• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବ ଦାସଙ୍କ ଭଳି ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କାହିଁକି ଗୁଳି କରିଦେଲା ସାଧାରଣ ପୋଲିସ କର୍ମଚାରୀଟିଏ ? ବ୍ରଜରାଜନଗରର କ୍ରାଇମସ୍ପଟ୍‌ରୁ କ୍ରିମିନାଲ୍‌ର ବ୍ରହ୍ମପୁର ଘର ଯାଏଁ ଛାନ୍‌ଭିନ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ଫରେନ୍ସିକ୍ ଟିମ୍ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ ପ୍ରମାଣ ଗୋଟାଇଛନ୍ତି ବୋଥ୍ରା ଆଣ୍ଡ କୋ । ପୋଲିସ ଚାକିରିରୁ ବହିଷ୍କୃତ ଗୋପାଳକୃଷ୍ଣ ଦାସ ହିିଁ ନବ ଦାସଙ୍କ ହତ୍ୟାକାରୀ ବୋଲି କହିଥିବା କ୍ରାଇମବ୍ରାଞ୍ଚ ଆଜି ତୃତୀୟ ଦିନରେ ବି ପ୍ରମାଣ ଯୋଗାଡ଼ ପାଇଁ ବେଶ୍ ଝାଳବୁହାଇଛି ।

ବ୍ରଜରାଜନଗରର ସେହି ଗାନ୍ଧୀଛକ । ଯେଉଁଠି ଆତତାୟୀ ଗୋପାଳର ଅନ୍ଧାଧୂନ ଫାୟାରିଂରେ ଟଳିପଡ଼ିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେହି କ୍ରାଇମସ୍ପଟ୍‌ରେ ଆଜି ଥ୍ରୀଡି ଲେଜର୍ ସ୍କାନିଂ କରିଛି କ୍ରାଇମବ୍ରାଞ୍ଚ । ରାସ୍ତାର ଉଭୟ ପଟୁ ଯାନବାହନ ଚଳାଚଳକୁ ବନ୍ଦ ରଖି ତଦନ୍ତରେ ସହାୟକ ପାଇଁ ୩୬୦ ଡିଗ୍ରୀ ଆଙ୍ଗଲ୍‌ରୁ ଫଟୋ ଉଠାଇଛି । ତେଣେ ଝାରସୁଗୁଡ଼ା ରେ ନବ ଦାସଙ୍କ ସରକାରୀ ଗାଡ଼ିର ଡ୍ରାଇଭର ଓ ପିଏସ୍ଓଙ୍କଠୁ ତଥ୍ୟ ଆଦାୟ କରିଛନ୍ତି କ୍ରାଇମବ୍ରାଞ୍ଚ୍ ଏଡିଜି ଅରୁଣ ବୋଥ୍ରା । ଗୁଳିକାଣ୍ଡ ସମୟରେ କଣ ଦେଖିଥିଲେ ପିଏସ୍ଓ ? ଘଟଣାବେଳେ ନବ ଦାସଙ୍କ ପାଖରେ ଥିଲେ ନା ନାହିଁ ? ଆଗରୁ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ ପିଏସ୍ଓ ଏବଂ ଡ୍ରାଇଭର ଜାଣିିଥିଲେ କି ? ଏସବୁ ଦିଗକୁ ଧରି କ୍ରାଇମବ୍ରାଞ୍ଚ୍ ଏଡିଜି ତଥ୍ୟ ଆଦାୟ କରିଛନ୍ତି ।

ଏପଟେ ବ୍ରହ୍ମପୁର ବିଏନ୍‌ପୁର ଥାନା ଜଳେଶ୍ୱରପୁରକୁ ଯାଇ ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚ ଟିମ୍ ଛାନ୍‌ଭିନ୍ କରିଛି । ଗୋପାଳଙ୍କ ପତ୍ନୀ ଓ ପରିବାର ସଦସ୍ୟଙ୍କୁ ଦେଢ଼ ଘଣ୍ଟା ଧରି ବିିଭିନ୍ନ ପ୍ରଶ୍ନ ପଚାରିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।

ଅଧିକ ପଢ଼ନ୍ତୁ: ନବ ହତ୍ୟା ମାମଲାରେ ତେଜିଲା ରାଜନୀତି ! ଚୁପ୍‌ କାହିଁକି ମୁଖ୍ୟମନ୍ତ୍ରୀ ? ମୁହଁ ଖୋଲୁ ନାହାନ୍ତି DGP...

ତଦନ୍ତ ଯେତିକି ବଢୁଛି, ସେତିକି ବଢ଼ିଚାଲିଛି ରହସ୍ୟ । ଏତେ ବଡ଼ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡରେ ଗୋପାଳଙ୍କୁ ଆଉ କିଏ ସହଯୋଗ କରିଥିଲା ? ତାକୁ ନେଇ ଖୋଳତାଡ଼ ଭିତରେ ସାମ୍ନାକୁ ଆସିଛି ଗୋପାଳଙ୍କ ବଡ଼ଭାଇଙ୍କ ଚେହେରା । ଯିଏ ବ୍ରଜରାଜନଗରରେ ଚଳାଇଥିଲେ ହୋଟେଲ୍ ବ୍ୟବସାୟ । ଗତ ପ୍ରାୟ ମାସେ ତଳେ ଜଣେ ବ୍ୟକ୍ତିଙ୍କଠୁ ଦୋକାନ ଘରକୁ ଭଡ଼ାରେ ନେଇ ହୋଟେଲ୍ ଚଳାଇଥିଲେ ଗୋପାଳଙ୍କ ବଡ଼ଭାଇ । ଯାହାର ନାଁ ରଖିଥିଲେ ବ୍ରହ୍ମପୁର ହୋଟେଲ୍ ଏବଂ ସେଇଠି ମିଲ୍ସ, ଫାଷ୍ଟଫୁଡ୍ ଖାଦ୍ୟ ସହ ଆଚାର ପାମ୍ପଡ଼ ବ୍ୟବସାୟ କରୁଥିଲେ ।

ଆଶ୍ଚର୍ଯ୍ୟର କଥା ହେଉଛି, ଶନିବାର ଯାଏଁ ଖୋଲାଥିବା ହୋଟେଲ ରବିବାର ସକାଳୁ ହିଁ ବନ୍ଦ ହୋଇଯାଇଛି । ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟ୍‌ରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ପୂର୍ବରୁ ହିଁ ତାଲା ପକାଇ ଦିଆଯାଇଛି । ତେବେ ମାମଲା ପଛରେ ଏହା ସଂଯୋଗ ନା ବଡ଼ଭାଇଙ୍କ ବି ମିଳିତ ଷଡ଼ଯନ୍ତ୍ର ? ତାକୁ ନେଇ ନାନା ଚର୍ଚ୍ଚା ଭିତରେ ବ୍ରହ୍ମପୁର ଜଳେଶ୍ୱରପୁର ଘରୁ ଗୋପାଳଙ୍କ ସେହି ବଡ଼ଭାଇଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ ।

ଗୋଟିଏ ପଟେ ଚାଲିଛି ହତ୍ୟାର କାରଣ ଖୋଜା ତ ଆଉ ଗୋଟାଏ ପଟେ ଚାଲିଛି ପ୍ରମାଣ ଖୋଜା । ୨ଟି ଦିଗକୁ ଧରି ଝାଳବୁହାଉଥିବା କ୍ରାଇମବ୍ରାଞ୍ଚ ଜବତ ୯ ଏମ୍ଏମ୍ ପିସ୍ତଲ, ୩ ରାଉଣ୍ଡ ଅଫୁଟା ଗୁଳି, ଖୋକା, ଗୋପାଳଙ୍କ ୟୁନିଫର୍ମ ଏବଂ ମନ୍ତ୍ରୀଙ୍କ ରକ୍ତଭିଜା ସାର୍ଟକୁ ଧରି ସୁରାଗ୍ ଖୋଜୁଛି ଫରେନ୍ସିକ ଟିମ୍ । ଜବତ ବନ୍ଧୁକରୁ ନବ ଦାସଙ୍କୁ ଗୁଳି କରାଯାଇଥିଲା କି ନାହିଁ, ବନ୍ଧୁକର ଗନ୍‌ପାଉଡର୍ ସହ ଗୋପାଳଙ୍କ ହ୍ୟାଣ୍ଡ ସ୍ୱାବ୍‌କୁ ଫରେନ୍ସିକ ଟିମ୍ ମିଳାଇବ । ନବ ଦାସଙ୍କ ଶରୀରକୁ ଭେଦି ବାହାରିଯାଇଥିବା ଗୁଳିକୁ ଠାବ ପାଇଁ ବି ଉଦ୍ୟମ ଜାରି ରହିଛି ।

କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧି ଭିତରେ ମନ୍ତ୍ରୀ ନବ ଦାସଙ୍କ ବ୍ୟବଛେଦ ରିପୋର୍ଟ ଦାଖଲ ହୋଇଛି । ପୋଷ୍ଟମର୍ଟମ କରିଥିବା ଟିମ୍‌ର ଜଣେ ଡାକ୍ତର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିଛନ୍ତି । ତେବେ ରିପୋର୍ଟରେ କଣ ଅଛି ? ମୃତ୍ୟୁର କାରଣ କଣ ? ଗୁଳିମାଡ଼ର କେତେ ସମୟ ପରେ ନବ ଦାସ ଆଖିବୁଜିଛନ୍ତି ? ସେନେଇ ମୁହଁ ଖୋଲିନାହାଁନ୍ତି ହସ୍ପିଟାଲ୍ କର୍ତ୍ତୃପକ୍ଷ ।