କଟକସ୍ଥିତ STA ( State Transport Authority ) ର ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ ୨ କିଲୋଗ୍ରାମ ୧୦୦ ଗ୍ରାମ ସୁନା ସହ ୧୭ ଲକ୍ଷ ୫୫ ହଜାର ଟଙ୍କା ଠାବ କରିଥିଲା ଭିଜିଲାନ୍ସ ।
ପ୍ରଦୀପଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ । ଘରେ ଥିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ । ୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଦେଖି ଜଳକା ହୋଇଯାଇଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି । ତେବେ ବାବୁଙ୍କ ସମ୍ପତ୍ତିର ତାଲିକା ଏଇଠି ସରିଯାଇନି । ରେଡ୍ରୁ ଜଣାପଡିଛି ପ୍ରଦୀପଙ୍କର ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୩ଟି ବହୁତଳ କୋଠା ।
ଭୁବନେଶ୍ୱର ରଘୁନାଥପୁରରେ ଏକ ୪ କୋଠରୀ ବିଶିଷ୍ଟ ଫ୍ଲାଟ ପାଇଁ ଦେଇଛନ୍ତି କୋଟିଏ ଟଙ୍କା । କିଣିଛନ୍ତି ୧୧ଟି ପ୍ଲଟ । ଆଉ ଏହି ପ୍ଲଟ୍ ଗୁଡିକ ମଧ୍ୟରେ ରହିଛି ଭୁବନେଶ୍ବର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ ଭଳି ଦାମୀ ସ୍ଥାନ ମାନଙ୍କରେ । ଯେଉଁଠି ଜମିର ମୂଲ୍ୟ ଆକାଶ ଛୁଆଁ । ନୟାଗଡ଼ କୁଶପଲ୍ଲାରେ ବି ରହିଛି ୧୪ ଏକରର ଏକ ଫାର୍ମ ହାଉସ । ଏହାସହ ରହିଛି ପ୍ରଦୀପଙ୍କ ପାଖରେ ବେନାମୀ ୩ଟି ଚାରି ଚକିଆ ଗାଡ଼ି ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ପୁରୀରେ ତାଙ୍କର ଦୁଇଟି ବେନାମୀ ଫ୍ଲାଟ ରହିଛି । ଦୁଇଟି ବେନାମୀ ୪ ଚକିଆ ଯାନ ମଧ୍ୟ ତାଙ୍କର ଥିବାର ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ: ବାବୁ ଶାନ୍ତନୁଙ୍କ ପାଇଁ କେଉଁ ୪ ସହଯୋଗୀ କରୁଥିଲେ ଟଙ୍କା ହଡପ?
ଭୁବନେଶ୍ବରରେ ଆରଟିଓ ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ ମହାନ୍ତି ପରବର୍ତ୍ତୀ ଅବସ୍ଥାରେ କଟକରେ STA ଯୁଗ୍ମ କମିଶନର ଭାବେ ନିଯୁକ୍ତି ପାଇଥିଲେ । ତେବେ ତାଙ୍କର କାର୍ଯ୍ୟକାଳ ଭିତରେ ଏହି ଆୟବହିର୍ଭୂତ ବିପୁଳ ସଂପତ୍ତି ଠୁଳ କରିନଥିଲେ ତ ? ସେଇଥିପାଇଁ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଜାରି ରଖିଥିଲା । ତେବେ ଏତେ ଟଙ୍କା ଆସିଲା କେଉଁଠୁ? ପ୍ରଦୀପଙ୍କ ଆୟର ଉତ୍ସ କଣ? ଦୁର୍ନୀତିଖୋର ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ କାହିଁକି ଚେତୁନାହାନ୍ତି ସରକାରୀ ବାବୁ? ତାହା ହିଁ ବଡ଼ ପ୍ରଶ୍ନ ।