/odishatv-khabar/media/post_attachments/uploadimage/library/16_9/16_9_0/anganwadi_1653294970.jpg)
anganwadi
ଘର ଖଣ୍ଡେ ନାହିଁ। ଗଛମୂଳେ ଚାଲିଛି ଅଙ୍ଗନୱାଡି। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୩ ବର୍ଷ ହେବ ଗଛମୂଳେ ହେଉଛି କୁନି କୁନି ପିଲାଙ୍କ ପାଠପଢା। ରାଜଗାଙ୍ଗପୁର ବ୍ଲକ ବଡ ନୂଆଗାଁ ଆଇଏ କଲୋନୀରେ ଏପରି ଦୃଶ୍ୟ ଦେଖିବାକୁ ମିଳଛି। ଗଛମୂଳ ଏବେ କୁନି ପିଲାଙ୍କ ଶ୍ରେଣୀ ଗୃହ ପାଲଟିଛି । ଆଉ ସେଠାରେ ହିଁ ପିଲାମାନେ ଖେଳନ୍ତି ଓ ଖାଆନ୍ତି। ଆଉ ବର୍ଷା ଦିନେ କାହା ପିଣ୍ଡା ଖୋଜାପଡେ।
ଅଙ୍ଗନୱାଡି କେନ୍ଦ୍ରର ଘର ଖଣ୍ଡିଏ ପାଇଁ ରାଜନେତାଙ୍କଠାରୁ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ ଆଜି ଯାଏଁ ଘର ଖଣ୍ଡେ ହୋଇ ପାରି ନାହିଁ। କିଛି ବର୍ଷ ପୂର୍ବେ ଅଙ୍ଗନୱାଡି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ହୋଇ ଗୃହ ନିର୍ମାଣ ପାଇଁ ଖୋଳାଖୋଳି ହୋଇଥିଲା। ଏମିତିକି ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଆସିଥିଲା। ହେଲେ ଘର କାମ ନ ହୋଇ ହଠାତ ସେ ସବୁ କୁଆଡେ ଚାଲିଗଲା ତାହା ଜଣା ନାହିଁ।
ଅସୁରକ୍ଷିତ ଭାବେ ଗଛ ମୂଳେ ପିଲାମାନେ ପଢ଼ୁଥିବାରୁ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ ଆଉ ଛାଡିବାକୁ ରାଜି ନାହାଁନ୍ତି। ଏବେ ମାତ୍ର ପନ୍ଦରଟି ପିଲାଙ୍କୁ ନେଇ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ଏ ନେଇ ରାଜଗାଙ୍ଗପୁର ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି ତଦନ୍ତ କରି ତୁରନ୍ତ ପଦକ୍ଷେପ ନିଆଯିବ।
ସରକାର ଶିଶୁ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଯୋଜନା ଏଠି ବାଟ ମାରଣା । ଆଉ ଗଛ ମୂଳେ ଚାଲିଛି ପାଠପଢ଼ା । ଆଜିର ଶିଶୁ କାଲିର ଭବିଷ୍ୟତ, ଏମିତି ସ୍ଲୋଗାନ ଏଠି ଅଥର୍ହୀନ। ଏଠିକା ପାଠପଢ଼ା ଦେଖିଲେ ମନେ ହୁଏ, ସତରେ କଣ ପିଲାଙ୍କ ଭବିଷ୍ୟତ ଆରମ୍ଭ ଗଛ ମୂଳରୁ ?
ରାଜଗାଙ୍ଗପୁରରୁ ବିଶ୍ଵକେତନ ରାୟଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)