• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସେକାଳେ ଭୋଗୁଥିଲୁ ଆମେ ଯେ କେତେ କ୍ଳେଶ, ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର । ଜାତୀୟ ଧ୍ୱଜା ଆମ ଉଡଇ ଫରଫର । ଅନର୍ଗଳ ଭାବେ ଟିକି ପିଲାଟି ଏଭଳି ବୋଲି ଚାଲିଥିଲା ପଂକ୍ତି । ଗାଇଚାଲିଥିଲା ସ୍ୱାଧୀନ ରାଷ୍ଟ୍ରର ଗର୍ବ ଆଉ ଗୌରବର ଗାଥା । ହେଲେ ଆମ ସରକାର କେବେ ଭାବିଛନ୍ତି କି ଏହି କୁନି କୁନି ପିଲାଙ୍କ କ୍ଲେଶ, ଯନ୍ତ୍ରଣା ଆଉ ଭବିଷ୍ୟତ କଥା ?

ଯଦି ଭାବୁଥାନ୍ତେ, ତାହେଲେ ମନ୍ଦିର ପ୍ରାଙ୍ଗଣରେ ବସି ପାଠ ପଢୁନଥାନ୍ତେ ପିଲାମାନେ । ଏମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ସେହି ତଥାକଥିତ ସ୍ୱପ୍ନିଳ ପ୍ରକଳ୍ପ ସ୍ମାର୍ଟ ସ୍କୁଲଟିଏ ଥାନ୍ତା । ରଙ୍ଗମରା ପରିବେଶରେ ପାଠ ପଢୁଥାନ୍ତେ ପିଲାମାନେ । କିନ୍ତୁ, ସେଭଳି ସୁଯୋଗ ଜୁୂଟିନି ବୋଲି ଆଜିକୁ ୭ ବର୍ଷ ହେଲା କଟକ ଜିଲ୍ଲା ସାଲେପୁର ମୁର୍କୁଣ୍ଡି ଗାଁର ଛାତ୍ରଛାତ୍ରୀ ବାଣେଶ୍ୱରଙ୍କ ମନ୍ଦିରରେ ପାଠପଢୁଛନ୍ତି ।

ପୂର୍ବରୁ ଗାଁ ପିଲାମାନେ ଆଖପାଖ ଗାଁ ସ୍କୁଲକୁ ଯାଇ ପାଠପଢୁଥିଲେ । କିନ୍ତୁ ଗତ ୭ ବର୍ଷ ହେଲା ପିଲାଙ୍କ ପାଇଁ ବାଣେଶ୍ୱରଙ୍କ ମନ୍ଦିର ବାରଣ୍ଡା ସାଜିଛି ଦାଶ ସାହି ପ୍ରାଥମିକ ସ୍କୁଲ । ନା କାନ୍ଥ ଅଛି ନା ପାଚେରୀ । ନିଯୁକ୍ତ ହୋଇଛନ୍ତି ୨ ଜଣ ଶିକ୍ଷକ । ନିୟମିତ ଦରମା ବି ପାଉଛନ୍ତି । ସ୍କୁଲ କହିଲେ କାନ୍ଥକୁ ଡେରା ହୋଇଥିବା ୨ଟି କଳାପଟା ।

ଖରା, ବର୍ଷା, ଶୀତ, ପବନ ଭିତରେ ସେମିତି ବସି ପାଠପଢନ୍ତି ପିଲା । ମନ୍ଦିରରେ ଯଦି କୌଣସି ସ୍ୱତନ୍ତ୍ର ପୂଜାପାଠ କିମ୍ବା ପର୍ବପର୍ବାଣୀ ହେଲା ତ ଠପ୍ ହୋଇଯାଏ ପାଠପଢ଼ା । ସମସ୍ୟାର ମୂଳ କାରଣ ହେଉଛି ଏହି ସ୍କୁଲର ନିଜସ୍ୱ ଜମି ନାହିଁ । ସେଥିପାଇଁ ସ୍କୁଲର ନାମ ଫଳକ ବି ନାହିଁ । ତେବେ ସାଲେପୁର ବ୍ଲକ ଶିକ୍ଷାଧିକାରୀ କହିଛନ୍ତି, ସ୍କୁଲର ନିଜସ୍ୱ ଜମିର ବ୍ୟବସ୍ଥା କଲା ପରେ ଗୃହ ପାଇଁ ପଦକ୍ଷେପ ନିଆଯିବ ।

ସାଲେପୁର ମୁର୍କୁଣ୍ଡି ଗାଁ ପିଲାଙ୍କ ପାଇଁ ସ୍ମାର୍ଟସ୍କୁଲ ତ ଦୂରର କଥା ସ୍କୁଲ ଖଣ୍ଡେ ନଥିବାବେଳେ ଯେଉଁଠି ସ୍କୁଲକୁ ସ୍ମାର୍ଟ କରାଯାଇଛି ତାର ଅବସ୍ଥା ନ କହିବା ଭଲ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟର ସ୍ଥିତି ଦେଖିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଏଠି ସ୍ମାର୍ଟବୋର୍ଡ ନାହିଁ ବୋଲି ଆଲମିରାରେ ଚକ୍‌ରେ ଲେଖି ପାଠ ବୁଝାଉଛନ୍ତି ଶିକ୍ଷୟିତ୍ରୀ । ସାହିତ୍ୟ, ଗଣିତ ହେଉ କି ବିଜ୍ଞାନ । ଏମିତି ପ୍ରତ୍ୟେକ ବିଷୟକୁ ଆଲମାରୀର ଦୁଇ କବାଟରେ ଲେଖି ଜଣଙ୍କ ପରେ ଜଣେ ଶିକ୍ଷୟିତ୍ରୀ ଆସି ପାଠ ପଢ଼ାଉଛନ୍ତି । ଦିନେ କି ଦୁଇ ଦିନ ନୁହଁ, ମାସ ମାଧ ଧରି ଚାଲିଛି ଏଭଳି ପାଠପଢ଼ା । ଗଢ଼ାଯାଉଛି ଦେଶର ଭବିଷ୍ୟତ ମାନଙ୍କ ଭାଗ୍ୟ ।

ୟେ ତ ଜାଣିଲେ କ୍ଲାସରୁମ୍‌ର ଦୁର୍ଦ୍ଦଶା । ଶୌଚାଳୟର ଅବସ୍ଥା ତହିଁରୁ ବଳକା । ଭାଙ୍ଗିରୁଜି ଚୁରମାର ହୋଯାଇଛି ଶୌଚାଳୟ । ଖତ ଖାଇବା ଭଳି ଅବସ୍ଥାରେ ଟେବୁଲ, ଚଉକି ଏବଂ ଆଲମାରୀ । ଚାରିଆଡ଼େ ଭଙ୍ଗା ଦଦରା ଚିତ୍ର । ଏହି ସ୍ମାର୍ଟସ୍କୁଲ ପାଇଁ କୁଆଡ଼େ ୪୫ ଲକ୍ଷ ଖର୍ଚ୍ଚ ହୋଇଛି । ଅଥଚ ଏଭଳି ପରିବେଶରେ ନିଜର ଭବିଷ୍ୟତ ଗଢୁଛନ୍ତି ନବମ ଓ ଦଶମ ଶ୍ରେଣୀର ୧୧୧ ଜଣ ପିଲା ।