ଇନ୍ଦୋରର ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ମର୍ଡର ଖବରକୁ ନେଇ ଏ ଯାଏଁ ଚର୍ଚ୍ଚା ନ ଥମୁଣୁ ଏବେ ସେହିଭଳି ଆଉ ଏକ ହତ୍ୟାକାଣ୍ଡର ଖବର ତେଲେଙ୍ଗାନାରୁ ସାମ୍ନାକୁ ଆସିଛି । ଏଠି ପ୍ରେମିକ ପାଇଁ ବିବାହର ମାତ୍ର ୧ ମାସ ମଧ୍ୟରେ ସ୍ୱାମୀର ଜୀବନ ନେଇଛି ରାକ୍ଷସୀ ନବବଧୂ । ପୋଲିସ ହାତରେ ଲାଗିଛି ସ୍ୱାମୀର କ୍ଷତବିକ୍ଷତ ଗଳିତ ମୃତଦେହ ।
ସୂଚନା ମୁତାବକ, ମେ ୧୮ ତାରିଖରେ ତେଲେଙ୍ଗାନାର ଗଡୱାଲ ଜିଲ୍ଲାର ଜଣେ ଭୂମି ସର୍ବେକ୍ଷକ ତେଜେଶ୍ୱରଙ୍କ ବିବାହ କୁର୍ନୁଲ ଜିଲ୍ଲାର ଐଶ୍ୱର୍ଯ୍ୟାଙ୍କ ସହିତ ହୋଇଥିଲା । ହେଲେ ବିବାହର ୫ ଦିନ ପୂର୍ବରୁ ହଠାତ ଐଶ୍ୱର୍ଯ୍ୟା କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଏହାପଛରେ ପ୍ରେମ ସମ୍ପର୍କର ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ କିଛି ଦିନ ପରେ ଐଶ୍ୱର୍ଯ୍ୟା ଫେରିଆସିଲେ ଏବଂ ତେଜେଶ୍ୱରଙ୍କୁ ଆଶ୍ୱାସନା ଦେଲେ ଯେ ତାଙ୍କର କାହା ସହିତ କୌଣସି ସମ୍ପର୍କ ନାହିଁ । ତାଙ୍କ ମାଆ ଯୌତୁକ ଦେବାରେ ଅକ୍ଷମ ଥିବାରୁ ସେ ଚାଲିଯାଇଥିଲେ । ପରେ ସର୍ବସମ୍ମତିରେ ଦୁହିଁଙ୍କ ବିବାହ ଧୂମଧାମରେ ହୋଇଥିଲା ।
ହେଲେ ବିବାହର ମାତ୍ର ଗୋଟିଏ ମାସ ପରେ ଅର୍ଥାତ ଜୁନ ୧୭ରେ ତେଜେଶ୍ୱର ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ତାଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ବହୁ ଖୋଜାଖୋଜି ପରେ କିଛି ଦିନ ପରେ ତେଜେଶ୍ୱରଙ୍କ ଗଳିତ ମୃତଦେହ ଆନ୍ଧ୍ରପ୍ରଦେଶର ନାନ୍ଦୟାଲ ଜିଲ୍ଲାର ପାନ୍ୟାମ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ପରେ ଏକ ଚାଞ୍ଚଲ୍ୟକର ସତ ସାମ୍ନାକୁ ଆସିଥିଲା । କାରଣ ତେଜେଶ୍ୱରଙ୍କ ହତ୍ୟା ପଛରେ ଆଉ କେହି ନୁହଁ ବରଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଓ ତାଙ୍କ ପ୍ରେମିକ ଥିଲେ ।
ଅଧିକ ପଢନ୍ତୁ: ଗଣଦୁଷ୍କର୍ମର ଭିଡିଓ ବନାଇଥିଲେ ଅଭିଯୁକ୍ତ, କ୍ରାଇମବ୍ରାଞ୍ଚ ହାତରେ ଡିଜିଟାଲ ପ୍ରମାଣ
ବିବାହ ପୂର୍ବରୁ ଐଶ୍ୱର୍ଯ୍ୟା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଭଲ ପାଉଥିଲେ । ବିବାହ ପରେ ମଧ୍ୟ ଫୋନ ଯୋଗେ ଘଣ୍ଟା ଘଣ୍ଟା ଧରି ତାଙ୍କ ସହ କଥା ହେଉଥିଲେ । ତେବେ ଏ କଥା ତେଜେଶ୍ୱର ଜାଣିଦେବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ପ୍ଲାନ କରିଥିଲେ ଐଶ୍ୱର୍ଯ୍ୟା ଓ ତାଙ୍କ ପ୍ରେମିକ । ଜମି ସର୍ଭେ ବାହାନାରେ ତାଙ୍କୁ ଘରୁ ଡ଼କାଇ ତେଜେଶ୍ୱରଙ୍କୁ ହତ୍ୟା କରିଥିଲେ। ବର୍ତ୍ତମାନ ପୋଲିସ ଐଶ୍ୱର୍ଯ୍ୟାଙ୍କୁ ଗିରଫ କରିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ଫେରାର ଅଛନ୍ତି ।