• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା ସରକାରୀ କର୍ମଚାରୀଙ୍କ ଛାତି ଏବେ ଧଡ଼ଧଡ଼ । ଡାକ ବିଭାଗରୁ ଶିକ୍ଷା ବିଭାଗ ଯାଏଁ ଲମ୍ବିଥିବା ନକଲି ଭୂତକୁ ଛଡ଼ାଇବା ପାଇଁ ପଣ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ରାଜ୍ୟବ୍ୟାପି କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛିି ଡାକ ବିଭାଗ । ଏପରିକି ଶିକ୍ଷା ବିଭାଗରେ ବି ଚାଲିଛି ତନାଘନା । ଏସବୁ ଭିତରେ ବଲାଙ୍ଗିରସମ୍ବଲପୁର ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ ଆଗକୁ ଦଲାଲଙ୍କ ସହ ସରକାରୀ କର୍ମଚାରୀଙ୍କ ଚେହେରା ପଦାକୁ ଆସିବ ବୋଲି କୁହାଯାଉଛି ।

ଖୋଲୁଛି ନକଲି ସାର୍ଟିଫିକେଟର ପେଡ଼ି । ଫିଟୁଛି ଜାଲି କର୍ମଚାରୀଙ୍କ କେଳେଙ୍କାରୀ । ନକଲି ସାର୍ଟିଫିକେଟ କାରବାରର ପେଣ୍ଠସ୍ଥଳ ବଲାଙ୍ଗିରରୁ ନିଇତି ଆସୁଛି ନୂଆ ତଥ୍ୟ । ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ସହ ୪ ଅଭିଯୁକ୍ତଙ୍କୁ ଛାଡ଼ି ଆଉ ୭ ଜଣିଆ ସିଣ୍ଡିକେଟର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । ଏହି ୭ ଜଣଙ୍କ ଭିତରେ ରହିଛନ୍ତି କିଛି ଦଲାଲ ଓ ସରକାରୀ କର୍ମଚାରୀ ।ଯାହାଙ୍କୁ ଧରି ପଚରାଉଚରା କରୁଥିବା କ୍ରାଇମବ୍ରାଞ୍ଚ ଆଜି ନକଲି ସାଟିଫିକେଟ ତିଆରି ହେଉଥିବା କୋଚିଂ ସେଣ୍ଟରରୁ ଜବତ ୪ କମ୍ପ୍ୟୁଟର, ୨ ଲାପଟପକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବକୁ ପଠାଇବାକୁ SDJM କୋର୍ଟଙ୍କ ଅନୁମତି ପାଇଛି ।

ସେପଟେ ସମ୍ବଲପୁର ଫେକ୍ ସାର୍ଟିଫିକେଟ୍ ମାମଲାରେ ସାମ୍ନାକୁ ଆସିଛି ବଲାଙ୍ଗିର ଲିଙ୍କ । ୬ ଜଣ ଭିତରୁ ୩ ଜଣଙ୍କର ବଲାଙ୍ଗିର ଲିଙ୍କ୍ ଥିବା ପ୍ରମାଣ ପାଇଛି ସମ୍ବଲପୁର ପୋଲିସ । ଯାହାକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ଏହି ୬ ଜଣ ବରଗଡ, କଳାହାଣ୍ଡି, ଦେବଗଡ, ଭଦ୍ରକ ଓ ଜଗତସିଂପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଯେଉଁମାନେ ଉତ୍ତରପ୍ରଦେଶର ଏକ ଶିକ୍ଷାନୁଷ୍ଠାନରୁ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ମାଟ୍ରିକ ପାସ କରିଥିବା ଦର୍ଶାଇ ଜାଲ୍ ସାର୍ଟିଫିକେଟ ଦାଖଲ କରିଥିଲେ । କିନ୍ତୁ ସାର୍ଟିଫିକେଟ୍ ଭେରିଫିକେସନ ବେଳକୁ ଇଂରାଜୀରେ ଲେଖିଥିବା ଅଣ୍ଡରଟେକିଂ ହିଁ ଧରାପକାଇ ଦେଇଥିଲା ସବୁ କିଛିକୁ ।

ନକଲି ସାର୍ଟିଫିକେଟର ଚେର କେବଳ ଡାକ ବିଭାଗରେ ନୁହେଁ । ରାଜ୍ୟବ୍ୟାପି ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ବନିଛନ୍ତି ବହୁ ଲୋକ । କନ୍ଧମାଳ ଜିଲ୍ଲାରେ ୧୨ ଜଣଙ୍କ କେଳେଙ୍କାରୀ ଧରାପଡ଼ିବା ପରେ ଏହି ୧୨ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଆଗକୁ ଯିଏ ବି ଧରାପଡ଼ିବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । 

ସେପଟେ ଏଭଳି ନକଲି ସାର୍ଟିଫିକେଟ ହଇଚଇ ପରେ ଡାକ ଏବଂ ଶିକ୍ଷା ବିଭାଗର କର୍ମଚାରୀଙ୍କ ଖୋଲିବ ପୁରୁଣା ପେଡ଼ି । ୨୦୧୮ ପରଠୁ ଡାକ ବିଭାଗରେ ନିଯୁକ୍ତି ପାଇଥିବା ପୋଷ୍ଟମାଷ୍ଟର ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ହେବ। ଏହାବ୍ୟତୀତ ୧୯୮୨ଟି ପଦବୀ ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ ଏଯାଏଁ ପ୍ରାୟ ୪୩ଟି ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଛି । ତେଣୁ ଆଗାମୀ ନିଯୁକ୍ତି ବେଳକୁ SOP ଜାରି କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଡାକ ବିଭାଗ ନିର୍ଦ୍ଦେଶକ । ସେହିପରି ନକଲି ସାର୍ଟିଫିକେଟ ଦେଇ ଚାକିjg କରିଥିବା ୩ଶହ ଶିକ୍ଷକଙ୍କୁ ଚିହ୍ନଟ କରିଛି ଶିକ୍ଷା ବିଭାଗ । ଆଉ କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ଆସନ୍ତା ୨ ଦିନ ଭିତରେ BEO ଏବଂ DEO ମାନେ ରିପୋର୍ଟ ଦେବେ। ରିପୋର୍ଟ ପାଇଲେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ।