ବର୍ଷା ଧୋଇଦେଲା ରାବଣପୋଡ଼ି ଉତ୍ସବ

ବାଲିଯାତ୍ରା ତଳ ପଡ଼ିଆରେ ହଜାର ହଜାର ଲୋକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଦେଖିବାପାଇଁ ଅପେକ୍ଷା କରିଥିଲେ । ହେଲେ ବର୍ଷା ହେବା ପରେ କିଏ ଜରି ପାଲ ତଳେ ରହିଥିଲେ ତ କିଏ ମୁଣ୍ଡରେ ଚେୟାର ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ ।

Raavan Effigies

ଅଧାରେ ରହିଲା ରାବଣ ପୋଡ଼ି । ଦଶହରା ରାବଣ ପୋଡ଼ି ପାଇଁ କଟକ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ବାଲିଯାତ୍ରା ପଡିଆରେ ରାବଣ ପୋଡ଼ିର ଆୟୋଜନ କରାଯାଇଥିଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆତସବାଜି ମଧ୍ୟ ଆୟୋଜନ କରାଯାଇଥିଲା । ହେଲେ ବର୍ଷା ଯୋଗୁଁ ଅଧା ରହିଗଲା କଟକ ରାବଣ ପୋଡ଼ି ।

ବାଲିଯାତ୍ରା ତଳ ପଡ଼ିଆରେ ହଜାର ହଜାର ଲୋକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଦେଖିବାପାଇଁ ଅପେକ୍ଷା କରିଥିଲେ । ହେଲେ ବର୍ଷା ହେବା ପରେ କିଏ ଜରି ପାଲ ତଳେ ରହିଥିଲେ ତ କିଏ ମୁଣ୍ଡରେ ଚେୟାର ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ । ରାବଣର ପ୍ରତିକ ହୋଇଥିବା ମୂର୍ତ୍ତି ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା । ଫଳରେ ରାବଣରେ ଆଉ ଅଗ୍ନି ସଂଯୋଗ ହୋଇପାରିନଥିଲା । ଆଉ ହଜାର ହଜାର ଦର୍ଶକ ରାବଣ ପୋଡ଼ି ନ ଦେଖି ପାରି ନିରାଶ ହୋଇ ଫେରିଥିଲେ । ତେବେ କେବଳ ରାବଣ ପୋଡ଼ିରେ ଆତସବାଜି ପ୍ରତିଯୋଗିତା କିଛି ସମୟ ପାଇଁ ଚାଲିଥିଲା ।

ବିଜୟା ଦଶମୀର ଅବସରରେ ରାଜଧାନୀ ର ଧୂମଧାମରେ ପାଳିତ ହୋଇଛି ରାବଣ ପୋଡ଼ି ଉତ୍ସବ । ସହରରେ ୪ଟି ସ୍ଥାନରେ ହୋଇଥିଲା ରାବଣ ପୋଡ଼ି ଉତ୍ସବ । ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା ଓ କୋରଡ଼କଣ୍ଟା ପୂଜା ମଣ୍ଡପରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାବଣ ପୋଡ଼ି ଦେଖିବାକୁ ଏହିସବୁ ସ୍ଥାନରେ ପ୍ରବଳ ଜନସମାଗମ ହୋଇଥିଲା । ଏହି ଅବସରରେ ଆକର୍ଷଣୀୟ ରଙ୍ଗୀନ ଆତସବାଜୀ ସୋ ଦେଖିବାକୁ ମିଳିଥିଲା । ରାବଣ ପୋଡ଼ି ଉତ୍ସବ ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ । ସେହିଭଳି ଅଘଟଣ ଏଡ଼ାଇବାକୁ ପୋଲିସ ଗାଇଡଲାଇନ୍ ବି ଜାରି କରିଥିଲା । ତେବେ ରାବଣ ପୋଡ଼ି ଉତ୍ସବ ବେଳେ ମଝିରେ ମଝିରେ ବର୍ଷା ଉତ୍ସବକୁ ସାମାନ୍ୟ ଫିକା ପକାଇ ଦେଇଥିଲା । ବରମୁଣ୍ଡାରେ ରାବଣ ପୁତ୍ତଳିକା ବର୍ଷାରେ ଓଦା ହୋଇଯିବାରୁ କିଛି ସମୟ ପାଇଁ ରାବଣ ପୋ଼ଡ଼ି ଉତ୍ସବ ପ୍ରଭାବିତ ହୋଇଥିଲା । ଏହାସତ୍ତ୍ୱେ ସେଠାରେ ପ୍ରବଳ ଲୋକ ଗହଳି ଦେଖିବାକୁ ମିଳିଥିଲା ।

ଅଧିକ ପଢନ୍ତୁ: ରାଜଧାନୀରେ ୪ ସ୍ଥାନରେ ରାବଣପୋଡ଼ି ଦେଖିଲେ ଦର୍ଶକ

ରାଉରକେଲା ସେକ୍ଟର ୧୩ ମେଲଣ ପଡିଆରେ ହୋଇଥିଲା ରାବଣ ପୋଡ଼ି କାର୍ଯ୍ୟକ୍ରମ । ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ ରାବଣ ପୋଡ଼ି ହୋଇଥିଲା । ତେଣୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରାୟ ୫୦ ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ରାବଣ ପୋଡ଼ିରେ ସାମାନ୍ୟ ବିଳମ୍ବ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଯୋଗ ଦେଇଥିଲେ ।

ଜଗତସିଂହପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପଡିଆରେ ରାବଣପୋଡି ଉତ୍ସବ ବିଗତ ୨ ବର୍ଷ ଧରି କୋଭିଡ କଟକଣା ପାଇଁ ହୋଇପାରିନଥିଲା । ତେବେ ଚଳିତବର୍ଷ କଟକଣା ନଥିବା ବେଳେ ଅନୂକୁଳ ପାଗ ଯୋଗୁ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଶ୍ରୀରାମ କ୍ଲବ୍ ଉନକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଳାପାଳ ପାରୁଲ ପଟ୍ଟାୱରୀ, ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏବଂ ପୈାରାଧ୍ୟକ୍ଷା ଅର୍ଚ୍ଚନା ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ରାମାୟଣର ବିଭିନ୍ନ ଚରିତ୍ରକୁ ନେଇ ଏକ କ୍ଷୁଦ୍ର ନାଟିକା ପରିବେଷଣ କରାଯାଇଥିଲା ।