• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭାଇ ସାଜିଲା ପିଶାଚ । ନିଜ ଜନ୍ମକଲା ମା’ ସହ ୪ ଭଉଣୀଙ୍କୁ କଲା ହତ୍ୟା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୪ ଜଣ ଭଉଣୀଙ୍କ ମଧ୍ୟରୁ ଦୁଇ ଜଣ ନାବାଳିକା ଥିବା ସୂଚନା ମିଳିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ । ଯେଉଁଠାରେ ନୂଆ ବର୍ଷ ଅବସରରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଛି । ଲକ୍ଷ୍ନୌର ହୋଟେଲ ଶରଣଜିତରୁ ପରିବାରର ସମସ୍ତ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ହତ୍ୟାକାଣ୍ଡ ପରିବାରର ଜଣେ ସଦସ୍ୟଙ୍କ ଦ୍ୱାରା କରାଯାଇଛି ।

ସୂଚନା ଅନୁସାରେ ହୋଟେଲ ଶରଣଜୀତରେ ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ପ୍ରାଥମିକ ସୂଚନାରୁ ଏହି ହତ୍ୟାକାଣ୍ଡ ପାରିବାରିକ କଳହରୁ ହୋଇଥାଇପାରେ ବୋଲି କୁହାଯାଉଛି । ତେବେ ଏହି ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିବା ପରେ ପୋଲିସ୍ ଅଭିଯୁକ୍ତ ଅର୍ଶଦକୁ ଗରିଫ କରିଛି । ପ୍ରାରମ୍ଭିକ ତଦନ୍ତରୁ ଅଭିଯୁକ୍ତ ହତ୍ୟାକାଣ୍ଡର କାରଣ ପାରିବାରିକ କଳହ ବୋଲି କହିଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ବାସ୍ତବରେ ଘଟଣା କ’ଣ ଥିଲା, ଯେଉଁଥିପାଇଁ ଅଭିଯୁକ୍ତ ତା’ର ମାଆ ଓ ୪ ଭଉଣୀଙ୍କୁ ହତ୍ୟା କଲା, ସେନେଇ ପୋଲିସ୍‌ ଏବେ ବି ତଦନ୍ତ ଜାରି ରଖିଛି ।

ଅଭିଯୁକ୍ତ ଅର୍ଶଦ ତାଙ୍କ ମା ଏବଂ ଯେଉଁ ଚାରି ଭଉଣୀଙ୍କୁ ହତ୍ୟା କରିଛି ସେମାନେ ହେଉଛନ୍ତି, ୯ ବର୍ଷୀୟ ଆଲିଆ, ୧୯ ବର୍ଷୀୟ ଆଲଶିଆ, ୧୬ ବର୍ଷୀୟ ଆକ୍ସା ଏବଂ ୧୮ ବର୍ଷୀୟ ରହମେନ । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଘଟଣାସ୍ଥଳରୁ ସମସ୍ତ ପ୍ରମାଣ ସଂଗ୍ରହ କରିଛି ।

ଅଧିକ ପଢ଼ନ୍ତୁ: ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ଫୁଟିଲା ଗୁଳି, ବୁଲିଲା ଛୁରୀ

କୁହାଯାଉଛି ଯେ ଅର୍ଶଦ ମଙ୍ଗଳବାର ଦିନ ତାଙ୍କ ପରିବାର ସହିତ ଆଗ୍ରାଠାରୁ ଲକ୍ଷ୍ନୌ ଆସିଥିଲେ । ଯେଉଁଠାରେ ସେ ହୋଟେଲ ଶରଣଜିତରେ ରହିଥିଲେ । ଆଉ ସେହି ହୋଟେଲରେ ସେ ଏଭଳି ଏକ ଭୟାନକ ହତ୍ୟାକାଣ୍ଡ କରିଥିଲା । ସୂଚନା ଅନୁସାରେ ଅର୍ଶଦ ଏବଂ ତାଙ୍କ ପରିବାର ଆଗ୍ରାର ବାସିନ୍ଦା । ଯେଉଁଠାରେ ସେମାନେ ଇସଲାମ ନାଗରର ଟେଡି ବାଗିଆ କୁବେରପୁରରେ ରୁହନ୍ତି । ଏହି ଘଟଣା ସମ୍ପର୍କରେ ସେଣ୍ଟ୍ରାଲ ଡିସିପି ରଭୀନା ତ୍ୟାଗୀ ପ୍ରତିକ୍ରିୟା ରଖିଛନ୍ତି ।

ସେଣ୍ଟ୍ରାଲ୍ ଡିସିପି କହିଛନ୍ତି,‘ହୋଟେଲ ଶରଣଜିତର ଏକ କୋଠରୀରୁ ଆଜି ପାଞ୍ଚ ଜଣଙ୍କ ମୃତଦେହ ମିଳିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଆଗ୍ରା ନିବାସୀ ୨୪ ବର୍ଷୀୟ ଅର୍ଶଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ପ୍ରାରମ୍ଭିକ ପଚରାଉଚରା ବେଳେ ସେ ଏହି ହତ୍ୟାକାଣ୍ଡକୁ ସ୍ୱୀକାର କରିଥିଲା । ପାରିବାରିକ କଳହ ହେତୁ ସେ ତାଙ୍କର ଚାରି ଭଉଣୀ ଏବଂ ମା’ଙ୍କୁ ହତ୍ୟା କରିଥିବା ଅର୍ଶଦ କହିଛନ୍ତି’ । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ; ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍...

OTV is now on Whatsapp

Join and get latest news update delivered to you via whatsapp

Join Now