• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରତିପତ୍ତିଶାଳୀ ରୁଷ୍ ସାଂସଦ ପାଭେଲ୍ ଆଣ୍ଟୋଭ୍‌ଙ୍କ ମୃତ୍ୟୁକୁ ନେଇ ହଇଚଇ । ସପ୍ତାହେ ପରେ ବି ସତ ସାମ୍ନାକୁ ଆସୁନଥିବାରୁ ଘନଉଛି ରହସ୍ୟ । ଅନ୍ତିମ ସତ୍କାରଠୁ ପୋଲିସର ତଦନ୍ତ ପ୍ରକ୍ରିୟା ଯାଏଁ ଉଠୁଛି ନାନା ପ୍ରଶ୍ନ । ଡିସେମ୍ବର ୨୨ରେ ପ୍ରଥମେ ପ୍ରାଣ ହରାଇଥିବା ଭ୍ଲାଦିମିର୍ ବିଦାନୋଭଙ୍କ ୨୩ରେ  ରାୟଗଡ଼ା ସିରିଗୁଡ଼ା ମଶାଣିରେ ଅନ୍ତିମ ସତ୍କାର କରାଯାଇଥିଲା । ଦିନକ ପରେ ହୋଟେଲ୍ ଝରକା ପଟୁ ଖସିପଡ଼ି ଜୀବନ ହରାଇଥିଲେ ରୁଷୀୟ ସାଂସଦ ଆଣ୍ଟୋଭ୍ । ତାଙ୍କର ବି ସେହି ମଶାଣିରେ ଅନ୍ତିମ ସତ୍କାର ହୋଇଥିଲା ।

ବଡ଼ କଥା ହେଉଛି, ଉଭୟେ ଖ୍ରୀଷ୍ଟିୟ ଧର୍ମାବଲମ୍ବୀ ହୋଇଥିବା ବେଳେ ପୋତିବା ବଦଳରେ ପୋଡ଼ି ଦିଆଯାଇଥିଲା । କୁହାଯାଉଛି, ରାୟଗଡ଼ାରେ ହିଁ ଅନ୍ତିମ ସତ୍କାର ପାଇଁ ଉଭୟଙ୍କ ପରିବାର ପକ୍ଷରୁ ରୁଷ୍ ଦୂତାବାସ ଜରିଆରେ ସମ୍ମତିପତ୍ର ଦିଆଯାଇଥିଲା । ତେବେ ଖ୍ରୀଷ୍ଟିୟ ପରମ୍ପରା ଅନୁସାରେ ମୃତଦେହକୁ କବର ନଦେଇ ଦାହ କରିବାକୁ କଣ ଅନୁମତି ଦେଇଥିଲେ ସଂପର୍କୀୟ ? ଯଦି ନା, ତେବେ ଧର୍ମୀୟ ପରମ୍ପରା ଉଲଂଘନ କଲା ଭଳି କାର୍ଯ୍ୟ କରାଗଲା କାହିଁକି ? ଏହାପଛରେ କାହାର ଚାପ ନାହିଁ ତ ?

ଏଭଳି ନାନା ପ୍ରଶ୍ନ ଭିତରେ ଭିସେରା ସଂରକ୍ଷଣକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ଯାହାଙ୍କ ମୃତ୍ୟୁକୁ ନେଇ ବିବାଦ ନାହିଁ, ଅର୍ଥାତ୍ ବିଦାନୋଭଙ୍କ ଭିସେରାକୁ ସଂଗୃହିତ କରି ରଖିଥିବାବେଳେ ଆଣ୍ଟୋଭଙ୍କ ଭିସେରା କିନ୍ତୁ ସଂରକ୍ଷଣ ହୋଇନାହିଁ ।  

ଅଧିକ ପଢ଼ନ୍ତୁ: ରାୟଗଡ଼ାରେ କୋଟିପତି ଋଷ ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ,ରହିଛି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସମ୍ପୃକ୍ତି ?

ଏପଟେ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ ବରିଷ୍ଠ କଂଗ୍ରେସ ନେତା ମନୀଷ ତିିୱାରୀ ଟୁଇଟ୍ କରି ପ୍ରଶ୍ନ ଉଠାଇଛନ୍ତି । ଉଭୟ ଖ୍ରୀଷ୍ଟିଆନ ହୋଇଥିବା ସତ୍ତ୍ୱେ ମୃତଦେହକୁ କବର ଦିଆଗଲାନି । ଏପରିକି ମୃତଦେହକୁ ରୁଷ୍ ପଠାଇବାକୁ ବି ଚେଷ୍ଟା କରାଗଲାନି । ଯଦି ଏତେସବୁ କଥା ଅପ୍ରାକୃତିକ ଲାଗୁନି, ତେବେ ମୁଁ ଆଇନ ପାଠ ଛାଡ଼ିଦେବି ବୋଲି କହିଛନ୍ତି ମନୀଷ ।

ସେପଟେ ରାୟଗଡ଼ାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ ପହଞ୍ଚି ସଂପୃକ୍ତ ରୁଷୀୟ ପର୍ଯ୍ୟଟକ ରହିଥିବା ହୋଟେଲରେ ତଦନ୍ତ କରିଛନ୍ତି । ସେଠାକାର କର୍ମଚାରୀଙ୍କୁ ପଚରାଉଚରା କରି ସିସିଟିଭି ଯାଞ୍ଚ କରିଛନ୍ତି । ଜିଲ୍ଲା ପୋଲିସ ସହିତ ବି ଆଲୋଚନା କରିଛନ୍ତି । ଏଣେ ୩ ଦିନ ହେଲା, ଆଣ୍ଟୋଭ୍ ଓ  ବିଦାନୋଭଙ୍କ ସହ ଆସିଥିବା ରୁଷୀୟ ଦଂପତ୍ତି ଓ ଗାଇଡ୍‌ଙ୍କୁ ଧରି ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଡିଜିପି କହିଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । କିଛି ଜଣାପଡିଲେ ସୂଚନା ଦେବେ ।

ବଡ଼କଥା ହେଉଛି, ପୁଟିନଙ୍କ ସମାଲୋଚକ ଭାବେ କେବଳ ପାଭେଲଙ୍କ ଯେ ରହସ୍ୟଜନକ ମୃତ୍ୟୁ ହୋଇଛି ତାନୁହେଁ । ଋଷିଆର ଦ୍ୱିତୀୟ ବୃହତ ତୈଳ କଂପାନୀର ମୁଖ୍ୟ ରାଭିଲ୍ ମାଗାନୋଭ ଗତ ସେପ୍ଟେମ୍ବରରେ ମସ୍କୋର ଏକ ହସ୍ପିଟାଲ ଛାତରୁ ପଡ଼ି ପ୍ରାଣ ହରାଇଥିଲେ । ତୁରନ୍ତ ୟୁକ୍ରେନ ଯୁଦ୍ଧର ଅନ୍ତ ପାଇଁ ସେ ଦାବି କରୁଥିଲେ । ସେହିପରି ଗତ ଏପ୍ରିଲରେ ଋଷିଆର ବୃହତ ଗ୍ୟାସ୍ କଂପାନୀ ନୋଭାଟେକ୍‌ର ପୂର୍ବତନ ମ୍ୟାନେଜର ସର୍ଗେଇ ପ୍ରୋଟସେନ୍ୟା, ତାଙ୍କ ପତ୍ନୀ ଓ ଝିଅଙ୍କ ଡେଡ୍‌ବଡ଼ି ମିଳିଥିଲା ସ୍ପାନିସ୍ ଭିଲାରୁ । ଗାଜ୍‌ପ୍ରୋମ୍ ବ୍ୟାଙ୍କ୍‌ର ପୂର୍ବତନ ଭାଇସ ପ୍ରେସିଡେଣ୍ଟ୍ ଭ୍ଲାଦିସ୍ଲାଭ୍ ଆଭାୟେଭ୍, ତାଙ୍କ ପତ୍ନୀ ଓ ଝିଅଙ୍କ ମୃତଦେହ ବି ମସ୍କୋର ଏକ ଫ୍ଲାଟରୁ ମିଳିଥିଲା ।

ସେହିପରି ଅନ୍ୟ ଜଣେ ବିଜିନେସ୍ ଟାଇକୁନ୍ ଆଲେକ୍‌ଜାଣ୍ଡାର ସବ୍ବେଟିନ୍‌ଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଆଉ ଏବେ ପାଭେଲ୍‌ଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଏହା ପଛରେ କୌଣସି ଅପରାଧିକ ଦିଗ ନାହିଁ ବୋଲି ନୂଆଦିଲ୍ଲୀ ସ୍ଥିତ ଋଷ ଦୂତାବାସ କହିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି ତଦନ୍ତ ଉପରେ ନଜର ରଖିଛୁ ।