/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735917247.jpg)
୩୦ କେଜି ସୁନା ପୋଛି ନେଲେ
ନା ଥିଲେ ସୁରକ୍ଷାକର୍ମୀ, ନା ବାଜିଲା ସାଇରନ୍ । ସ୍ପଷ୍ଟ ଦିବାଲୋକରେ ବେଧଡ଼କ ପଶିଲେ ଡକାୟତ । ପୋଛିନେଲେ ୨୦ କୋଟିର ୩୦ କେଜି ସୁନା । ଗଲାବେଳେ ନଗଦ ୩ ଲକ୍ଷ ଟଙ୍କା ବି ନେଇଗଲେ ୫ ଜଣିଆ ଡକାୟତି ଗ୍ୟାଙ୍ଗ । ଉପସ୍ଥିତ କର୍ମଚାରୀଙ୍କୁ ମାଡ଼ ମାରିଲେ, ହାତଗୋଡ଼ି ବାନ୍ଧି ଏଭଳି ଲୁଟ୍ କଲେ । ସମ୍ବଲପୁରରେ ମଣପୁରମ୍ ଫାଇନାନ୍ସ ଅଫିସରେ ଏଭଳି ଆତଙ୍କରାଜ ସହ ଲୁଟପାଟକୁ ନେଇ ଚାରିଆଡ଼େ ହଇଚଇ। ପୂର୍ବରୁ ଏହି ଅଞ୍ଚଳରେ ଥିବା ମୁଥୁଟ୍ ଫାଇନାନ୍ସ ସଂସ୍ଥାରୁ ମଧ୍ୟ ସମାନ ଧରଣର ଡକାୟତି ହୋଇଥିଲା ।
ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି। ଡକାୟତ ବୋହିନେଲେ ୨୦ କୋଟିର ୩୦ କେଜି ସୁନା । ସୁନା ସହ ନଗଦ ୩ ଲକ୍ଷ ଟଙ୍କା ନେଇ ସଂସ୍ଥାରେ ବୁଲାଇଦେଲେ କଳାକନା । ସମ୍ବଲପୁର ଅଇଁଠାପାଲି ଥାନା ବୁଢାରଜା ଅଞ୍ଚଳରେ ଥିବା ମଣପୁରମ୍ ଫାଇନାନ୍ସ ଲିମିଟେଡ୍ ଅଫିସ। ଯେଉଁଠି ଆଜି ସ୍ପଷ୍ଟ ଦିବାଲୋକରେ ହୋଇଛି ଡକାୟତି । ଚୋରି ଗଲା ପରେ ପୋଲିସ ଚଳାଇଛି ଖୋଳତାଡ଼ । ଯାଞ୍ଚ କରୁଛି ସିସିଟିଭି। ଆଇଜି, ଏସପି, ଏସଡିପିଓ ଦଳବଳ ସହ ଚଳାଇଛନ୍ତି ଖୋଳତାଡ଼। ପଚରାଉଚରା କରୁଛନ୍ତି ଜଣଙ୍କ ପରେ ଜଣେ କର୍ମଚାରୀଙ୍କୁ । କିନ୍ତୁ ସକାଳ ଯାଇ ସଞ୍ଜ ବିତିଲାଣି ସିନା ଡକାୟତଙ୍କ ମିଳୁନି ସୁରାଗ୍ । କର୍ମଚାରୀଙ୍କ କହିବା କଥା ସମୟ ସକାଳ ପ୍ରାୟ ୮ଟା ୪୫ ମିନିଟ୍ । ସେମାନେ ପହଞ୍ଚିବା ପୂର୍ବରୁ ହିଁ ଖୋଲା ରହିଥିଲା ସଂସ୍ଥାର ଅଫିସ । ଅର୍ଥାତ ତା’ପୂର୍ବରୁ ପଶିସାରିଥିଲେ ୫ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ । ପହଞ୍ଚିଥିବା କର୍ମଚାରୀଙ୍କୁ କୁଆଡ଼େ ପ୍ରଥମେ ପ୍ରବଳ ମାଡ଼ ମାରିଲେ । ତା’ପରେ ସେଲୋଟେପ୍ ବ୍ୟବହାର କରି ବାନ୍ଧି ପକାଇଥିଲେ। ଆଉ ଲକର ରୁମର ଚାବି ଏବଂ ଲକରର ସିକ୍ରେଟ୍ କୋଡ୍ ମାଗି ଆରାମରେ ଲୁଟପାଟ୍ କରି ଖସି ପଳାଇଥିଲେ । ଡକାୟତମାନେ ହିନ୍ଦିରେ କଥାବାର୍ତ୍ତା କରୁଥିଲେ।
ଅଧିକ ପଢ଼ନ୍ତୁ: ଠକେଇର ନୂଆ ଫଣ୍ଡା; ହଜାରେ ଟଙ୍କିଆ ଚେକ୍ ନେଇ ବ୍ୟାଙ୍କରୁ ପୋଛିନେଲା ୭୧ ହଜାର...
କୁହାଯାଉଛି, ଏହି ଲୁଟପାଟବେଳେ ନା ଥିଲେ କୌଣସି ସୁରକ୍ଷା କର୍ମୀ ନା ବାଜିଥିଲା ସାଇରନ୍ । ପୂର୍ବରୁ ହିଁ ଏକପ୍ରକାର ଢିଲା ସୁରକ୍ଷା ବ୍ୟବସ୍ଥାରେ ଚାଲୁଥିଲା ଏହି ଫାଇନାନ୍ସ ସଂସ୍ଥା । ସେଥିପାଇଁ ଲୁଟ୍ ଆଗରୁ ଦୁର୍ବୃତ୍ତ ମାନେ ରେକି କରିଥିଲେ। ପରେ ସମୟ ସୁଯୋଗ ଦେଖି ଆରାମରେ ଲୁଟି ଖସିପଳାଇଲେ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଲକରରେ ଥିବା ଡମି ସୁନା ବିସ୍କୁଟ୍, ଯେଉଁଥିରେ ଜିପିଏସ୍ ଲାଗିଥାଏ। ଯାହାକୁ ସାଙ୍ଗରେ ନେଲେ ପୋଲିସ ହାତରେ ଧରାପଡ଼ିବା ସୁନିଶ୍ଚିତ। ତେଣୁ ଲୁଟେରା ତାକୁ ନେଲେ ନାହିଁ। ଏସବୁ ଦିଗକୁ ଦେଖିଲେ ଲାଗୁଛି, ଚୋରିବିଦ୍ୟାରେ କେତେ ସିଦ୍ଧହସ୍ତ ଥିବେ ଏହି ଡକାୟତମାନେ।
ତେବେ ଏହି ସଂସ୍ଥାରେ ଏତେ ଢିଲା ସୁରକ୍ଷା ବ୍ୟବସ୍ଥା କଥା ଏହି ଡକାୟତମାନେ ଜାଣିଲେ କିପରି ? ବୁଢ଼ାରଜା ଭଳି ଏକ ଜନଗହଳିପୂର୍ଣ୍ଣ ଇଲାକାରେ ଏଭଳି ଡକାୟତି ପାଇଁ ସାହସ କରିପାରିଲେ କେମିତି ? ଏହି ସୁଚିନ୍ତିତ ଡକାୟତି ପଛରେ ସଂପୃକ୍ତ ସଂସ୍ଥାର କାହାର ଲିଙ୍କ ନାହିଁ ତ ? ପ୍ରବେଶ ଦ୍ବାରରେ ଲେଖାଯାଇଛି, ଅଫିସର ଗ୍ରିଲ୍ ବନ୍ଦ ରହିବ ଓ ଗ୍ରାହକ ବଜର୍ ଚିପିଲେ ଯାଇ ଖୋଲାଯିବ। କିନ୍ତୁ ପ୍ରାୟ ସମୟରେ ଖୋଲାମେଲା ରହୁଥିଲା ଗ୍ରିଲ୍। ଏହାର ଫାଇଦା ଉଠାଇଲେ କି ଦୁର୍ବୃତ୍ତ ? ଏଭଳି ନାନା ପ୍ରଶ୍ନକୁ ଧରି ୩ଟି ଟିମ୍ ଗଠନ କରିବା ସହ ସୀମା ସିଲ୍ କରି ପୋଲିସ ଖୋଳତାଡ଼ ଚଳାଇଛି। ଅପରପକ୍ଷେ ଅଭାବରେ ପଡ଼ି ବନ୍ଧକ ପକାଇଥିବା ନିଜ ନିଜର ସୁନା ଅଳଙ୍କାରକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ସାଧାରଣ ଗ୍ରାହକମାନେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)