ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼ । ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ଫିଲ୍ଡ ଭଜିଟ ରିପୋର୍ଟରେ ଦର୍ଶାଇଥିଲା ରାଜ୍ୟ ଫୋରେନସିକ ସାଇନ୍ସ ଲ୍ୟାବ୍ । ରିପୋର୍ଟ ଅନୁୟାୟୀ ନବ ଦାସଙ୍କ ଗାଡ଼ି ଉପରେ ୩ଟି ଓ ପଛରେ ଆସୁଥିବା ସରକାରୀ ଗାଡ଼ି ଉପରକୁ ମଧ୍ୟ ୫ଟି ଗୁଳି ମାଡ଼ ହୋଇଥିଲା । ଗୋପାଳ ବ୍ୟତୀତ ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ତାକୁ ନେଇ ଉଠିଲା ପ୍ରଶ୍ନ ।
Also Read
କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଓ ଏସ୍ଏଫ୍ଏସ୍ଏଲ୍ର ରିପୋର୍ଟ ଅନୁସାରେ ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା । ପ୍ରଥମ ଗାଡ଼ି(ଓଡି ୧୫ ୟୁ ୬୧୯୭)ରେ ଖୋଦ୍ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ି(ଓଡି ୧୫ ଟି ୦୧୮୩)ରେ ତାଙ୍କର ସହଯୋଗୀମାନେ ବସିଥିଲେ ।
କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ୍, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି । ଏହାସହିତ ଗୋଟିଏ ଗୁଳି ସେ ଆକାଶରେ ଫୁଟାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ଅର୍ଥାତ୍ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା ।
ଅଧିକ ପଢ଼ନ୍ତୁ: କୁଆଡ଼େ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ?
କିନ୍ତୁ ଏସ୍ଏଫ୍ଏସ୍ଏଲ୍ର ରିପୋର୍ଟରେ ଏକ ଭିନ୍ନ ଦୃଶ୍ୟ ବର୍ଣ୍ଣନା କରାଯାଇଛି । ଦ୍ବିତୀୟ ଗାଡ଼ି ଯାହା ଏକ ଧଳା ରଙ୍ଗର ଇନୋଭା କାର୍ ଥିଲା ଉକ୍ତ କାର୍ର ସମ୍ମୁଖ ପାର୍ଶ୍ବରେ ‘ଓଡ଼ିଶା ସରକାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ’ ବୋଲି ଉଲ୍ଲେଖ ରହିଥିଲା । ୨୦୨୩ ମସିହା ଫେବ୍ରୁଆରୀ ୨ ତାରିଖ ସକାଳ ୯ଟା ସମୟରେ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଯାଞ୍ଚ ସମୟରେ ଏହି ଦ୍ବିତୀୟ ଗାଡ଼ିରେ ୫ଟି ଗନ୍ ସଟ୍ ହୋଲ୍ (Gun Shot Hole) ଅର୍ଥାତ୍ ଗୁଳି ଦ୍ବାରା ହୋଇଥିବା କଣା ଦେଖିବାକୁ ମିଳିଥିଲା । କାରର ବାମ ପାର୍ଶ୍ବରେ ଏହି ୫ଟି ଯାକ ଗୁଳି ବାଜିଥିଲେ ହେଁ ଏହି ଗୁଳିଗୁଡ଼ିକ କୁଆଡ଼େ ଗଲା ଓ ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି ସେ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ ନିଜ ରିପୋର୍ଟରେ କୌଣସି ତଥ୍ୟ ପ୍ରଦାନ କରିନି । ଗୋପାଳ ଦାସର ବନ୍ଧୁକରେ ଥିବା ସମସ୍ତ ଗୁଳିର ହିସାବ ମିଳୁଥିଲେ ହେଁ କେବଳ ନବ ଦାସଙ୍କ ଛାତିରେ ବାଜିଥିବା ଗୁଳିର ପତ୍ତା ମିଳିପାରିନି ।
ସେପଟେ, ପଛ କାର୍ରେ ଆଉ ୫ଟି ଗୁଳି ବାଜିଥିଲେ ହିଁ ଉକ୍ତ ଗୁଳି ଓ ଖୋକା ମିଳିପାରିନି । ଏଭଳି ସ୍ଥିତିରେ ନବ ଦାସଙ୍କୁ କେଉଁ ବନ୍ଧୁକରୁ ଗୁଳି ବାଜିଛି ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ସେହିପରି ପଛ ଗାଡ଼ିଟି ସରକାରୀ ଥିବା ବେଳେ ସେହି ଗାଡ଼ିରେ ନବ ଦାସ ବସିଥିବା ଆଶଙ୍କା କରି ଗୁଳି ବର୍ଷା କରାଯାଇଥିଲା କି ? କେତୋଟି ବନ୍ଧୁକ ପ୍ରକୃତରେ ବ୍ୟବହାର କରାଯାଇଥିଲା ? ଘଟଣାସ୍ଥଳରେ ଏତେ ଗୁଳି ମାଡ଼ ହେବା ପରେ କେହି କେମିତି କିଛି ଜାଣିପାରିନଥିଲେ ଆଦି ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି ।
ସେପଟେ, ଘଟଣା ସମୟରେ ନବ ଦାସଙ୍କୁ ଆହତ ଅବସ୍ଥାରେ ଉଠାଇ କାର୍ ଭିତରକୁ ନେଇଥିବା ଦ୍ବାରିକାନାଥ ପଣ୍ଡା ଓ ଶୁଭେନ୍ଦୁ ପଟ୍ଟନାୟକଙ୍କ ପୋଷାକ, ନବ ଦାସଙ୍କ ବେକରେ ପଡ଼ିଥିବା ଫୁଲ ମାଳ, ତାଙ୍କ ଚପଲକୁ କ୍ରାଇମ୍ବ୍ରାଞ୍ଚ ଜବତ କରିଥିବା ବେଳେ ନବ ଦାସ ଘଟଣା ସମୟରେ ପିନ୍ଧିଥିବା ସାର୍ଟ ଓ ନବ ଦାସ ବସିଥିବା କାର୍ ସିଟ୍ର ରକ୍ତ ଭିଜା ଟର୍କିସ୍ ସିଜର ଲିଷ୍ଟରୁ ଗାଏବ୍ ହୋଇଯାଇଛି ।