• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରକାର ପିଲାଙ୍କ ପାଠ ପଢ଼ା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏନେଇ ଡେଙ୍ଗୁରା ବି ପିଟୁଛନ୍ତି । ସେଥିପାଇଁ ମଧ୍ୟ ବିଜ୍ଞାପନରେ କୋଟି କୋଟି ଖର୍ଚ୍ଚ ହେଉଛି । ପ୍ରତ୍ୟେକ ବଜେଟ୍‌ରେ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଆଗତ କରାଯାଉଛି । ହେଲେ ବାସ୍ତବରେ ଏହି ଟଙ୍କା ଖର୍ଚ୍ଚ ହେଉଛି କେଉଁଠି ? ତାହା ସାଧାରଣ ଲୋକଙ୍କ ଆଖିରେ ପଡ଼ୁନି । ଏକଥା ଆମେ କହୁ ନାହୁଁ ବରଂ ସରକାରୀ ସ୍କୁଲ ଏବଂ ନୂଆ କରି 5T ଅଧିନରେ ଆସୁଥିବା ସ୍କୁଲର ଅବସ୍ଥା ଦେଖିଲେ ଆପଣ ବି ସମାନ କଥା କହିବେ । ‘ଏତେ ଟଙ୍କା ଯାଉଛି କୁଆଡ଼େ । ଖର୍ଚ୍ଚ ହେଉଛି କେଉଁଠି ?’

କାରଣ ବାରମ୍ବାର ତଥା ବିଭିନ୍ନ ସମୟରେ 5T ସ୍କୁଲକୁ ନେଇ ଯେଉଁଭଳି ଖବର ସାମ୍ନାକୁ ଆସୁଛି । ସେଥିରୁ ଏଭଳି ଆଶଙ୍କା ଆସିବା ସ୍ୱାଭାବିକ କଥା । ନାଁକୁ ମାତ୍ର 5T ସ୍କୁଲ । ଏତେ ନିମ୍ନମାନର କାମ ହେଉଛି ଯେ, ନୂଆ କରି ତିଆରି ହେଉଥିବା କାନ୍ଥ ଭୁଶୁଡ଼ି ପଡ଼ୁଛି । ଘର ଫାଟିଯାଉଛି । ବର୍ଷା ହେଲେ ରଙ୍ଗ ଧୋଇଯାଉଛି । ଏମିତି ଅନେକ ବ୍ୟାତିକ୍ରମ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ନାଁକୁ ମାତ୍ର 5T ସ୍କୁଲ, ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ..

ସେମିତି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାଜପୁରର ଏକ ସ୍କୁଲରେ । ଏଠାରେ ଶିକ୍ଷକ କଳାପଟା ପରିବର୍ତ୍ତେ କବାଟରେ ଲେଖୁଛନ୍ତି ପ୍ରଶ୍ନ । 5ଟି ଅଧୀନରେ ରୂପାନ୍ତରିତ ହୋଇଥିବା ଯାଜପୁର ଧର୍ମଶାଳା ବ୍ଲକ, ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସ୍କୁଲରେ କଳାପଟା ନଥିବାରୁ ଶିକ୍ଷକ ଜଣଙ୍କ ପ୍ରଶ୍ନପତ୍ର କବାଟରେ ଲେଖିଥିଲେ ।

ସୋମବାର ପରି ମଙ୍ଗଳବାର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ପରୀକ୍ଷା ଚାଲିଥିଲା । କିନ୍ତୁ ପ୍ରଶ୍ନପତ୍ର ଯୋଗାଡ଼ ହୋଇ ନପାରିବାରୁ ପିଲାମାନଙ୍କୁ କେବଳ ଉତ୍ତରଖାତା ଦିଆଯାଇଥିଲା । ଆଉ ପ୍ରଶ୍ନ ଗୁଡିକୁ ସ୍କୁଲ କବାଟରେ ଲେଖା ଯାଇଥିଲା । ଏହାକୁ ଦେଖି ପିଲାମାନେ ଉତ୍ତର ଲେଖିଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଏଭଳି ବିଶୃଙ୍ଖଳା ହେଉଛି ବୋଲି ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ କହିଛନ୍ତି । ସେପଟେ ଅସୁବିଧା କାରଣରୁ ପ୍ରଶ୍ନପତ୍ର ଆସିପାରି ନାହିଁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।