• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍କୁଲ ସ୍ମାର୍ଟ, ହେଲେ ବ୍ୟବସ୍ଥା ଅତି ଦୟନୀୟ । ବାହାରୁ ଦେଖିଲେ ଯେତିକି ଚକାଚକ୍, ଭିତର ଦେଖିଲେ ସେତିକି ଫମ୍ପା । ଯାଜପୁର ଧର୍ମଶାଳା ବ୍ଲକ୍ ଅଣ୍ଟିଆରେ ଥିବା ପଞ୍ଚାୟତ ହିଙ୍ଗୁଳା ସରକାରୀ ହାଇସ୍କୁଲର ଏମିତି ଅବସ୍ଥା । ମାତ୍ର ବର୍ଷକ ତଳେ ପୁରୁଣା ସ୍କୁଲର ହୁଲିଆ ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । ସ୍କୁଲ ପରିବେଶ ଦେଖିଲେ ଏଠି ଯେ ପୁରା ଠିକଣା ବ୍ୟବସ୍ଥାରେ ପାଠପଢ଼ା ଚାଲିନଥିବ, ତାହା ଧାରଣା ବି ଭୁଲ । କିନ୍ତୁ ଏଠି କଳାପଟା ବଦଳରେ କବାଟରେ ପାଠ ଲେଖୁଛନ୍ତି ଶିକ୍ଷକ ମହାଶୟ ।

ପାଠ ନୁହେଁ, ବରଂ ଏଠି ପିଲାଙ୍କ ପ୍ରଥମ ସମ୍ମେଟିଭ୍ ପରୀକ୍ଷା ଚାଲିଥିଲା । ପରୀକ୍ଷା ପାଇଁ ପିଲାଙ୍କୁ ପ୍ରଶ୍ନପତ୍ର ଯୋଗାଇ ନଥିବାରୁ କବାଟରେ ପ୍ରଶ୍ନ ଲେଖି ଆଡଜଷ୍ଟ କରିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ସେପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିବାବକ ଓ ପରିଚାଳନା କମିଟି ।

 ଯାଜପୁର ଜିଲ୍ଲାରେ ଏଭଳି ଘଟଣା କେବଳ ଗୋଟିଏ ସ୍ଥାନର ନୁହେଁ । ଜିଲ୍ଲାର ଅନ୍ୟ କିଛି ବିଦ୍ୟାଳୟରେ ବି ପରୀକ୍ଷା ବେଳେ ପିଲାଙ୍କୁ ପ୍ରଶ୍ନପତ୍ର ନଦେଇ କଳାପଟାରେ ପ୍ରଶ୍ନ ଲେଖି ଦାୟିତ୍ୱ ସାରି ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ବିଞ୍ଝାରପୁର ଅଳକୁଣ୍ଡଠାରେ ଥିବା ଅବଦୁଲ ମୋଜିଦ୍ ଉଚ୍ଚ ପ୍ରାଥମିକ ସ୍କୁଲରେ ଥିଲା ସମାନ ପରିସ୍ଥିତି । ଏଠି ବି ପ୍ରଥମ ସମ୍ମେଟିଭ୍ ପରୀକ୍ଷା ପୂର୍ବରୁ ପିଲାଙ୍କ ପାଇଁ ପରୀକ୍ଷା ପ୍ରଶ୍ନ ଆଣିବାକୁ ଭୁଲି ଯାଇଥିଲେ ସ୍କୁଲ କର୍ତ୍ତୃପକ୍ଷ । ତେଣୁ ଆଜି ପରୀକ୍ଷା ବେଳେ ପିଲାଙ୍କୁ କେବଳ ଉତ୍ତର ଖାତା ଯୋଗାଇ ଦେଇ କଳାପଟାରେ ପ୍ରଶ୍ନ ଲେଖି ସ୍ମାର୍ଟ ତରିକାରେ ସ୍ଥିତି ମ୍ୟାନେଜ୍ କରିଛନ୍ତି ସ୍କୁଲର ପ୍ରଧାନଶିକ୍ଷକ । ତାଙ୍କ କହିବା ଅନୁସାରେ, ସରକାର ପ୍ରଶ୍ନପତ୍ର ପାଇଁ ପଇସା ଦେଉନଥିବାରୁ ପିଲାଙ୍କୁ ଯୋଗାଇ ହେଉନି ।

ଅଧିକ ପଢ଼ନ୍ତୁ: ନାଁକୁ ମାତ୍ର 5T ସ୍କୁଲ, ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ..

ଫାଇଭ୍ ଟି ଅଧୀନରେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍କୁଲ ଭିତ୍ତିଭୂମିକୁ ସ୍ମାର୍ଟ କରି ପିଲାଙ୍କୁ ଉନ୍ନତ ଶିକ୍ଷା ସୁବିଧା ଯୋଗାଇ ଦେବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ । କିନ୍ତୁ ପରୀକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଏତେ ହାଲୁକା ଭାବେ ନେବା ଏବଂ ପ୍ରଶ୍ନପତ୍ର ବଦଳରେ କଳାପଟା ଓ କବାଟର ସାହାରା ନେବା ଆମ ଶିକ୍ଷା ବ୍ୟବସ୍ଥାକୁ ଉପହାସ କରୁନି କି ?