ଇଏ ତାଲିବାନ ଶାସନଠୁ କୌଣସି ଗୁଣରେ କମ୍ ନୁହେଁ । ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳର ଘଟଣା ବି ନୁହେଁ । ରାଜ୍ୟ ପୋଲିସ୍ ମୁଖ୍ୟାଳୟ ଥିବା କଟକ ଜିଲ୍ଲାର ଘଟଣା । ଜଣେ ଯୁବକଙ୍କୁ ଘରୁ ଟାଣି ଟାଣି ନେଇ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସ୍ତ୍ରୀ ସାମନାରେ ସ୍ୱାମୀକୁ ହତ୍ୟା କରାଯାଇଛି । ମାଡ଼ ମାରୁଥିବା ଦୁର୍ବୃତ୍ତମାନଙ୍କୁ ନିଜ ସ୍ୱାମୀକୁ ଛାଡିଦେବା ପାଇଁ ନେହୁରା ହୋଇଥିଲା ପତ୍ନୀ । କିନ୍ତୁ ରକ୍ତମୁଖା ଯୁବକମାନଙ୍କ ଉପରେ କିଛି ପ୍ରଭାବ ପଡିନଥିଲା । ବରଂ ଧମକ ଦିଆଯାଇଥିଲା, ଯିଏ ପାଖକୁ ଆସିବ ସିଏ ମରିବ । ଏକଥା କହିଛନ୍ତି ମୃତ ଯୁବକଙ୍କ ପତ୍ନୀ ସବିତା ଜେରାଇ । ଗୁରୁଡିଝାଟିଆ ଥାନା ଗୋବରା ପଞ୍ଚାୟତ ଓରିଙ୍ଗାବାଡି ଗାଁରେ ଘଟିଛି ଏହି ଘଟଣା। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ ।
ମୃତ ଯୁବକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଏ ଘଟଣା ଗତକାଲି ଅପରାହ୍ନର । ଏହି ଯୁବକଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ । ଏହା ପରେ ଯୁବକଜଣକ ଭୟରେ ଦୌଡି ଦୌଡି ଚାଲିଆସିଥିଲେ । ତାଙ୍କ ପଛେ ପଛେ ପ୍ରାୟ ୧୦ /୧୨ ଜଣ ଠେଙ୍ଗାବାଡି ଧରି ଆସି ଘରେ ପହଞ୍ଚି ଯାଇଥିଲେ । ଯେତେ ଅନୁରୋଧ କଲେ ବି ଜୋର୍ ଜବରଦସ୍ତ ଗାଁ ବାହାରକୁ ନେଇଯାଇଥିଲେ । ସେଠାରେ ପୁଣି ପିଟିଥିଲେ । ଉଡିଯାଇଥିଲା ୩୫ ବର୍ଷୀୟ ଯୁବକଙ୍କ ପ୍ରାଣବାୟୁ । ପିଟି ଚାଲିଥିଲା ବେଳେ ମୃତ ଯୁବକଙ୍କ ଭାଇ ଓ ଭଣଜା ଉଦ୍ଧାର କରିବାକୁ ଯାଉଥିଲେ । ସେମାନେ ବି ଆକ୍ରମଣର ଶିକାର ହୋଇଥିଲେ । ଏହି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଛି, ସେ ସଂପର୍କରେ ଯୁବକଙ୍କ ପରିବାର ପକ୍ଷରୁ କିଛି କୁହାଯାଇନାହିଁ । କିନ୍ତୁ କେଉଁମାନେ ହତ୍ୟା କରିଛନ୍ତି, ସେମାନଙ୍କ ନାଁ କହୁଛନ୍ତି ଯୁବକଙ୍କ ପରିବାର । ଗୁରୁଡିଝାଟିଆ ପୋଲିସ୍ ଘଟଣାର ତଦନ୍ତ କରୁଛି । ଚୌଦ୍ୱାର ଏସଡିପିଓ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ ।
ଅଧିକ ପଢ଼ନ୍ତୁ : KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ବନ୍ଧା ହେଲା ବୟଫ୍ରେଣ୍ଡ୍
ନିଜର ନାମ ଗୋପନ ରଖି ଜଣେ ଗ୍ରାମବାସୀ କହିଛନ୍ତି ଯେ, ଏହି ଗାଁରେ ଜଣେ ବ୍ୟକ୍ତି ପାଚେରୀ ନିର୍ମାଣ କରୁଛନ୍ତି । ନିର୍ଦ୍ଧାରିତ ଜମି ଠାରୁ ଅଧିକ ଜମିରେ ପାଚେରୀ ନିର୍ମାଣ କାମ ଚାଲିଛି । ଗାଁର କିଛି ଲୋକ ଏହି ପାଚେରୀ ନିର୍ମାଣକୁ ବିରୋଧ କରୁଛନ୍ତି । ଏହି ଯୁବକ ମଧ୍ୟ ସରକାରୀ ଜମିରେ ପାଚେରୀ ନିର୍ମାଣକୁ ବିରୋଧ କରୁଥିଲେ । ଏହି କାରଣରୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ନୀରବତା ଅବଲମ୍ୱନ କରୁଥିବାରୁ ତଦନ୍ତ ନେଇ ସାଧାରଣ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଛି ।
ଅଧିକ ପଢ଼ନ୍ତୁ : ଭୋଜି ପାଇଁ ଗଡ଼ିଲା ମୁଣ୍ଡ; ବର ପକ୍ଷର ଜଣଙ୍କୁ ଗୁଳି ମାରିଦେଲେ କନ୍ୟାଙ୍କ ଦାଦା
- Reported by:
- NILAKANTHA DORA