Advertisment

Hanuman Jayanti celebrated: ହନୁମାନ ଜୟନ୍ତୀ: ରାଜ୍ୟ ବ୍ୟାପୀ କଡ଼ା ସୁରକ୍ଷା ବ୍ୟବସ୍ଥା; ସୋସିଆଲ ମିଡିଆରେ ଗୁଜବ ଉପରେ ନଜର...

ହନୁମାନ ଜୟନ୍ତୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ହନୁମାନ ଜୟନ୍ତୀକୁ ମହାସମାରୋହରେ ପାଳିବାକୁ ସବୁଠି ପ୍ରସ୍ତୁତି।  ସମ୍ବଲପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ହନୁମାନ ଜୟନ୍ତୀ ପାଳିବାକୁ ପ୍ରସ୍ତୁତି ଶେଷ ହୋଇଛି।

author-image
Sujit kumar Swain
Hanuman Jayanti Celebrations

Hanuman Jayanti Celebrations

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ। ଗ୍ରହ ଚଳନରୁ ପ୍ରସ୍ତୁତ ରାଶିଚକ୍ର ଅନୁସାରେ ଆଜି ହେଉଛି ବର୍ଷର ପ୍ରଥମ ଦିନ। ସୂର୍ଯ୍ୟ ଆଜିଠାରୁ ବିଷୁବ ରେଖାକୁ ଚଳନ କରୁଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି କୁହାଯାଏ। ଆଜି ପଣା ସଂକ୍ରାନ୍ତିରେ ପ୍ରତ୍ୟେକ ଓଡିଆ ପରିବାରରେ ଦେବାଦେବୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଏହି ଦିନ ପ୍ରତ୍ୟେକ ଓଡ଼ିଆ ଘରେ ତୁଳସୀ ଚଉରା ଉପରେ ଛୋଟ ଠେକିରେ କଣା କରି ବସା ଯିବାର ପରମ୍ପରା ରହିଛି। ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ। ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ବର୍ଷାରମ୍ଭ ହେଉଥିବାରୁ ଦେବଦେବୀଙ୍କ ଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଓଡିଆ ନବବର୍ଷ ଅବସରରେ ଆଜିଠାରୁ ନୂଆ ପଞ୍ଜିକାର ପ୍ରଚଳନ ଆରମ୍ଭ ହେବ। ଅନ୍ୟପଟେ ଦକ୍ଷିଣ ଓଡ଼ିଶାର ଗଂଜାମ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଦଣ୍ଡଯାତ୍ରାର ଆଜି ସମାପନ ହେବ। ବ୍ରତଧାରୀମାନେ କଣ୍ଟା ବା ଅଗ୍ନିରେ ଚାଲି ନିଜ ବ୍ରତକୁ ଭାଙ୍ଗିବାର ପରମ୍ପରା ରହିଛି।

Advertisment

ଅନ୍ୟପଟେ ହନୁମାନ ଜୟନ୍ତୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ହନୁମାନ ଜୟନ୍ତୀକୁ ମହାସମାରୋହରେ ପାଳିବାକୁ ସବୁଠି ପ୍ରସ୍ତୁତି।  ସମ୍ବଲପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ହନୁମାନ ଜୟନ୍ତୀ ପାଳିବାକୁ ପ୍ରସ୍ତୁତି ଶେଷ ହୋଇଛି। ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ଆଜି ବୃକ୍ସହିଲ ହନୁମାନ ମନ୍ଦିରରେ ମହାଆରତୀ ପରେ ଶୋଭାଯାତ୍ରା ବାହାରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କେନ୍ଦ୍ରୀୟ ଫୋର୍ସ ସହ ଓଡ଼ିଶା ପୋଲିସର ପ୍ରାୟ ୫୩ ପ୍ଲାଟୁନ ସୁରକ୍ଷା କର୍ମୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ଏଥି ସହିତ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳ ଶୋଭାଯାତ୍ରାରେ କଳା ପ୍ରଦର୍ଶନ କରିବେ। ପାରମ୍ପରିକ ସମର କଳା କୌଶଳ ପ୍ରଦର୍ଶନ କରିବେ ବିଭିନ୍ନ ଆଖଡ଼ା ଦଳ। ଏଥର ପାଇକ ଆଖଡା ଅନ୍ୟତମ ପ୍ରମୁଖ ଆକର୍ଷଣ ହେବ।

ଅଧିକ ପଢ଼ନ୍ତୁ: ଶ୍ରୀରାମ କାହିଁକି ହୋଇଗଲେ ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କର କେତେକ ଗୁଣ ବିଷୟରେ ଜାଣିନେବା

Advertisment

ସମ୍ବଲପୁରରେ ହନୁମାନ ଜୟନ୍ତୀ ସ୍ବତନ୍ତ୍ର ବ୍ୟବସ୍ଥା। ବିଭିନ୍ନ ପଡାରୁ ବାହାରିଥିବା ଶୋଭାଯାତ୍ରା କେଉଁ ଛକରେ ମୁଖ୍ୟ ଶୋଭାଯାତ୍ରା ସହ ମିଶିବ। ଶୋଭାଯାତ୍ରାର ରୁଟ କଣ ରହିବ। ପୋଲିସ ପକ୍ଷରୁ ଏକ ରୁଟ ଚାର୍ଟ ପ୍ରସ୍ତୁତ ହୋଇଛି। ସମ୍ବେଦନଶୀଳ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଛି । 

ସେପଟେ ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ରାଜ୍ୟ ବ୍ୟାପୀ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା। ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ଫୋର୍ସ। ୬୫୦ ସିସିଟିଭି ଓ ୪୦ଟି ଡ୍ରୋନ ସାହାଯ୍ୟରେ ଆଇନଶୃଙ୍ଖଳାକୁ ମନିଟରିଂ କରାଯାଉଛି। ସମ୍ବଲପୁରରେ ବଡ଼ ବଡ଼ ଏଲଇଡି ଓ ଡ୍ରୋନ ସାହାଯ୍ୟରେ ନିରୀକ୍ଷଣ କରାଯାଉଥିବାବେଳେ ସାଦା ପୋଷାକରେ ପଇଁତରା ମାରିଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାରେ ରହିଛି ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ। ରାଜ୍ୟବ୍ୟାପି ଯେଭଳି ଶାନ୍ତିଶୃଙ୍ଖଳାର ସହ ପାଳିତ ହେବ ହନୁମାନ ଜୟନ୍ତୀ ସେନେଇ ଗତକାଲି ଡିଜିପିଙ୍କ କ୍ୟାମ୍ପ ଅଫିସରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଡିଜିପି ୱାଇବି ଖୁରାନିଆଙ୍କ ସମେତ ଆଇନ ଶୃଙ୍ଖଳା ଏଡିଜି, ଆଇଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ସମସ୍ତ ରେଞ୍ଜର ଆଇଜି, ଡିଆଇଜି, ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ। ବୈଠକରେ ସମ୍ବେଦନଶୀଳ ଜିଲ୍ଲା ଗୁଡିକରେ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ସହ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ପ୍ରଘଟ ସଂକ୍ରାନ୍ତରେ କଡ଼ା ନଜର ରଖିବାକୁ ଡିଜିପି ଗୁରୁତ୍ବ ଦେଇଛନ୍ତି। ସେହିପରି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ବି ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ପଦଯାତ୍ରା ଓ ବାଇକ ରାଲି ବେଳେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପାଇଁ ଏସପିଙ୍କ ସମେତ ସେହି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସଜବାଜ; ନରେନ୍ଦ୍ର ପୁଷ୍କରିଣୀରୁ ଉଦ୍ଧାର ହେଲା ଶ୍ରୀଜିଉଙ୍କ ଡଙ୍ଗା...

Maha Vishuba Sankranti Hanuman Chalisa
Advertisment
Advertisment