ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଚାରିଆଡେ ଉତ୍ସବର ମାହୋଲ । ଗାଁଠୁ ଆରମ୍ଭକରି ସହର ପର୍ଯ୍ୟନ୍ତ ସବୁଆଡ଼େ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି । ଏନେଇ ଅଧିକାଂଶ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶର ରାଜଧାନୀ ନୂଆଦିଲ୍ଲୀ ଯବାନଙ୍କ ଚମତ୍କାର ପରେଡ୍ରେ କମ୍ପିବ ।
କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବିଆନ୍ତୋ ମୁଖ୍ୟ ଅତିଥିଭାବେ ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ବିଦେଶ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ତାଙ୍କୁ ସ୍ବାଗତ କରିଥିଲେ ।
Also Read
ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବିଆନ୍ତୋ । ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ବାଗତ କରିବା ସହ ନୈଶ୍ୟଭୋଜିର ଆୟୋଜନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ହଜାର ହଜାର ବର୍ଷ ପୁରୁଣା ସଂପର୍କ କଥା ଉଲ୍ଲେଖ କରିବା ସହ, ଓଡ଼ିଶାର ସାଧବପୁଅ ଓ କଟକ ବାଲିଯାତ୍ରାର ଉଦାହରଣ ଦେଇଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଆହୁରି କହିଥିଲେ ୭୫ ବର୍ଷ ତଳେ ୧୯୫୦ ମସିହାରେ ପ୍ରଥମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ବନିଥିଲେ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋ । ଏହା ଉଭୟ ଦେଶର ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଓ ସଂପର୍କକୁ ସୂଚାଉଛି । ନୈଶ୍ୟଭୋଜିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବାଚସ୍ପତି, ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଇଣ୍ଡୋନେସିଆର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ପ୍ରତିନିଧି ଦଳ ଲୋକପ୍ରିୟ ବଲିଉଡ୍ ସଂଗୀତ 'କୁଛ୍ କୁଛ୍ ହୋତା ହୈ' ପରିବେଷଣ କରି ସମସ୍ତଙ୍କୁ ଚକିତ ଓ ଚମତ୍କୃତ କରିଥିଲେ ।