ପାନ ଦୋକାନରେ ଗଞ୍ଜେଇ କାରବାର। ଭୁବନେଶ୍ବର ଆଚାର୍ଯ୍ୟବିହାର ଅଞ୍ଚଳରେ ଥିବା ଏକ ପାନ ଦୋକାନରେ ସ୍ପେଶାଲ କ୍ରାଇମ ୟୁନିଟର ଚଢାଉ । ଚଢାଉ ବେଳେ ଦୋକାନରୁ ବିପୁଳ ପରିମାଣର ଗଂଜେଇ ଓ ସିଗାରେଟ ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଘଟଣାସ୍ଥଳରୁ କିଛି ନିଶା ବେପାରୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଧରିଛି କ୍ରାଇମ୍ ୟୁନିଟ୍ । ସେହିପରି ଏକାଧିକ ଯୁବକଙ୍କୁ ମଧ୍ୟ ଉଠାଇ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ୍ ।
Also Read
ଅଧିକ ପଢ଼ନ୍ତୁ: ନବଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କୁ ଜେରା
ସେପଟେ ଗତକାଲି ଭୁବନେଶ୍ୱରରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଥିଲା । ମଦ ବିକ୍ରି ପାଇଁ ଅଭିନବ ଫଣ୍ଡା ଆପଣେଇଥିଲା ଜଳଖିଆ ତଥା ପାନ ଦୋକାନୀ । ବନିଥିଲା ଚତୁର, ଅବକାରୀ ବିଭାଗକୁ ଦେଉଥିଲା ଚକମା । ଶେଷରେ ଭଣ୍ଡାଫୋଡ୍ ହେଲା ଥଣ୍ଡା ବୋତଲରେ ମଦ ବିକ୍ରିର ସାଂଘାତିକ ଫଣ୍ଡା । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ଏକ ଥଣ୍ଡା ପାନୀୟ ସହ ପାନ ଦୋକାନ କରିଥିବା ଅଭିଯୁକ୍ତକୁ ଗିରଫ କରିଥିଲା ଅବକାରୀ ଟିମ୍ । ତା’ନିକଟରୁ ୨ଶହ କୋଲ୍ଡ ଡ୍ରିଙ୍କସ ବୋତଲରେ ଥିବା ଦେଶୀ ମଦକୁ ଜବତ କରାଯାଇଥିଲା ।
ସୂଚନା ଅନୁସାରେ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଚାଲିଥିଲା ଏଭଳି ଦେଶୀ ମଦର ବେପାର । ଏ ସଂପର୍କରେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଗତକାଲି ହଠାତ୍ ଛାପା ମାରିଥିଲା ଅବକାରୀ ଟିମ୍ । ଆଉ ଜବତ କରିଥିଲା ଉପରକୁ ନାମୀ ଦାମୀ ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସ ଭଳି ଦିଶୁଥିବା ୨ ଶହ ବୋତଲ୍ ଦେଶୀ ମଦ । ଅବକାରୀ ଅଧିକ୍ଷକଙ୍କ କହିବା କଥା, ଦେଶୀ ମଦର କୁଟୀର ଶିଳ୍ପ ପାଲଟିଥିବା ସାଲିଆସାହିରୁ ଏହି ମଦ ଆଣି ଲୁଚାଚୋରାରେ ବିକ୍ରି କରୁଥିଲା ଏହି ଅଭିଯୁକ୍ତ । ତାକୁ ଏବେ ଗିରଫ କରାଯାଇଛି।
ଉପରକୁ ଖାଦ୍ୟ କିମ୍ବା ପାନୀୟ ଦ୍ରବ୍ୟର ପ୍ୟାକେଟ୍, ଭିତରେ ବେଆଇନ ଦେଶୀ ମଦର ଫଣ୍ଡା, ରାଜଧାନୀରେ ନୂଆ ନୁହେଁ। ଗତ ଗୁରୁବାର ଭୁବନେଶ୍ବର ଅବକାରୀ ଟିମ୍, ଏଭଳି ଏକ ଗ୍ୟାଙ୍ଗକୁ ଧରିଥିଲା । ଯେଉଁମାନେ ବେସନ ପ୍ୟାକେଟରେ ମଦ ଭରି ବିକ୍ରି କରୁଥିଲେ। ଆଉ ଗତକାଲି ଧରାପଡ଼ିଥିଲା ଥଣ୍ଡା ବୋତଲରେ ଦେଶୀ ମଦ ରାକେଟ୍ । ଆଉ ଆଜି ପାନ ଦୋକାନରୁ ଧରାପଡ଼ିଛି ବ୍ରାଉନସୁଗାର ଓ ଗଞ୍ଜେଇ । ତେବେ ରାଜଧାନୀରେ ଚାଲିଥିବା ଏଭଳି ରାକେଟ ପଛର ମାଷ୍ଟରମାଇଣ୍ଡ କିଏ ? କାହା ଛତ୍ରଛାୟାରେ ଓ କେତେଦୂର ଯାଏଁ ଲମ୍ବିଛି ଲୁଚାଛପା ନକଲି ମଦର ବେପାର ? ଅବକାରୀ ବିଭାଗ, ଖୋଲିବ ତ ଅସଲ ଗୁମର ? ଏବେ ଏଭଳି ପ୍ରଶ୍ନ ଉଠୁଛି ।