• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୂଜା ମଣ୍ଡପ ଜଗିବ ସିସିଟିଭି । ପାର୍ବଣ ପୂର୍ବରୁ ଅପରାଧ ନିୟନ୍ତ୍ରଣ କରିବାକୁ ଲାଗିବ ସିସିଟିଭି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବ୍ଲୁପ୍ରିଣ୍ଟ ତିଆରି କରିଛି ପୋଲିସ । ଅପରାଧୀଙ୍କ ଉପରେ ନଜର ରଖିବାକୁ ଏନେଇ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ସହର ଭିତର ସିସିଟିଭି ଯାଞ୍ଚ ସହ ପୂଜା ମଣ୍ଡପରେ ସିସିଟିଭି ଲଗାଇବାକୁ ପୋଲିସ୍ ଦେଇଛି କଡ଼ା ନିର୍ଦ୍ଦେଶ ।

ପାର୍ବଣକୁ ଟାର୍ଗେଟ କରିଛନ୍ତି କି ଅପରାଧୀ ? ବ୍ୟାଙ୍କ, ଏଟିଏମ ଲୁଟ୍, ସ୍ନାଚିଂ ପାଇଁ କରିଛନ୍ତି କି ବ୍ଲୁପ୍ରିଣ୍ଟ ? ପୂଜା ମଣ୍ଡପ ସିସିଟିଭି ଓ ସୁରକ୍ଷାକୁ ଚକମା ଦେଇ ଝାମ୍ଫି ନେବେ କି ସୁନାଗହଣା ? ଗହଳି ଚହଳିରୁ ଫାଇଦା ଉଠାଇବେ କି ଅପରାଧୀ ? ସଫ୍ଟ ଟାର୍ଗେଟ ହେବ କି ପୂଜା ମଣ୍ଡପ ? ଦୀର୍ଘ ଦୁଇ ବର୍ଷ ପରେ କଟକଣା ମୁକ୍ତ ଦଶହରା ପାଳିବାକୁ ନେଇ ଦୈତ୍ୟନଗରୀ ଲୋକେ ବେଶ ଉତ୍ସାହିତ । ଆଉ ଏପଟେ ଗହଳିର ଫାଇଦା ନେବାକୁ ସୁବର୍ଣ୍ଣ ସୁଯୋଗ ଭାବି ଅପରାଧୀ ତିଆରି କରିଛନ୍ତି ବିଭିନ୍ନ ପ୍ରକାର ଯୋଜନା ।

ପୂଜା ପାଇଁ ଗହଳି ଅଧିକ ଆଶଙ୍କା ଥିବାରୁ ସ୍ନାଚରଙ୍କ ସଫଟ୍ ଟାର୍ଗେଟ ହୋଇପାରେ ପୂଜା ମଣ୍ଡପ । ତେଣୁ ମଣ୍ଡପ ସୁରକ୍ଷାକୁ ବଢାଇବା ଲାଗି ସିସିଟିଭି ଲଗାଇବା ଉପରେ ଗୁରୁତ୍ୱ ଦେଇଛି ପୋଲିସ । ରାଜଧାନୀର ନୟାପଲ୍ଲୀ ପୂଜାମଣ୍ଡପରେ ୨୫ରୁ ଅଧିକ ସିସିଟିଭି ଲଗାଇବା ସହ କଡା ନଜର ରଖିବାକୁ ୨୦୦ ଭଲ୍ୟଣ୍ଟର ଏବଂ ଦୁଇଟି କଣ୍ଟ୍ରୋଲ ରୁମ କରାଯାଉଛି । ସେହିଭଳି ଅନ୍ୟ ମଣ୍ଡପ ଗୁଡିକରେ ମଧ୍ୟ ସମାନ ବ୍ୟବସ୍ଥା ପାଇଁ ଯୋଜନା ହୋଇଛି । ସେହିଭଳି କଟକ ଦୁର୍ଗା ମେଢ଼ ଭସାଣି ବେଳେ ସବୁ ମେଢ଼ରେ ଲାଗିବ GPS। ଭସାଣି ବେଳେ କେଉଁ ମେଢ କେଉଁଠି ଅଟକିଛି ଜାଣିବାକୁ ଲଗାଯିବ GPS ।

ସେପଟେ ଅପରାଧିକ କାର୍ଯ୍ୟକଳାପ ପ୍ରତିହତ ପାଇଁ ପୋଲିସ କରିଛି ମାଷ୍ଟର ପ୍ଲାନ । ସହର ଭିତରେ ଏବଂ ମଣ୍ଡପରେ ସିସିଟିଭି ଲଗାଇବା ଉପରେ ଅଧିକ ଗୁରୁତ୍ୱ ଦେଉଛି ପୋଲିସ । କଣ୍ଟ୍ରୋଲ ରୁମ୍ ଜରିଆରେ ସନ୍ଦିଗ୍ଦଙ୍କ ଗତିବିଧୀ ଉପରେ ନଜର ରଖାଯିବ । ପୂଜାମଣ୍ଡପ ଭଲ୍ୟୁଣ୍ଟରଙ୍କୁ ସଜାଗ ରହିବାକୁ ସ୍ପେଶାଲ ଟ୍ରେନିଂ ଦେବାକୁ ଯୋଜନା ରହିଛି ।

ମୀନା ବଜାର, ମେଲୋଡି ଯୋଗୁ ଗହଳି ଅଧିକ ହେବାର ଆଶଙ୍କା ଥିବାରୁ ରାସ୍ତା ଉପରେ ଗାଡି ପାର୍କିଂ ନକରିବାକୁ ପରାମର୍ଶ ଦିଆଯାଉଛି । ଆନ୍ତରାଜ୍ୟ ଅପରାଧୀ ଏବଂ ସ୍ଥାନୀୟ ଦୁର୍ବତ୍ତଙ୍କ ଉପରେ କଡାନଜର ରଖିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଭିଡ଼, ଟ୍ରାଫିକ ପାଇଁ ସ୍ୱତନ୍ତ୍ର ପ୍ଲାନ କରାଯାଉଛି । ସହରରେ ନିଶା କାରବାର, ଖଟି, ଦାବାବଟି, ଖୋଲାଖୋଲି ମଦ କାରବାର ଉପରେ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ଜାରି ରହିଛି ।

ଏପଟେ କଟକରେ ଜମିବ ଶାରଦୀୟ ଦୁର୍ଗାପୂଜା । ଏଥିପାଇଁ ସିଲଭର ସିଟିରେ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି । ମେଢ଼ ନିର୍ମାଣ କାର୍ଯ୍ୟଠାରୁ ସୁନା ଚାନ୍ଦି ସଫେଇ କାମ ଆରମ୍ଭ ହୋଇଯାଇଛି । କଟକ ସହରରେ ୧୬୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ମହିଷା ମର୍ଦ୍ଦିନୀ । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ ପାଇଁ ଅଣ୍ଟା ଭିଡିଛି କମିଶନରେଟେ ପୋଲିସ । ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପୂଜା କମିଟି ପକ୍ଷରୁ ସିସିଟିଭି ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ଭଲ୍ୟୁଣ୍ଟର ମଧ୍ୟ ନିଯୁକ୍ତ କରାଯିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ଦୁର୍ଗା ପୂଜା ମଣ୍ଡପଗୁଡିକରେ ଧୁମଧାମରେ ପାଳନ କରାଯିବ ତେଣୁ ଏନେଇ ସମସ୍ତେ ଉତ୍ସାହିତ ।