• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଗୋପାଳ ପାଗଳ ନୁହେଁ ବୋଲି ରାୟରେ ସ୍ପଷ୍ଟ କଲେ କୋର୍ଟ । କ୍ରାଇମବ୍ରାଞ୍ଚର ଆବେଦନ ଖାରଜ ଅବସରରେ କୋର୍ଟଙ୍କ ସ୍ପଷ୍ଟ ରାୟ ପ୍ରକାଶ ପାଇଲା । ଗତ ୩ ତାରିଖରେ ଝାରସୁଗୁଡ଼ା ଆଡିସିନାଲ ସେସନ୍ସ ଜଜ୍ କୋର୍ଟଙ୍କ ଅର୍ଡର କପିରୁ ଏହା ସ୍ପଷ୍ଟ ହୋଇଛି। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମନସ୍ତତ୍ତ୍ୱ ପରୀକ୍ଷଣ କରିଥିବା ଏସ୍‌ସିବି ମେଡିକାଲର ୪ ଜଣିଆ ବିଶେଷଜ୍ଞ ବୋର୍ଡ ଏ ସଂପର୍କିତ ରିପୋର୍ଟ ଗତ ଫେବ୍ରୁଆରୀ ୫ରେ ଦାଖଲ କରିଥିଲେ ।

ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ପରୀକ୍ଷା ବେଳେ ଜଣାପଡ଼ିଛି ଯେ, ଗୋପାଳ ସଚେତ ଅଛି, ସତର୍କ ଅଛି, ସହଯୋଗ କରୁଛି ଏବଂ କଥାବାର୍ତ୍ତା କରୁଛି । ଭଲଭାବେ ଆଖି ସହ ଆଖି ମିଶାଇବା ପାଇଁ ସେ ଶିଖିଛି । ସଂପର୍କ ବା ଯୋଗାଯୋଗ ସ୍ଥାପନ ହୋଇପାରୁଛି । ସ୍ଥିତି ମୁତାବକ ତାର ମୁଡ୍ ଓ ମନସ୍ଥିତି ସଠିକ୍ ରହିଛି । ସ୍ଥିତି ସଂପର୍କିତ କଥା ହେଉଛି ।

ଅଧିକ ପଢ଼ନ୍ତୁ: କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳ, ସାମ୍ନାକୁ ଆସିଲା କାରଣ...

ଚିନ୍ତାଧାରା ଓ ବୋଧଶକ୍ତିରେ କୌଣସି ଅସ୍ବାଭାବିକତା ନାହିଁ । ସ୍ମରଣଶକ୍ତି ଠିକ୍ ଅଛି । ବୁଦ୍ଧିମତା ମଧ୍ୟମ ଧରଣର । ଏହିସବୁ ଦୃଷ୍ଟିରୁ ମେଡିକାଲ୍ ବୋର୍ଡ କେଉଁଠି ବି ଅଭିଯୁକ୍ତ ଜଣକ କୌଣସି ମାନସିକ ରୋଗରେ ପୀଡ଼ିତ ବୋଲି ଠାବ କରିପାରିଲେ ନାହିଁ ବୋଲି ଦର୍ଶାଇଛନ୍ତି ।

କିଛି ଦିନ ପୂର୍ବରୁ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଥିବା ବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଥିବା କୁହାଯାଇଥିଲା । ବ୍ୟକ୍ତିଗତ କାରଣରୁ ନବଙ୍କୁ ହତ୍ୟା କରିଥିବା କଥା ଅଭିଯୁକ୍ତ ଗୋପାଳ ସ୍ୱୀକାର କରିଥିଲା । ଏନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ଦିଆଯାଇଥିଲା । ତେବେ ଏହାର ସତ୍ୟାସତ୍ୟ ପରୀକ୍ଷା ଉପରେ କ୍ରାଇମ୍‌ବ୍ରାଞ୍ଚ ଜୋର ଦେଇଥିଲା ।

ଏହା ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅରୁଣ ବୋଥ୍ରା ଏକାଧିକ ଥର ଜଷ୍ଟିସ ଜେ.ପି. ଦାସଙ୍କୁ ଭେଟି ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିବା ମଧ୍ୟ ସୂଚନା ମିଳିଥିଲା । ତଦନ୍ତ ଠିକ୍‌ ଢଙ୍ଗରେ ଚାଲିଛି ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମାମଲାର ତଦନ୍ତ ଶେଷ ହୋଇ ଚାର୍ଜସିଟ୍‌ ଦାଖଲ ହେବ ବୋଲି କୁହାଯାଉଥିଲା ।