• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ ଖୋଲି ଡ୍ୟାନ୍ସ କରୁଥିଲେ ଡାକ୍ତର ଶୁଭଶ୍ରୀ କର । ଏକ ପପୁଲାର୍ ହିନ୍ଦୀ ଗୀତର ତାଳରେ ତାଳ ମିଶାଇ ହସ୍ପିଟାଲରେ ସହକର୍ମୀଙ୍କ ସହିତ ନାଚୁଥିଲେ । ପୁରା ବେଫିକର୍.. ବିନ୍ଦାସ୍.. । ଡିସେମ୍ବର ୩୧ ବିଳମ୍ବିତ ରାତି ପ୍ରାୟ ଦେଢ଼ଟା ଯାଏ ଚାଲିଥିଲା ଶୁଭଶ୍ରୀଙ୍କ ଜିରୋ ନାଇଟ୍ ସେଲିବ୍ରେସନ୍ । ନାଚ ଗୀତରେ ନ୍ୟୁ-ୟରକୁ ସ୍ୱାଗତ କରିବା ପରେ ହସ୍ପିଟାଲର ଉପର ମହଲାରେ ଥିବା ନିଜ ରୁମ୍‌କୁ ଯାଇଥିଲେ ଶୁଭଶ୍ରୀ ।

ନୂଆବର୍ଷ ସକାଳ ୭ଟାରେ ସେଠାକୁ ଆସିଥିଲେ ତାଙ୍କ ପାଇଁ ରୋଷେଇ କରୁଥିବା ମହିଳା । ବାରମ୍ବାର କବାଟ ବାଡ଼େଇ ଥିଲେ ବି ଶୁଭଶ୍ରୀ କିଛି ଉତ୍ତର ଦେଇନଥିଲେ । ସହକର୍ମୀମାନେ ବି ବାରମ୍ବାର ଫୋନ୍ କରିଥିଲେ, କବାଟ ବାଡ଼େଇଥିଲେ । କିଛି ଫଳ ନହେବାରୁ ଶେଷରେ ପୋଲିସକୁ ଖବର ଦିଆଯାଇଥିଲା । ସଂଧ୍ୟାରେ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ୍ ଶୁଭଶ୍ରୀଙ୍କ ରୁମ୍‌ର କବାଟ ଭାଙ୍ଗିଥିଲା । ଯେଉଁ ବ୍ଲ ଜିନ୍ସ ଓ ବ୍ଲାକ୍ ଟପ୍‌ସରେ ଶୁଭଶ୍ରୀ ଡାନ୍ସ କରୁଥିଲେ, ସେହି ଡ୍ରେସ୍‌ରେ ହିଁ ବେଡ୍‌ରେ ସେ ପଡ଼ିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ଶୁଭଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ ।

କଟକ ବୟାଳିଶ ମୌଜା ବେଣ୍ଟକାରରେ ଡାକ୍ତର ଶୁଭଶ୍ରୀ କରଙ୍କ ଘର । ବୟସ ମାତ୍ର ୨୫ ବର୍ଷ । ସେ ଚାକିରି କରୁଥିଲେ କେନ୍ଦୁଝର ଯୋଡ଼ାର ବନେଇକଳା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ତାଙ୍କ ରୁମ୍‌କୁ ଯାଇ ଛାନ୍‌ଭିନ୍ କରିଛି । ଶୁଭଶ୍ରୀଙ୍କ ରୁମ୍‌ରୁ ତାଙ୍କର ଫୋନ୍, କିଛି ମେଡିସିନ ଓ କାଗଜପତ୍ର ଜବତ କରାଯାଇଥିବାର ସୂଚନା ମିଳିଛି । ଏକ ଶିଶିରେ କିଛି ଗୁଣ୍ଡ ଥିଲା, ପରୀକ୍ଷା ପାଇଁ ତାର ନମୁନା ଲାବରୋଟୋରିକୁ ପଠାଯିବ ।

ଏହା ଭିତରେ ଜଣାପଡ଼ିଛି ଏକ ଚାଞ୍ଚଲ୍ୟକର କଥା । ଯୋଡ଼ା ନିକଟ ରୁଗୁଡ଼ିରେ ଥିବା ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ଡିସେମ୍ବର ୨୦ ତାରିଖରେ ଏତଲା ଦେଇଥିଲେ ଶୁଭଶ୍ରୀ । ଏଥିରେ ସେ ଉଲ୍ଲେଖ କରିଥିଲେ, ଉଭୟଙ୍କ ମଧ୍ୟରେ କିଛି ବର୍ଷ ହେଲା ସଂପର୍କ ଥିଲା । ବିବାହର ପ୍ରତିଶ୍ରୁତି ଦେଖାଇ ଦିବ୍ୟରଂଜନ ଶାରୀରିକ ସଂପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି । ବଡ଼ବିଲ୍ ଜେଏମ୍ଏଫ୍‌ସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇଥିଲା । ଏବେ ଶୁଭଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଓ ଦିବ୍ୟରଂଜନଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହେବା ଛିଡ଼ା କରିଛି ଅନେକ ପ୍ରଶ୍ନ ।

ଜିରୋ ନାଇଟ୍ ସେଲିବ୍ରେସନ ସାରି ଶୁଭଶ୍ରୀ ନିଜ ରୁମ୍‌କୁ ଶୋଇବାକୁ ଯିବା ଓ ସକାଳ ୭ଟା ମଧ୍ୟରେ ଏମିତି କଣ ହେଲା ଯେ ଶୁଭଶ୍ରୀଙ୍କ ଜୀବନ ଚାଲିଗଲା ? ଏହା ପଛର କାରଣ କଣ ହୋଇପାରେ, ଲଭ୍ ଚକ୍କର କି ବ୍ରେକ୍ ଅପ୍ ନୁହେଁ ତ ? ଏହାପଛରେ ତଥାକଥିତ ବୟଫ୍ରେଣ୍ଡର କିଛି ଭୂମିକା ନାହିଁ ତ ? ଶୁଭଶ୍ରୀଙ୍କ ମୃତ୍ୟୁ ଏମିତି ବହୁତ ପ୍ରଶ୍ନ ଛିଡ଼ା କରିଛି ।

(ରିପୋର୍ଟ-ଦୀପକ କୁମାର ଶତପଥୀ, ଚମ୍ପୁଆ )