• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଙ୍ଗାରୁଜା, ପୋଡ଼ାଜଳା, ରାସ୍ତାରୋକ । ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧୀନରେ ଏକ ହାତୀ ଶିକାର ଓ ଏହାର ଦାନ୍ତ ଚୋରି ଅଭିଯୋଗରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଲଙ୍କାକାଣ୍ଡ । ପୁରା ଘଟଣାଟି ହେଲା, ଆଠଗଡ଼ ଥାନା ବଡ଼ମ୍ବା ରେଞ୍ଜ୍ ଅନ୍ତର୍ଗତ ସାତଗୋଛିଆ ଗାଁର ଧନେଶ୍ୱର ବେହେରାଙ୍କୁ ଗତକାଲି ରାତିରେ ଉଠାଇ ନେଇଥିଲା ବନ ବିଭାଗର ସ୍କ୍ୱାଡ୍ ।

ଅଭିଯୋଗ ହୋଇଛି, ଧନେଶ୍ୱରଙ୍କୁ ବନ ବିଭାଗ ଟିମ୍ ଏକ ଅଜଣା ସ୍ଥାନରେ ରଖି ପ୍ରବଳ ମାଡ଼ ମାରିବା ସହ ଥାର୍ଡ ଡିଗ୍ରୀ ବି ଦେଇଥିଲା । ଫଳରେ ଆଜି ସକାଳେ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପାଇଥିଲେ ଗାଁ ଲୋକେ। ଏହାପରେ ବନ ବିଭାଗ ଉପରେ ତାତିଥିଲେ ସ୍ଥାନୀୟ ଲୋକେ । କିଛି ଲୋକ ତୁରନ୍ତ ସ୍ଥାନୀୟ ବାଣପୁର ବିଟ୍ ହାଉସକୁ ଯାଇ ସେଠାରେ ଭଙ୍ଗାରୁଜା ସହ ଘରେ ନିଆଁ ଲଗାଇ ଦେଇଥିଲେ । ଏପଟେ ଆଉ କିଛି ଉତ୍ୟକ୍ତ ଲୋକେ କ୍ଷତିପୂରଣ ଓ ଦାୟୀ ବନ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବଡ଼ ବାରାସିଂହା ଛକଠାରେ ୬୫ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅଚଳ ରଖିଥିଲେ ।

ଏଣେ ବନ ବିଭାଗ ହେପାଜତରେ ଥାଇ ଅଭିଯୁକ୍ତର ମୃତ୍ୟୁ ଏବଂ ଅନ୍ୟପଟେ ଜନତାଙ୍କ ଆକ୍ରୋଶକୁ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ତିଗିରିଆ ପୋଲିସ । ଧନେଶ୍ୱରଙ୍କୁ ଉଠାଇ ନେଇ ଜେରା କରିଥିବା ଟିମର ୨ ଜଣ ACF ଓ ବଡ଼ମ୍ବା ରେଞ୍ଜରଙ୍କ ସମେତ ମୋଟ ୧୦ ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଥିଲା। ସେପଟେ ରାସ୍ତାରୋକ କରିଥିବା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସେମାନଙ୍କ ଦାବି ନେଇ ଆଲୋଚନା କରିଥିଲେ ଆଠଗଡ଼ ଏସଡିପିଓ ଓ ବଡମ୍ବା ତହସିଲଦାର ।

ଦୀର୍ଘ ସମୟ ଧରି ଆଲୋଚନା ପରେ ମୃତକଙ୍କ ପରିବାରରୁ ଜଣକୁ ଚାକିରି ସହ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାରୁ ପ୍ରାୟ ୫ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା । ଏପଟେ ବନ ବିଭାଗ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ କେମିତି ହେଲା, ଏବଂ ଏ ଘଟଣା ପାଇଁ କିଏ ଦାୟୀ, ତାର ତଦନ୍ତ କରିବାକୁ କଞ୍ଜରଭେଟର ରାଙ୍କର ଜଣେ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ । 

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ମାମଲାରେ ତଦନ୍ତକୁ ଆଗକୁ ନେବାକୁ ପୋଲିସ ଏବେ ମୃତ ଧନେଶ୍ୱରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ସେପଟେ 
ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଆଠଗଡ଼ରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।