• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚଣ୍ଡେଶ୍ୱରରେ ମର୍ଡର । ହରିପୁରରେ ଡେଡ୍‌ବଡି ଡିସ୍‌ପୋଜ୍ । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଅନ୍ୟ କେହି ନୁହେଁ ଖୋଦ୍ ସ୍ତ୍ରୀ । ଗତକାଲି ଦିନତମାମ ଖୋର୍ଦ୍ଧା ଜିଲ୍ଲା ରେ ଚାଞ୍ଚଲ୍ୟ ଖେଳାଇଥିବା ଟ୍ରଲିବ୍ୟାଗ୍‌ରୁ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ୍ । ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି-ନାଚୁଣୀ ଥାନା ହରିପୁର ଜଙ୍ଗଲରୁ ଏକ ବନ୍ଦ ଟ୍ରଲିବ୍ୟାଗରୁ ମିଳିଥିବା ମୃତ ଯୁବକ ମନୋରଞ୍ଜନ ମହାପାତ୍ରର ହତ୍ୟାକାରୀମାନେ ହେଲେ ତା ପତ୍ନୀ ମିଲି, ଶଳା ମିଟୁ ଓ ମିଟୁର ସାଙ୍ଗ ବିକ୍ରମ ।

ମିଲି ଓ ମିଟୁର ଘର ରାଜଜଙ୍କିଆରେ ହୋଇଥିବା ବେଳେ ବିକ୍ରମର ଘର ଟାଙ୍ଗିରେ । ରଣପୁର ଲାଖପଡ଼ା ଗାଁର ମନୋରଞ୍ଜନ ମହାପାତ୍ର ଗାଁ ଛାଡ଼ି ପତ୍ନୀ ମିଲି ସହ ଚଣ୍ଡେଶ୍ୱରରେ ଘର ଭଡ଼ା ନେଇ ରହୁଥିଲା । ସେଠାରେ ପତ୍ନୀ ମିଲିକୁ ସବୁବେଳେ ମାରଧର କରୁଥିଲା । ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ମିଲି ଯୋଜନାବଦ୍ଧ ଭାବେ ନିଜ ଭାଇ ମିଟୁ ଓ ଭାଇର ସାଙ୍ଗ ବିକ୍ରମକୁ ଡାକି ହତ୍ୟା ଯୋଜନା କରିଥିଲା । ଏକ ରଶିରେ ମନୋରଞ୍ଜନର ତଣ୍ଟି ଚିପି ମାରିଥିବା ସ୍ୱୀକାର କରିଛନ୍ତି ଅଭିଯୁକ୍ତ । ପରେ ଚାନ୍ଦପୁର ବଜାରରୁ କିଣିଥିବା ଏକ ନୂଆ ଟ୍ରଲିବ୍ୟାଗରେ ଡେଡ୍‌ବଡିକୁ ଭର୍ତ୍ତି କରିଥିଲେ । ଟ୍ରଲି ବ୍ୟାଗ୍ କିଣାଯିବା ସମୟର ସିସିଟିଭି ଚିତ୍ର ବି ଜବତ କରାଯାଇଛି । ସେଲସ୍ମ୍ୟାନ୍ ବ୍ୟାଗ ଦେଖାଇବା ପରେ ଏହାର ଚେନ୍ ଓ ଲକ୍‌କୁ ଚେକ୍ କରିଥିଲେ ବିକ୍ରମ । ଯାହାକି ଫୁଟେଜ୍‌ରୁ ସ୍ପେଯ ଜଣାପଡ଼ୁଛି । 

ଅଧିକ ପଢ଼ନ୍ତୁ: କାନ୍ଦି କାନ୍ଦି ଯିଏ ଗଡୁଥିଲା, ସେଇ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ

ପରେ ଏକ ବାଇକ୍‌ରେ ଡେଡ୍‌ବଡ଼ି ଥିବା ଟ୍ରଲିବ୍ୟାଗକୁ ନେଇ ନାଚୁଣୀ ନିକଟ ହରିପୁର ରୋଡ୍‌ରେ ଫିଙ୍ଗି ଦେଇଥିଲେ । ସିସିଟିଭି ଫୁଟେଜ୍‌ରୁ କ୍ଲୁ ପାଇ ସିଧା ହତ୍ୟାକାରୀଙ୍କ ପାଖରେ ପହଞ୍ଚି ପାରିଥିଲା ପୋଲିସ୍ । ପରେ ସେମାନଙ୍କୁ ଗିରଫ କରି କ୍ରାଇମ୍ ସିନ୍ ରିକ୍ରିଏଟ୍ ବି ହୋଇଛି । 

ଖୋର୍ଦ୍ଧା ଏସ୍‌ପି ଆହୁରି ମଧ୍ୟ କହିଛନ୍ତି, ହତ୍ୟାର ଶିକାର ମନୋରଞ୍ଜନ ମହାପାତ୍ର ଜଣେ ପେଷାଦାର ଅପରାଧୀ । ଜିଲ୍ଲାର ବିଭିନ୍ନ ଥାନାରେ ତା ବିରୋଧରେ ମାମଲା ସହ ଜାମିନ ବିହୀନ ପରଓ୍ୱାନା ବି ରହିଛି । ମନୋରଞ୍ଜନ ତା ବାପା-ମାଆଙ୍କଠୁ ଅଲଗା ହୋଇ ଚଣ୍ଡେଶ୍ୱରରେ ପତ୍ନୀ ସହ ଘର ଭଡ଼ା ନେଇ ରହୁଥିଲା । ଯଦିଓ ବିଭିନ୍ନ ସମୟରେ ସୋସିଆଲ୍ ମିଡିଆରେ ସେ କିଛି କିଛି ବିରୋଧାତ୍ମକ ପୋଷ୍ଟ କରିଛି, ହେଲେ ପତ୍ନୀ ସହ ନିୟମିତ ଝଗଡ଼ା ହିଁ ହତ୍ୟାର ମୁଖ୍ୟ କାରଣ । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତରେ ଯେ କେହି ବି ହତ୍ୟାକାଣ୍ଡରେ ସଂପୃକ୍ତ ଜଣାପଡ଼ିବେ, ସେମାନଙ୍କ ବିରୋଧରେ ଆକ୍ସନ ହେବ ବୋଲି ଖୋର୍ଦ୍ଧା ଏସ୍‌ପି କହିଛନ୍ତି ।

ସେପଟେ ମୃତ ମନୋରଞ୍ଜନର ବାପା-ମାଆ ବି ମାନିଛନ୍ତି ପୁଅ-ବୋହୁ ତାଙ୍କଠାରୁ ଅଲଗା ରହୁଥିଲେ । କିଛି ଦିନ ତଳେ ଏକ ଜମି ବିକ୍ରି କରି ପୁଅକୁ ପ୍ରାୟ ସାଢ଼େ ୬ଲକ୍ଷ ଟଙ୍କା ଭାଗ ଦେଇଥିଲେ, ଉକ୍ତ ଟଙ୍କା ବୋହୁ ମିଲିର ଆକାଉଣ୍ଟକୁ ଯାଇଥିଲା । ତେଣୁ ପୁରା ଟଙ୍କା ହଡପ୍ କରିବା ଉଦ୍ଦେଶ୍ୟରେ ତାଙ୍କ ପୁଅକୁ, ବୋହୁ ଓ ତା ଭାଇ ମିଶି ହତ୍ୟା କରିଥାଇ ପାରନ୍ତି ବୋଲି ସେମାନଙ୍କ ସନ୍ଦେହ ବଢ଼ିଛି । ତେବେ ପୋଲିସ ଘଟଣାର ରହସ୍ୟ ଉନ୍ମୋଚନ କରି ସବୁ ଦୋଷୀଙ୍କୁ ଉଚିତ୍ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି ।