ଆମେରିକା ଆର୍ମି ବେସକୁ କେହି ଟାର୍ଗେଟ୍ କରିବାକୁ ସାହସ କରିନଥିଲେ । ଆମେ କରି ଦେଖାଇଲୁ ବୋଲି କହିଲା ଇରାନ୍ । ଆମେରିକାକୁ ନାଲିଆଖି ଦେଖାଇ ଆକ୍ରମଣ କରିବାକୁ ପଛାଇଲା ନାହିଁ ଇରାନ୍ । ଆମେରିକାକୁ ଦେଇଛି କଡ଼ା ଜବାବ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଡକ୍ଟର ଇରାଜ ଏଲାହି । ସେ କହିଛନ୍ତି, କତାର ଓ ଇରାକରେ ଥିବା ଆମେରିକାର ମିଲିଟାରୀ ବେସ୍ ଉପରେ ତେହରାନର ଆକ୍ରମଣ ଅପ୍ରତ୍ୟାଶିତ ଥିଲା । ପୁଣି ଥରେ ଯେ ଆକ୍ରମଣ ହେବନି, ତାହା କହି ହେବନି । ପୁଣି ଇରାନ୍ ଆକ୍ରମଣ କରିପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି ଏଲାହି । ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଏଣ୍ଟ୍ରି ମାରିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା । ସେଥିପାଇଁ ଇରାନ୍ ପ୍ରସ୍ତୁତ ଥିଲା । ତାହା ହିଁ ହେଲା ।
କୌଣସି ଦେଶ ଆମେରିକାର ମିଲିଟାରୀ ବେସକୁ ଆଗରୁ ଟାର୍ଗେଟ୍ କରିନଥିଲେ । ଇରାନ୍ ଆକ୍ରମଣ କଲା । ଏହାକୁ ଆପଣ ପ୍ରତୀକାତ୍ମକ ପ୍ରତିକ୍ରିୟା ବୋଲି କହିପାରନ୍ତି । ଆମେରିକା ଯଦି ପୁଣି ଏପରି ଭୁଲ୍ କରେ, ଇରାନ୍ ଛାଡିବ ନାହିଁ ବୋଲି କହିଛନ୍ତି ଏଲାହି । ଜାତୀୟ ଗଣମାଧ୍ୟମକୁ ସେ ଏହା କହିଛନ୍ତି ।
Also Read
ମିଳିଥିବା ସୂଚନା ମୁତାବକ, ପ୍ରାୟ ୬ଟି ମିଜାଇଲ ମାଡ କରିଥିଲା ଇରାନ । ଏହି ଅପରେସନର ନାମ ‘ବସର ଅଲ୍-ଫତେହ’ ଦେଇଥିଲା ଇରାନ । ଅଲ୍ ଉଦିଦ୍ ହେଉଛି ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସବୁଠାରୁ ବଡ ବାୟୁସେନା ଘାଟି । ଏଠାରେ ପ୍ରାୟ ୧୦ ହଜାର ଆମେରିକୀୟ ସୈନିକ ଥିବା ବେଳେ ବ୍ରିଟେନ ସୈନ୍ୟମାନେ ମଧ୍ୟ ପାଳି କରି ଆସନ୍ତି । ଏଠାରେ ଆମେରିକାର ଯୁଦ୍ଧ ଓ ପରିବହନ ବିମାନ ସମେତ ବହୁ ସାମରିକ ଉପକରଣ ଓ ଯୁଦ୍ଧାସ୍ତ୍ର ମହଜୁଦ ରହିଛି ।