• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଛମୂଳେ ଚାଲିଛି ପାଠ ପଢ଼ା । ଆଉ ସେହି ଗଛ ମୁଳେ ବି ଚାଲିଛି ଡାକ୍ତରଖାନା । ଗୋଟିଏ ପଟେ ପିଲାମାନେ ବସି ପାଠ ପଢୁଛନ୍ତି ଆଉ ଅନ୍ୟପଟେ କୁନି କୁନି ପିଲାମାନଙ୍କର ଚାଲିଛି ଚିକିତ୍ସା । ହୁଏତ ଏମିତି କିଛି ଦୃଶ୍ୟ ମନରେ ତିଆରି କଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ହେଲେ ବାସ୍ତବରେ ଠିକ୍‌ ଏମିତି କିଛି ଚିତ୍ର ହିଁ ଦେଖିବାକୁ ମିଳିଛି ।

ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତର କୋଟେଦୁରୁବନ୍ଧ ଗାଁରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଚିତ୍ର । ଯେଉଁଠି ଏକା ସାଙ୍ଗରେ ଚାଲିଛି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା । ଶିକ୍ଷା ଓ ସ୍ୱାସ୍ଥ୍ୟ ପରି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଖୋଜୁଛି ନିଜର ସ୍ଥାୟୀ ଠିକଣା । ଦୁଇଟି ଯାକ ବିଭାଗର ଭିତ୍ତିଭୂମି ନଥିବାରୁ ବାରଣ୍ଡାରେ ଚାଲିଛି ସେବା ।

ଅଧିକ ପଢ଼ନ୍ତୁ: ଗଛ ମୂଳେ ଅଙ୍ଗନୱାଡି : ୧୩ ବର୍ଷ ହେବ ଗଛମୂଳେ ଚାଲିଛି କୁନି ପିଲାଙ୍କ ପାଠପଢା

ଗ୍ରାମରେ ଥିବା ସ୍କୁଲ କମିଟିର ସଭାପତିଙ୍କ ବାରଣ୍ଡାରେ ଏମିତି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଅନ୍ୟପଟେ ଡାକ୍ତର କରନ୍ତି ରୋଗୀଙ୍କ ଚିକିତ୍ସା । ତେଣୁ ଉଭୟ କାମରେ ସମସ୍ୟା ଦେଖାଯାଏ । ହେଲେ ସମାଧାନର ରାସ୍ତା ଏଯାଏଁ ବାହାରି ନାହିଁ । ସ୍କୁଲ ଗୃହ ଓ ଅଙ୍ଗନବାଡି ସେଣ୍ଟର ସହ ମେଡିକାଲ ପାଇଁ ଗାଁ ଲୋକେ ବରାବର ଦାବି ଜଣାଉଛନ୍ତି। ହେଲେ ଦାବି ପୂରଣ ହେଉନି। କେବଳ ପ୍ରତିଶ୍ରୁତି ଦେଇ ପ୍ରଶାସନ ଚୁପ୍‌ ରହୁଛି । ଆଉ ନାନାପ୍ରକାର ଅସୁବିଧାର ସାମ୍ନା କରୁଛନ୍ତି ଅଂଚଳବାସୀ ।

ଆପଣଜାଣି ଆଶ୍ଚର୍ଯ୍ୟ ହେବେ ଆୟୁଷ ଡାକ୍ତର ରାକେଶ ଶର୍ମା ୪୪ ରୁ ଅଧିକ ଗାଁରେ ବୁଲିବୁଲି ଚିକିତ୍ସା କରନ୍ତି । ହେଲେ ମେଡିକାଲ ଏଯାଏଁ ହେଲାନି । ସରକାର ସବୁବେଳେ କହୁଛନ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଆମେ ସର୍ବାଦା ଗୁରୁତ୍ୱ ଦେଉଛୁ କିନ୍ତୁ ବାସ୍ତବରେ ଏହି ଦୁଇଟି ବିଭାଗ କେମିତି ଚାଲିଛି ତାହା ଏହି ଗାଁ ଲୋକଙ୍କ ପଚାରିଲେ ସ୍ପଷ୍ଟ କହିବେ ।

BEO, DEO, ଏପରିକି ଉପଜିଲ୍ଲାପାଳଙ୍କୁ ସ୍କୁଲଟିଏ ପାଇଁ କୁହାଯାଉଛି । ହେଲେ ସ୍କୁଲ ନିର୍ମାଣ ପାଇଁ ଇଟା କି ବାଲି ଏଯାଏଁ ଗାଁରେ ପଡିନି । ତେବେ ସମସ୍ୟା ସମ୍ପର୍କରେ ଆମେ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । ବିଇଓଙ୍କ ସହ କଥା ହୋଇ ନିଷ୍ପତ୍ତି ନେବେ କହି ଫୋନ୍‌ କାଟିଦେଇଥିଲେ କିନ୍ତୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ମୁହଁ ଖୋଲି ନଥିଲେ । ତେବେ ପ୍ରଶାସନର ଉଦାସନୀୟତା ପାଇଁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ ।

(ରିପୋର୍ଟ- ରତ୍ନାକର ପ୍ରଧାନ, ଚିତ୍ରକୋଣ୍ଡା)