• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯାଜପୁର ପାଣିକୋଇଲି ଜୁଏଲାରୀ ଲୁଟ୍ ଓ ଫାୟାରିଂ ପଛରେ ରହିଛି କି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ? ୨୪ ଘଣ୍ଟା ବିତିଥିଲେ ବି ଫେରାର୍ ଲୁଟେରାଙ୍କ ପାଖରେ ପହଞ୍ଚି ପାରିନି ପୋଲିସ । ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ STF । ସେପଟେ ଗୁଳି ବାଜି ପ୍ରାଣ ହରାଇଥିବା ନୀଳମାଧବ ପଣ୍ଡାଙ୍କୁ ଗାଁରେ ଦିଆଯାଇଛି ଶୋକାକୂଳ ବିଦାୟ ।

ଏଣେ ୨ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସବୁ ଭିତରେ, ଯାଜପୁରରେ ବାରମ୍ବାର ଲୁଟ୍ ଓ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାକୁ ନେଇ ପ୍ରକାଶ ପାଇଛି କ୍ଷୋଭ ଓ ଅସନ୍ତୋଷ । କାଲି ଦିନ ଦ୍ୱିପହରରେ ଆତଙ୍କରାଜ... ବନ୍ଧୁକ ମୁନରେ ଡକାୟତି... ଖୁଲ୍ଲମଖୁଲ୍ଲା ଫାୟାରିଂ...

ଆଉ ଆଜି କ୍ରାଇମ୍ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ STFର ଛାନଭିନ୍ । ଯାଜପୁର ପାଣିକୋଇଲିରେ ଜୁଏଲାରୀ ଦୋକାନ ଲୁଟ୍ ଓ ଗୁଳିକାଣ୍ଡ ଘଟଣାକୁ ୨୪ ଘଣ୍ଟା ବିତିଥିଲେ ବି, ୩ ଫେରାର୍ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇନି ପୋଲିସ । ପଡ଼ୋଶୀ ଜିଲ୍ଲାକୁ ଆଲର୍ଟ କରି ଚାରିଆଡ଼େ ଜାଲ ବିଛାଇବା ସହ, ଲୁଟେରାଙ୍କ ଜନ୍ମକୁଣ୍ଡଳୀ ବାହାର କରିବାକୁ ଚାଲିଛି ଜୋରଦାର କସରତ ।

ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ସହାୟତାରେ ଘଟଣାର ତଦନ୍ତ କରୁଛନ୍ତି ସ୍ପେସାଲ୍ ଟାସ୍କ ଫୋର୍ସର ୩ ଜଣିଆ ଟିମ୍ । ଘଟଣାସ୍ଥଳକୁ ସିଲ୍ କରାଯିବା ସହ, ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ ଚାଲିଛି । କେନ୍ଦ୍ରାଞ୍ଚଳ ଡିଆଇଡି ଓ ଯାଜପୁର SPଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଏସପି, ଏସଡିପିଓ, ଦୁଇ IIC ବି ଘଟଣାସ୍ଥଳରେ ତନାଘନା ଚଳାଇଛନ୍ତି ।

ଜବତ ବାଇକଟି ବରଗଡ଼ ଜିଲ୍ଲାର ଏବଂ କାବୁ ହୋଇଥିବା ଦୁଇ ଲୁଟେରା ବିହାର ଓ ଝାଡ଼ଖଣ୍ଡର ବୋଲି ସୂଚନା ମିଳିଛି । ସେମାନେ ଏବେ ବି କଟକ ଏସସିବିରେ ଚିକିତ୍ସାଧୀନ ଥିବା ବେଳେ, ସେମାନଙ୍କୁ ପୋଲିସ ହେପାଜତକୁ ନେଇଛି । ଏତେ ଛାନଭିନ, ତନାଘନା, କସରତ ପରେ ବି କାହିଁକି ପୋଲିସ ହାତ ଖାଲି ?

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ନିଶାନା, 'ଯାଜପୁରରେ ରାଜନୈତିକ ରାବଣଙ୍କ ସହ ପରିବାରବାଦର ମଧ୍ୟ ଅନ୍ତ'

କେଉଁଠି ଲୁଚିଛନ୍ତି ଫେରାର୍ ୩ ଲୁଟେରା? ଏହାପଛରେ ରହିଛି କି କୌଣସି ବଡ଼ ଆନ୍ତରାଜ୍ୟ ଗ୍ୟାଙ୍ଗର ହାତ ? ଏହି ଘଟଣାରେ କେବଳ ସେମାନେ ସଂପୃକ୍ତ, ନା ରହିଛି ଅନ୍ୟ କୌଣସି ସ୍ଥାନୀୟ ଲୋକଙ୍କ ସଂପୃକ୍ତି? ପୋଲିସ ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିଲେ ବି, ଯାଜପୁରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାକୁ ନେଇ ଖପ୍ପା ସ୍ଥାନୀୟ ବାସିନ୍ଦା ।

ବର୍ଷକ ତଳେ ଯାଜପୁର ରୋଡ୍‌ର ଆଉ ଏକ ବଡ଼ ଅଳଙ୍କାର ଦୋକାନରେ ବି ଡକାୟତି ହୋଇଥିଲା । ହେଲେ ଅପରାଧୀଙ୍କ ଜଣେ ସହଯୋଗୀକୁ ଧରି ପୋଲିସ ଚୁପ୍ ବସିଥିବା ଅଭିଯୋଗ ହେଉଥିବା ବେଳେ, ପୁଣି ଦିନ ଦ୍ୱିପହରରେ ଜନଗହଳି ସ୍ଥାନରେ ଏଭଳି ଆତଙ୍କରାଜ ଯାଜପୁର ତଥା ଓଡ଼ିଶା ପୋଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ ବୋଲି କୁହାଯାଉଛି ।

ତେବେ ପାଣିକୋଇଲି ଲୁଟ୍ ଘଟଣାର ଆଉ ଏକ କରୁଣ ଦିଗ ହୋଉଛି, ସାହସୀ ଓ ମେଳାପି ପୁଅକୁ ହରାଇ ଲୁହରେ ଭାସୁଛି ସୋତି ଗାଁ । ଗତକାଲି ଲୁଟେରାଙ୍କୁ କାବୁ କରିବାକୁ ଯାଇ, ସେମାନଙ୍କ ଗୁଳିର ଶିକାର ହୋଇଥିଲେ ନୀଳମାଧବ ପଣ୍ଡା । ଆଜି ଗାଁରେ ତାଙ୍କ ମରଶରୀର ପହଞ୍ଚିବା ବେଳକୁ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶେ ।

ଶହ ଶହ ସଂଖ୍ୟାରେ ଲୋକ ଶେଷଯାତ୍ରାରେ ସାମିଲ ହେବା ସହ, ନୀଳମାଧବ ଅମର ରହେ ନାରା ଦେଇଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିବା ବେଳେ, ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିଧାୟକ ଆକାଶ ଦାସ ନାୟକ । ଗତକାଲି ଲୁଟେରାଙ୍କ ଗୁଳିରେ ଜୁଏଲାରୀ ଦୋକାନର ଜଣେ କର୍ମଚାରୀ ସୁନୀଲ ରାୟଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ବେଳେ, ଆଉ ଜଣେ କର୍ମଚାରୀ ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି ।

ତେବେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ୨ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ସ୍ପା ସେଣ୍ଟରରେ ଅଚାନକ ଚଢାଉ, ଅସଞ୍ଜତ ଅବସ୍ଥାରେ ଧରାହେଲେ ଯୁବକ ଯୁବତୀ

OTV is now on Whatsapp

Join and get latest news update delivered to you via whatsapp

Join Now