ଯାଜପୁର ଜିଲ୍ଲାର ପାଣିକୋଇଲି ଅଞ୍ଚଳ ଏବେ ଚର୍ଚ୍ଚାରେ । ଏଠି ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବାର ଅଭିଯୋଗ ହେଉଛି । ଶନିବାର ଦୁର୍ବୃତ୍ତଙ୍କ ଗୁଳିରେ ଦିନ ଦ୍ୱିପ୍ରହରରେ ଦୁଇଜଣ ପ୍ରାଣ ହରାଇଛନ୍ତି । ଏଭଳି ଘଟଣା ଯାଜପୁର ଜିଲ୍ଲାରେ ଆଗରୁ କେବେ ଘଟିନଥିଲା । ତେବେ କେବଳ ଏହି ଘଟଣା ନୁହେଁ, ଗତ ୨ ତାରିଖରେ ଠିକ୍ ନୂଆ ବର୍ଷ ପରଦିନ ରାତିରେ ପାଣିକୋଇଲି ସରପଞ୍ଚଙ୍କ ପରିବାରର ସଦସ୍ୟଙ୍କ ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣ କରିଛନ୍ତି ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ସମର୍ଥକ ତଥା ରାଜ୍ୟ ଛାତ୍ର ବିଜେଡିର ସାଧାରଣ ସଂପାଦକ ଦେବବ୍ରତ ମହାପାତ୍ର । ଆକ୍ରମଣ ସମୟରେ ଦେବବ୍ରତଙ୍କ ସହ ଅନ୍ୟମାନେ ମଧ୍ୟ ଥିଲେ । ଥାନାରେ ଏ ସଂପର୍କରେ ଏତଲା ଦେଇଛନ୍ତି ପାଣିକୋଇଲି ସରପଞ୍ଚ ପଦ୍ମାବତୀ ପଣ୍ଡା ।
ପଦ୍ମାବତୀଙ୍କ ଅଭିଯୋଗ ଅନୁଯାୟୀ, ଆକ୍ରମଣକାରୀମାନେ ବିଜେଡିର ଗୁଣ୍ଡା । ସେମାନଙ୍କ ମଧ୍ୟରୁ ସେ ଦେବବ୍ରତଙ୍କୁ ଚିହ୍ନିଛନ୍ତି । ଗତ ୨ ତାରିଖ ବିଳମ୍ବିତ ରାତିରେ ତାଙ୍କ ପରିବାର ସଦସ୍ୟଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ l ସରପଞ୍ଚ ଓ ତାଙ୍କ ପରିବାରର ସଦସ୍ୟମାନେ କୁଆଖିଆ ମହୋତ୍ସବରୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା l ଗାଡିରେ ସରପଞ୍ଚ ଥିବା ଭାବି ପାଣିକୋଇଲି ଛକ ନିକଟରେ ଦୁର୍ବୃତ୍ତମାନେ ଅନ୍ୟ ଏକ ଗାଡିରେ ଆସି ତାଙ୍କ ଗାଡି ସମ୍ମୁଖରେ ଅଟକି ଥିଲେ l ହଠାତ ଗାଡ଼ିରୁ କିଛି ଯୁବକ ବାହାରି ସରପଞ୍ଚଙ୍କ ଗାଡ଼ିରେ ଥିବା ତାଙ୍କ ପରିବାର ଲୋକଙ୍କୁ ସରପଞ୍ଚ କାହିଁ ବୋଲି ପଚାରିବା ସହ ବିଭିନ୍ନ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ l ସରପଞ୍ଚଙ୍କୁ ନପାଇ ଦୁର୍ବୃତ୍ତମାନେ ଗାଡ଼ିରେ ଥିବା ତାଙ୍କ ଦିଅର ଉପରେ ଆକ୍ରମଣ କରିଥିଲେ l ଭୟଭୀତ ଅବସ୍ଥାରେ ପରିବାର ଲୋକେ ଅନ୍ୟ ଏକ ଗାଡ଼ିରେ ଆସୁଥିବା ସରପଞ୍ଚଙ୍କୁ ଫୋନ କରିଥିଲେ l ତୁରନ୍ତ ସରପଞ୍ଚ ପରିବାର ଲୋକଙ୍କ ପାଖରେ ଆସି ପହଞ୍ଚିଥିଲେ । ଏହି ସମୟରେ କିଛି ଲୋକ ମଧ୍ୟ ଆସି ପହଞ୍ଚିଯାଇଥିଲେ । ଫଳରେ ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ ।
ଅଧିକ ପଢ଼ନ୍ତୁ: ନବୀନ ନିବାସରେ ବଡ଼ ହଲଚଲ୍; ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର, ଚାଲିଛି ସମାନ୍ତରାଳ ସଂଗଠନ!
ତେବେ ବିଜେଡିର ଛାତ୍ରନେତା ଦେବବ୍ରତଙ୍କୁ ଘଟଣାସ୍ଥଳରେ ଦେଖିଥିଲେ ସରପଞ୍ଚ । ଏହି ଆକ୍ରମଣ ବିଜେଡିର କିଛି ଗୁଣ୍ଡାଙ୍କ ଦ୍ୱାରା କରାଯାଇଥିବା ସେ ଅଭିଯୋଗ କରିଛନ୍ତି l ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଦେବବ୍ରତ ଆକ୍ରମଣ କରିଥିବାରୁ ଏହା ପଛରେ ପ୍ରଣବଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସୁଛି । ଏହି ଆସନରୁ ପୂର୍ବରୁ ପ୍ରଣବଙ୍କ ବାପା ସ୍ୱର୍ଗତ ଅଶୋକ ଦାସ ନିର୍ବାଚନ ଲଢି ଜିତୁଥିଲେ । ଗତ ନିର୍ବାଚନରେ ପ୍ରଣବଙ୍କ ମାଆ ସଂଧ୍ୟାରାଣୀ ଦାସ ଏହି ଆସନରୁ ବିଜେଡି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ।
ପୋଲିସ୍ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଆକ୍ରମଣର କାରଣ ସଂପର୍କରେ ସରପଞ୍ଚ କହିଛନ୍ତି ଯେ, ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ସରପଞ୍ଚ ଭାବେ ଜିତିଛନ୍ତି । ସେ କୌଣସି ଦଳର ସମର୍ଥନରେ ଜିତିନାହାନ୍ତି । କିନ୍ତୁ ତାଙ୍କର ଶ୍ୱଶୁର ବିଜେଡିର ଜଣେ କର୍ମୀ ଥିଲେ । ପଦ୍ମାବତୀ ଏବେ ବିଜେପିରେ ଯୋଗ ଦେଇଛନ୍ତି । ଏହି କାରଣରୁ ବିଜେଡି ନେତାମାନେ ଉତକ୍ଷିପ୍ତ ହୋଇଥିବା ସେ କହିଛନ୍ତି । ତେବେ ଏ ସଂପର୍କରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଅଧିକ ପଢ଼ନ୍ତୁ: ପୋଲିସକୁ 'ପାଣିକୋଇଲି' ଚ୍ୟାଲେଞ୍ଜ, ୨୪ ଘଣ୍ଟା ପରେ ବି ଧରା ପଡ଼ିନାହାନ୍ତି ଫେରାର ଲୁଟେରା
- Reported by:
- JANMEJAY DASH