ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ରାସନ୍ କାର୍ଡ । ଦୁଇ ମହଲା କୋଠା, ତା' ସାଙ୍ଗକୁ ଚଢୁଛନ୍ତି ଚାରି ଚକିଆ । ତଥାପି ମାସକୁ ମାସ ଉଠାଉଛନ୍ତି ରାସନ ଚାଉଳ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ପୁରା ସତ । ବଲାଙ୍ଗିର ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ନିଜେ ବ୍ଲକ ଅଧ୍ୟକ୍ଷା ହୋଇ ଦୀର୍ଘ ଚାରି ବର୍ଷ ହେଲା ସେ ଗରିବଙ୍କ ପାଇଁ ଆସୁଥିବା ପିଡିଏସ୍ ଚାଉଳ ନେଉଛନ୍ତି ।
ଅଧିକ ପଢ଼ନ୍ତୁ: ମାତିଛନ୍ତି ଚେନ୍ ଲୁଟେରା: ଅସୁରକ୍ଷିତ ରାଜଧାନୀ ରାସ୍ତା, ଦିନକରେ ୪ ଜଣଙ୍କ ଠାରୁ ଝାମ୍ପିନେଲେ...
ରାସନକାର୍ଡ ତାଲିକାରେ ଟିଟିଲାଗଡ଼ ବିଜେଡି ବ୍ଲକ ଅଧ୍ୟକ୍ଷା ସଂଯୁକ୍ତାଙ୍କ ନାଁ ରହିଛି । ହେଲେ ସଂଯୁକ୍ତା ନାଏକ ନୁହେଁ ସଂଯୁକ୍ତ ପ୍ରଧାନ ନାମରେ ରେଜିଷ୍ଟର୍ ରହିଛି । ସଂଯୁକ୍ତା ନାଏକ ନରୋତ୍ତମ ପ୍ରଧାନଙ୍କୁ ବିବାହ କରିବା ପରେ ନାଏକରୁ ପ୍ରଧାନ ଦର୍ଶାଇ ଏଠି ରାସନ୍ ଉଠା ଚାଲିଛି । କିନ୍ତୁ ଗଲା ଦୁଇ ମାସ ହେଲା ସେ ଆଉ ରାସନ୍ ନେଇ ନାହାନ୍ତି । ଇ-କେୱାଇସି ହେବା ପରେ ଟଙ୍କା ଉଠାଇବାକୁ ଆସିନାହାନ୍ତି ବୋଲି ଟିଟିଲାଗଡ଼ ଯୋଗାଣ ସହାୟକ କହିଛନ୍ତି ।
ତେବେ ନିର୍ବାଚିତ ପ୍ରତିନିଧି କେମିତି ସାଧାରଣ ଜନତାଙ୍କ ପାଇଁ ଥିବା ପିଡିଏସ୍ ଚାଉଳ ଉଠାଉଥିଲେ, ତା' ପୁଣି ବର୍ଷ ବର୍ଷ ଧରି ? ଖାଲି ଏତିକି ନୁହେଁ ନିଜର ଦୁଇ ମହଳା ଘର, ଗାଡ଼ି ଥାଇ ବି ତାଙ୍କୁ ରାସନ୍ କାର୍ଡ କେଉଁ ଆଧାରରେ ମିଳିଲା ? ଏତେ ବର୍ଷ ପରେ ବି କେହି କେମିତି ଜାଣିପାରିଲାନି ? ଏନେଇ ଏବେ ଉଠିଛି ପ୍ରଶ୍ନ ।
ଏହାକୁ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ କହିଛନ୍ତି, ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ତଦନ୍ତ ରିପୋର୍ଟରେ ଆଧାରରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ଜଣେ ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ରାସନ କାର୍ଡ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି
- Reported by:
- MANARANJAN JOSHI