• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍‌ଙ୍କ ଯିଏ ଥିଲେ କଠୋର ସମାଲୋଚକ । ୟୁକ୍ରେନ୍-ରୁଷ୍ ଯୁଦ୍ଧକୁ ଯିଏ କହୁଥିଲେ ଏହା ପୁତିନ୍‌ଙ୍କ ଆତଙ୍କରାଜ୍, ଓଡ଼ିଶାରେ ରୁଷ୍‌ର ସେହି ସାହସୀ ରାଜନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ସାରା ବିଶ୍ୱରେ ହଟଚମଟ । ଦେଶର ହିତ ଉଦ୍ଦେଶ୍ୟରେ ରୁଷ୍‌ର ସଂସଦ ଭବନକୁ କମ୍ପାଉଥିବା କୋଟିପତି ସାଂସଦ ପାଭେଲ ଆଣ୍ଟୋଭଙ୍କ ରାୟଗଡ଼ାରେ ଅସ୍ୱାଭାବିକ ମୃତ୍ୟୁ, ରୁଷ୍‌ରେ ଚହଳ ପକାଇଛି ।

ଅନ୍ୟପଟେ ଓଡ଼ିଶା ପୋଲିସର ଧାଁ ଧପଡ଼ ଆରମ୍ଭ ହୋଇଛି । ରାୟଗଡ଼ା ଗସ୍ତ କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ । ହୋଟେଲ ସାଇ ଇଣ୍ଟରନ୍ୟାସନାଲ୍‌କୁ ଯାଇ ଖୋଳତାଡ଼ କରିଛନ୍ତି । ପ୍ରଥମେ ସାଙ୍ଗରେ ଆସିଥିବା ଭ୍ଲାଦିମିର୍ ବିଦାନୋଭ୍ ଓ ଦିନକ ପରେ ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭଙ୍କ କେମିତି ହେଲା ମୃତ୍ୟୁ ? ରୁମ୍ ନମ୍ବର ୨୦୩ରେ ଏକାଠି ରହୁଥିବା ଭ୍ଲାଦିମିର୍ ଓ ପାଭେଲଙ୍କ ମୃତ୍ୟୁ ରହସ୍ୟ କଣ ? ଯଦି ଭ୍ଲାଦିମିରଙ୍କ ମୃତ୍ୟୁ ହୃଦଘାତ୍‌ରୁ ହେଲା, ତେବେ ରୁମ୍ ଝରକା ଦେଇ କେମିତି ତଳକୁ ଖସିପଡ଼ି ପ୍ରାଣ ହରାଇଲେ ପାଭେଲ୍ ? ଅଘଟଣ ନା ଆତ୍ମହତ୍ୟା ?

ଅଧିକ ପଢ଼ନ୍ତୁ: ଋଷରୁ ରାୟଗଡ଼ା ଲିଙ୍କ୍ ! ପୁଟିନ୍‌ଙ୍କୁ ସମାଲୋଚନା କରୁଥିବା ପାଭେଲଙ୍କ ମୃତ୍ୟୁ ପଛରେ ଅଛି କି ଷଡ଼ଯନ୍ତ୍ର ?

ରାୟଗଡ଼ା ଏସ୍‌ପିଙ୍କୁ ଧରି ଆଜି ହୋଟେଲ୍ ଭିତରେ ଯାଞ୍ଚ କରିଛନ୍ତି ଡିଆଇଜି । ସେ କହିଛନ୍ତି, ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତଦନ୍ତ କରି ତଥ୍ୟ ସାମ୍ନାକୁ ଆଣିବୁ । ସେପଟେ ଡିଜିପି ସୁନୀଲ ବଂଶଲ ମାମଲାର ସମ୍ପୂର୍ଣ୍ଣ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ।

୬୬ ବର୍ଷିୟ ପାଭେଲ ଆଣ୍ଟୋଭ । ରୁଷ୍‌ର ଅନ୍ୟତମ ବିତ୍ତଶାଳୀ ସାଂସଦଙ୍କ ମଧ୍ୟରେ ଥିଲେ ଅନ୍ୟତମ । ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ, ମାନବାଧିକାର ପାଇଁ ଲଢ଼େଇ କରୁଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରାଷ୍ଟ୍ରପତି ପୁତିନ୍‌ଙ୍କୁ ହଲାପଟା କରି ଚର୍ଚ୍ଚାକୁ ଆସିଥିବା କୋଟିପତି ବ୍ୟବସାୟୀ ପାଭେଲ୍‌ଙ୍କ ଯୋଜନା ଥିଲା, ପୂର୍ବ ଭାରତ ସହ ଓଡ଼ିଶାର ଆଦିବାସୀଙ୍କ ଜୀବନ ଶୈଳୀ, ପରମ୍ପରାକୁ ପରଖିବେ ଓ ପ୍ରାକୃତିକ ପରିବେଶ ଭିତରେ ଜନ୍ମଦିନ ପାଳିବେ ।

ସେହି ଅନୁଯାୟୀ, ତାଙ୍କ ଟୁର୍‌ର ନାଁ ଥିଲା ଟ୍ରାଇବାଲ୍ସ ଟୁର୍ ଅଫ ଇଣ୍ଡିଆ । ତେଣୁ ଦିଲ୍ଲୀ ସ୍ଥିତ ଏକ ଟୁର୍ ଅପରେଟର ସଂସ୍ଥା ଜରିଆରେ ଦିଲ୍ଲୀରୁ ଭାୟା ଭୁବନେଶ୍ୱର ଦେଇ ଗତ ୨୧ରେ ରାୟଗଡ଼ା ପହଞ୍ଚିଥିଲେ । ସାଙ୍ଗରେ ଥିଲେ ଟୁରଭୋ ଓ ପାନ୍ ସେଙ୍କୋ ଦମ୍ପତ୍ତି ସହ ଅନ୍ୟତମ ବନ୍ଧୁ ଭ୍ଲାଦିମିର୍ । ପ୍ରଥମେ ଦାରିଙ୍ଗବାଡ଼ି ବୁଲିଲେ ଓ ପରେ ଜୟପୁର ଦେଇ ପୂର୍ବ ଭାରତ ଅଭିମୁଖେ ଯାଇଥାନ୍ତେ । କିନ୍ତୁ ରାୟଗଡ଼ାରେ ରହୁଥିବା ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ୨୨ ତାରିଖରେ ହୃଦଘାତରେ ଭ୍ଲାଦିମିରଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ରେ ରହସ୍ୟଜନକ ଭାବେ ପାଭେଲ୍‌ଙ୍କ ମୃତଦେହ ମିଳିଥିଲା ହୋଟେଲ୍ ତଳୁ । କୁହାଯାଉଛି, ସାଙ୍ଗ ଭ୍ଲାଦିମିରଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ପାଭେଲ୍ ଆତ୍ମହତ୍ୟା କରିଥାଇପାରନ୍ତି ।

ତେବେ ପ୍ରଶ୍ନ, ଜଣେ ସାଂସଦ ହୋଇ କେମିତି ଏଭଳି ଚରମ ନିଷ୍ପତ୍ତି ନେଲେ ? କୁହାଯାଏ, ପୁତିନ ଜଣେ ପ୍ରତିହିଂସା ପରାୟଣ ବ୍ୟକ୍ତି । ସମାଲୋଚନାକୁ ସେ କୁଆଡ଼େ ବରଦାସ୍ତ କରିପାରନ୍ତିନି । ଏଭଳି ସ୍ଥିତିରେ ପାଭେଲ୍ ପୁତିନଙ୍କ ବିରୋଧୀ ଥିବାରୁ ଏଭଳି ଅସ୍ୱାଭାବିକ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ ତ ? ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏବେ ଏଭଳି ଚର୍ଚ୍ଚା ଲାଗିରହିଛି । 

ରୁଷ୍ ଦୂତାବାସକୁ ଅବଗତ କରିବା ପରେ ଏବଂ ପରିବାର ଲୋକଙ୍କ ସହମତି ପରେ ଭ୍ଲାଦିମିରଙ୍କ ଅନ୍ତିମ ସତ୍କାର ସରିଥିବାବେଳେ ପାଭେଲ୍‌ଙ୍କ ମଧ୍ୟ ରାୟଗଡ଼ାରେ ଅନ୍ତିମ ସତ୍କାର ହେବ ବୋଲି ସୂଚନା ମିଳିଛି ।