• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନରେ ଥିଲା ଉଚ୍ଚ ଅଭିଳାଷ । ଆଖିରେ ଥିଲା ଅସୁମାରୀ ସ୍ୱପ୍ନ । ସେନା କିମ୍ବା ପୋଲିସ ବିଭାଗରେ ବଡ଼ ଅଫିସରଟିଏ ବନିବାର ଇଚ୍ଛା ଥିଲା । ହେଲେ ସେହି ସ୍ୱପ୍ନ ସବୁ ଡେଣା ମେଲିବା ଆଗରୁ ପାଣିରେ ମିଳାଇଗଲା ସବୁକିଛି । ମା’ର ଧୈର୍ଯ୍ୟ ରହୁନି । ବାପାଙ୍କ ଦମ୍ଭ ଭାଙ୍ଗିଯାଉଛି । ଭାଙ୍ଗିପଡ଼ିଛନ୍ତି ଆତ୍ମୀୟ ସ୍ୱଜନ । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଭିସୁଟର ସମାବର୍ତ୍ତନ ଉତ୍ସବକୁ ଆସିଥିବା ଝିଅଟି ଯେ ଏମିତି ଅକାଳ ବିୟୋଗରେ ଚାଲିଯିବ, କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

ଆମେ କହୁଛୁ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ କଥା । ମାତ୍ର ୨୨-୨୩ ବର୍ଷ ବୟସରେ ପ୍ରାଣ ଚାଲିଗଲା । ପାୱାର ଚାନେଲ ବ୍ରିଜ୍ ବା ପିସି ବ୍ରିଜ ଉପରେ ଚାଲିଗଲା ଜୀବନ । ବୁର୍ଲାସ୍ଥିତ ଭିସୁଟ୍ ରେଜିଷ୍ଟ୍ରାରଙ୍କ ଅଭିଯୋଗ ପରେ ପୋଲିସ ଏବଂ ଦମକଳବାହିନୀ ଗତ ରାତିରେ ଏବଂ ଆଜି ଚଳାଇଥିଲେ ସର୍ଚ୍ଚ ଅପରେସନ । ଶେଷରେ ଆଜି ସକାଳୁ ପାୱାର ଚାନେଲର ଜଳରାଶି ଭିତରୁ ମିଳିଥିଲା ଚିନ୍ମୟୀଙ୍କ ମୃତଦେହ । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଚିନ୍ମୟୀଙ୍କ ପରିବାର ଲୋକେ ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ଚିନ୍ମୟୀ, INFORMATION AND TECHNOLOGY ବ୍ରାଞ୍ଚରେ ଭିସୁଟରୁ ପାସଆଉଟ୍ ହୋଇଥିଲେ । କାଲି ଥିଲା ଭିସୁଟର ସମାବର୍ତ୍ତନ ଉତ୍ସବ । ଯେଉଁ ଉତ୍ସବକୁ ଆସିଥିଲେ ଚିନ୍ମୟୀ । ସାର୍ଟିଫିକେଟ୍ ପାଇଥିଲେ, ଗର୍ବରେ ଫଟୋଟିଏ ବି ଉଠାଇଥିଲେ । ଏହି ସମାବର୍ତ୍ତନ ଉତ୍ସବକୁ ଚିନ୍ମୟୀଙ୍କ ସହପାଠୀ ତଥା ବନ୍ଧୁ ପ୍ରୀତିମାନ ବି ଆସିଥିଲେ । ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା । ଅପରାହ୍ନରେ ଏକ ଢାବାରେ ଖିଆପିଆ ବି କରିଥିଲେ ଦୁହେଁ । ଏହାପରେ ରାତିରେ ଚିନ୍ମୟୀ ବସରେ ଭୁବନେଶ୍ୱର ଫେରିବାର ଥିଲା । କିନ୍ତୁ ସେହି ରାତିରେ କ’ଣ ଘଟିଲା କେଜାଣି, ପାୱାରଚାନେଲର ଗଭୀର ଜଳରାଶି ଭିତରୁ ମିଳିଥିଲା ମୃତଦେହ ।

ଚିନ୍ମୟୀଙ୍କ ମା’ଙ୍କ କହିବା କଥା, ରାତିରେ ଝିଅକୁ ଫୋନ କରିଥିଲେ । ସେହି ସମୟରେ ଫୋନରେ ଅଜବ ଶୁଭୁଥିଲା ଚିନ୍ମୟୀଙ୍କ ସ୍ୱର । ଆଉ ଆଜି ମୃତଦେହ ମିଳିବା ସହ ବେକ ଓ ଶରୀରର କିଛି ସ୍ଥାନରେ ଦାଗ ଥିବାରୁ ଝିଅକୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଚିନ୍ମୟୀଙ୍କ ମା’ ।

ସହପାଠୀ ପ୍ରୀତିମାନଙ୍କ ଭୁବନେଶ୍ୱର ସ୍ଥିତ ଘରପାଖରେ ରହୁଥିଲେ ଚିନ୍ମୟୀ । ଉଭୟ ସିଡିଏସ୍, ଓପିଏସ୍‌ସି ଭଳି ନାନା କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇବା ସହ କୋଚିଂ ନେଉଥିଲେ । ଗୃହ ବିଭାଗରେ ଯୁଗ୍ମ ସଚିବ ଥିବା ପ୍ରୀତିମାନଙ୍କ ବାପା କହିଛନ୍ତି, ଉଭୟେ ଭଲ ବନ୍ଧୁ ଥିଲେ । ପୋଲିସ ନିରପେକ୍ଷ ଭାବେ ତଦନ୍ତ କରୁ। ସେପଟେ ପୋଲିସ ପ୍ରୀତିମାନଙ୍କୁ ଧରି ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।