କିଟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଛାତ୍ରୀ ଓ ତା ପରେ ଘଟିଥିବା ଘଟଣାର ତଦନ୍ତ କରାଯାଉଛି । ଯେତେ ବଡ ଲୋକ ହୋଇଥିଲେ ବି ଆକ୍ସନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି କିଟକୁ ଯାଇ ତଦନ୍ତ କରିଛନ୍ତି । ପୋଲିସ ବି ତଦନ୍ତ ଜାରି ରଖିଛି । କିଟ୍ କର୍ତ୍ତୃପକ୍ଷ ହୁଅନ୍ତୁ ବା କେହି ବ୍ୟକ୍ତିଗତ ଭାବେ ସଂପୃକ୍ତ ଥିଲେ, କାର୍ଯ୍ୟାନୁଷ୍ଠାନ ହେବ । ତଦନ୍ତ ପ୍ରକ୍ରିୟାରେ ଯାହାର ନାଁ ଆସିବ, କାହାକୁ ବି ଛଡାଯିବ ନାହିଁ । ସମସ୍ତଙ୍କୁ ଆଇନ ପରିସରଭୁକ୍ତ କରାଯାଇ ଉଚିତ୍ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ଘଟଣାରେ ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି । ପୃଥ୍ୱୀରାଜ କହିଛନ୍ତି, ମୁଖ୍ୟମନ୍ତ୍ରୀ ନେପାଳ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଆଶ୍ଵାସନା ଦେଇଛନ୍ତି ଯେ, ଆଗାମୀ ଦିନରେ ଏଭଳି କୌଣସି ଘଟଣା ଘଟିବ ନାହିଁ । ଏଥିପାଇଁ ସରକାର ମଧ୍ୟ ସଜାଗ ରହିବେ ।
ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାୟିତ୍ଵ ମଧ୍ୟ ସରକାର ନେବେ। ଏଭଳି ଘଟଣା କୌଣସି ଶିକ୍ଷାନୁଷ୍ଠାନରେ ନହେଉ ଏ ବାବଦରେ ସରକାର ସଜାଗ ରହିବେ । କିଟ୍ ରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ଯାହାର ବି ସଂପୃକ୍ତି ଥିବ, କାହାକୁ ବି ଛଡା ଯିବ ନାହିଁ । ଆଇନ ତା’ ରାସ୍ତାରେ ଯିବ । ଦଣ୍ଡ ବିଧାନ ପ୍ରକ୍ରିୟା ଜାରି ରହିବ । ଆତ୍ମହତ୍ୟା ଓ ତା ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର ଓ ଧମକ ଦିଆଯିବା ଘଟଣା ଉପରେ ବି ତର୍ଜମା କରାଯାଉଛି । ଦୋଷୀ ଯେତେ ବଡ ଲୋକ ହୋଇଥିଲେ ବି ଆକ୍ସନ ହେବ । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ହୋଇଥିବା ଟିମର ପରାମର୍ଶ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କିଟ୍ ଘଟଣାରେ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହୋଇଛି । କିଟ୍ ଗୋଟିଏ ପ୍ରସଙ୍ଗ । ଅଚ୍ୟୁତ ସାମନ୍ତ ମୋର ଜଣେ ଭଲ ବନ୍ଧୁ । କିନ୍ତୁ ମୋ ପାଇଁ ଓଡ଼ିଶାର ସ୍ୱାଭିମାନ ଆଗ । କିଟରେ ବହୁ IAS ଓ IPS ଅଫିସରଙ୍କ ସହଧର୍ମିଣୀ କାମ କରୁଥିବାର ସେ ଗୁରୁତର ଅଭିଯୋଗ କରିଛନ୍ତି । ଅଚ୍ୟୁତ ସାମନ୍ତଙ୍କୁ ସରକାର କାହିଁକି ଗିରଫ କରୁନାହାନ୍ତି ବୋଲି ତାରା ପ୍ରଶ୍ନ କରିଛନ୍ତି ।
ଅଧିକ ପଢ଼ନ୍ତୁ : ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ
ବିବାଦରେ ଛନ୍ଦି ହୋଇଥିବା କିଟ୍ ପାଇଁ ବାହାରିଲେ ବିଜେଡି ବିଧାୟକ । ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, କିଟ୍ ଗୋଟିଏ ବିଶ୍ବସ୍ତରୀୟ ଅନୁଷ୍ଠାନ। କିଟ୍ ଆମକୁ ପରିଚୟ ଦେଇଛି । ଏହା ଓଡ଼ିଆ ଅସ୍ମିତାର ଏକ ବଡ଼ ଅଂଶ ବିଶେଷ ବୋଲି ସେ କହିଛନ୍ତି । ଆତ୍ମହତ୍ୟା ବହୁ ଅନୁଷ୍ଠାନରେ ହେଉଛି ବୋଲି କହିବା ସହ ଆତ୍ମହତ୍ୟା ସବୁବେଳେ ନିନ୍ଦନୀୟ ଓ ଆତ୍ମହତ୍ୟାକୁ ଘୋଡେଇବା ମଧ୍ୟ ନିନ୍ଦନୀୟ। ଆତ୍ମହତ୍ୟା ର ତଦନ୍ତ ଠିକ୍ ହୋଇନଥିଲେ କି ପ୍ରେମିକକୁ ଗିରଫ କରାଯାଇନଥିଲେ ଆମେ ମଧ୍ୟ ତାକୁ ପ୍ରତିବାଦ କରିଥାନ୍ତୁ। ତେବେ କିଟର ଅନିୟମିତିତା ନେଇ ତଦନ୍ତ ହେଉ ବୋଲି ସେ କହିଛନ୍ତି । କିଟକୁ ବିଜେଡି ସହ ଯୋଡି ତାକୁ ବଦନାମ କରାଯାଉଥିବା ସେ କହିଛନ୍ତି । ସରକାରଙ୍କର ଅଖଣ୍ଡ କ୍ଷମତା ଅଛି, ଯାହା କରିବାର ଅଛି କରନ୍ତୁ । ତେବେ ଏ ସଂପର୍କରେ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।