସିଥାଆନ୍ତେ ।
ଅଧିକ ପଢ଼ନ୍ତୁ : ମହାକୁମ୍ଭରେ ମହାଜାମ୍; ୨୦୦ ମିଟର ବାଟ ଯିବାକୁ ଲାଗୁଛି ୨ ଘଣ୍ଟା
ତେବେ ଗତ ସନ୍ଧ୍ୟାରେ ତାଙ୍କ ପରିବାର ଲୋକଙ୍କ ସହ ଏହି ମହିଳାଙ୍କର ଯୋଗାଯୋଗ ହୋଇଥିଲା । ହଜିଥିବା ମହିଳାଙ୍କୁ ପରିବାର ସହ ମିଶାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ OSRTC କର୍ମଚାରୀ । ତା ପରେ ମହିଳା ଜଣକ ବସରେ ନଆସି ତାଙ୍କ ପରିବାର ସହ ଯାଇଥିଲେ । ଏହା କହିଛନ୍ତି OSRTCର ଜିଏମ୍ ଅପରେସନ (operation) ଲକ୍ଷ୍ମୀକାନ୍ତ ସେଠୀ ।
ଓଡିଶାର କୌଣସି ଲୋକ ଯଦି ବାହାରେ ଏହିଭଳି ଅସୁବିଧାରେ ପଡିଥିବେ, ଓଏସଆରଟିସି କର୍ମଚାରୀ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ବୋଲି ସେ କହିଛନ୍ତି ।
ଚଳିତ ମାସ ଶେଷ ୨୬ ପର୍ଯ୍ୟନ୍ତ ମହାକୁମ୍ଭ ଓ ଅଯୋଧ୍ୟାକୁ ବସ ଚଳାଚଳ କରୁଛି । ଟିକେଟ୍ ଅନଲାଇନରେ କରାଯାଉଛି । ଅଫଲାଇନରେ ଟିକେଟ୍ ମିଳୁନାହିଁ । ରାଜ୍ୟର ୯ଟି ସ୍ଥାନରୁ ବସ୍ ବାହାରୁଛି । ଲୋକମାନେ ସେହି ବସରେ ମହାକୁମ୍ଭକୁ ଯାଉଛନ୍ତି । ପୁଣି ସୁବିଧାରେ ଫେରୁଛନ୍ତି ବୋଲି ସେ କହିଛନ୍ତି । ଆଜି ପର୍ଯ୍ୟନ୍ତ ପ୍ରାୟ ୨୫୦୦ ଯାତ୍ରୀ ଓଏସଆରଟିସି ବସ୍ ଦ୍ୱାରା ପ୍ରୟାଗରାଜକୁ ଯାଇଛନ୍ତି। ୧୭ଟି ବସ୍ ଯୋଗେ ଶ୍ରଦ୍ଧାଳୁ ଗତ ୧୨ ଜାନୁଆରୀରୁ ଓଡିଶାରୁ ଅଯୋଧ୍ୟା ଓ ପ୍ରୟାଗରାଜ ଯିବା ପାଇଁ ବ୍ୟବସ୍ଥା ହେଇଛି । ପ୍ରୟାଗରାଜରେ ସୃଷ୍ଟି ହୋଇଥିବା ଅବସ୍ଥା ପାଇଁ କିଛି ଦିନ ପାଇଁ ଏହା ବନ୍ଦ ରହିଥିଲା । ଏବେ ପୁଣି ଏହି ସେବା ଜାରି ରହିଛି ।
ଅଧିକ ପଢ଼ନ୍ତୁ : ଓଡ଼ିଶାରୁ ମହାକୁମ୍ଭକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ; ୮୦ ଆହତ
- Reported by:
- ATULYA BOUT