• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାକିରି ଖୋଜୁ ଖୋଜୁ ଆକାଉଣ୍ଟ ଖାଲି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି ଏକ ଘଟଣା ଘଟିଛି ଖୋଦ୍ ରାଜଧାନୀ ରେ । ରାଜଧାନୀର ଜଣେ ମହିଳା ନୌକରୀ ଡଟ୍‌ କମ୍‌ରେ ଚାକିରି ଖୋଜିବାକୁ ଚେଷ୍ଟା କରୁଥିଲେ । ହେଲେ ସେ ସଫଳ ହେଲେନି । ତେଣୁ ଗୁଗୁଲରେ ଏହାର ପଦ୍ଧତି ବିଷୟରେ ଜାଣିବାକୁ ସର୍ଚ୍ଚ କରିବା ଆରମ୍ଭ କଲେ । ଆଉ ତାହା ହିଁ ଥିଲା ତାଙ୍କର ସବୁଠୁ ବଡ଼ ଭୁଲ । ଯେଉଁଥିପାଇଁ ତାଙ୍କୁ ହରାଇବାକୁ ପଡ଼ିଛି ୨୬ ଲକ୍ଷ ଟଙ୍କା ।

ନୌକରୀ ଡଟ୍ କମ୍‌ରେ ଚାକିରି ବିଷୟରେ ଜାଣିବାକୁ ଯାଇ ୨୬ ଲକ୍ଷରୁ ଅଧିକ ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି ମହିଳା । କଲିକତାର ଦୁଇ ସାଇବର ଠକ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ସେମାନଙ୍କୁ ପୋଲିସ ଗିରଫ କରିଛି । ଦୁଇ ଜଣଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଆଦାୟ କରିଛି ସାଇବର ଥାନା ପୋଲିସ ।

ତେବେ ପୁରା ଘଟଣାଟି ଥିଲା ଏମିତି, ପ୍ରଥମେ ମହିଳା ଯେତେବେଳେ ଗୁଗୁଲରେ ନୌକରୀ ଡଟ୍‌କମ ବିଷୟରେ ସର୍ଚ୍ଚ କଲେ ସେତେବେଳେ ସେ ସଠିକ୍‌ ସ୍ଥାନରେ ପହଞ୍ଚିନଥିଲେ । ସେ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଥିଲେ । ସାଇବର ଠକ ତାଙ୍କୁ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାରର ଲୋଭ ଦେଖାଇଥିଲେ । ଆଉ ସେହି ଲୋଭରେ ପ୍ରଲୋଭିତ ହୋଇଥିଲେ ମହିଳା । ଆଉ ତାପରେ ସାଇବର ଠକଙ୍କ ଜାଲରେ ପଡ଼ିଥିଲେ ।

ଅଧିକ ପଢ଼ନ୍ତୁ: କ୍ରିପ୍ଟୋ ଇନଭେଷ୍ଟ ନାଁରେ ସାଇବର୍‌ ଲୁଟ୍‌ : ରାଜଧାନୀରେ ମାସକରେ ୨୫ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ

ଜଣେ ବ୍ୟକ୍ତି ପ୍ରଥମେ ମହିଳାଙ୍କୁ ଫୋନ୍ କରି ପ୍ରଲୋଭିତ କରିବା ପରେ ଆଉ ଜଣେ ବ୍ୟକ୍ତି ମହିଳାଙ୍କୁ କଲ୍ କରି କାମ ବିଷୟରେ ବୁଝାଇଥିଲେ । ଆଉ ସେ ନିଜକୁ ଆମାଜନ୍‌ର କର୍ମଚାରୀ ବୋଲି କହିଥିଲେ । ଆଉ ତାଙ୍କୁ ବୁଝାଇଥିଲେ ଯେ, ଘରେ ବସି କେବଳ ପ୍ରଡକ୍ଟ ଦେଖି ଓ କିଣି ଲାଇକ୍‌ ସେୟାର କରିବେ ଏବଂ ସେଥିରେ ଏନ୍‌ଗେଜ୍‌ମେଣ୍ଟ ବଢ଼ାଇବେ । ଆଉ ଏଥିରୁ ହିଁ ତାଙ୍କୁ ଭଲ ରୋଜଗାର ମିଳିବ ।

ପ୍ରଥମେ ଗୋଟିଏ କି ଯୋଡ଼ିଏ ନୁହେଁ ମହିଳା ଜଣକ ଏଥିରେ ୧୪ ଲକ୍ଷ ଟଙ୍କା ନିବେଶ କରିଥିଲେ । ସେଥିରୁ ତାଙ୍କୁ ପ୍ରାୟ ଦୁଇ ଲକ୍ଷ ଟଙ୍କା କମିଶନ ମିଳିଥିବା ମଧ୍ୟ ମହିଳା କହିଥିଲେ । ଆଉ ଏହି ସବୁ ଟଙ୍କା ତାଙ୍କ ଡିଜିଟାଲ ୱେଲଟ୍‌ରେ ରହିଥିଲା । ତେବେ ସେହି ୱାଲେଟ୍‌ରୁ ଟଙ୍କା କାଢ଼ିବା ପାଇଁ ସେ ଆହୁରି ଟଙ୍କା ନିବେଶ କରିଥିଲେ । ଏଭଳି ପ୍ରାୟ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେ ନିବେଶ କରିଥିଲେ । ହେଲେ ବାସ୍ତବରେ ଏହି ଟଙ୍କା ଆଉ ତାଙ୍କ ପାଖକୁ ଫେରିନଥିଲା ।

କେବଳ ଏହି ଜଣେ ମହିଳା ନୁହନ୍ତି, ଆଉ ଜଣେ ବ୍ୟକ୍ତି ଏଭଳି ୭୫ ହଜାର ଟଙ୍କା ନିବେଶ କରି ସାଇବର ଠକେଇର ଶିକାର ହୋଇଛନ୍ତି । ତେବେ ପୋଲିସ ଏହି ଦୁଇଟି ଘଟଣା ଉପରେ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଏହାର ମାଷ୍ଟର ମାଇଣ୍ଡ ଫେରାର ଥିବା ଜଣାପଡ଼ିଛି ।