ପୋଲିସର ଭୂୟସୀ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ଘଟଣାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ବ୍ଲାଇଣ୍ଡ କେସ୍ ଥିଲା । ଅଭିଯୁକ୍ତ ହାଇଟେକ ଲୁଟେରା ସ୍ପାଇଡର୍ ଡେଇଁ ଡେଇଁ ଲୁଟୁଥିଲା । କାନ୍ଥରେ ଭରା ଦେଇ ଚଢି ଦୁଇ ମହଲାରେ ଚୋରି କରୁଥିଲା । ଚୋରି ଜିନିଷ ଧରି ଚମ୍ପଟ ମାରୁଥିଲା । ଏହି ଘଟଣାରେ ପୋଲିସ ହାତରେ କିଛି ପ୍ରମାଣ ନଥିଲା । ମୁଁ ନିର୍ଦ୍ଦେଶ ଦେଲି, ଚୋର ଯେଉଁଠି ଥିଲେ ଵି ଗିରଫ କରିବାକୁ । ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି ।
ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା । ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼ର ଏକ ବ୍ଲାଇଣ୍ଡ କେସରେ ମଧ୍ୟ ପୋଲିସ ସଫଳତାର ସହ କାମ କରିଛି ।
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଅଷ୍ଟମ ବ୍ୟାଚର ୪ ଜଣ DSP ଓ ଦ୍ୱାଦଶ ବ୍ୟାଚର ୧୭୧ ଜଣ SI ଆଜି ଆଜି ଟ୍ରେନିଂ ଶେଷ କରିଛନ୍ତି । ଟ୍ରେନି ଅଫିସରମାନେ ନିଜ କାର୍ଯ୍ୟ ସଠିକ ଭାବେ ନିର୍ବାହ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। କୁହାଯାଏ, ପୋଲିସ ଚାକିରିରେ ଛୁଟି ନଥାଏ । ସବୁବେଳେ ସବୁ ପରିସ୍ଥିତିରେ ପୋଲିସ ପ୍ରସ୍ତୁତ ରହିଥାଏ। ଓଡିଶା ପୋଲିସକୁ ଶକ୍ତିଶାଳୀ କରିବା ପାଇଁ ଆମ ସରକାର ଯୋଜନା କରୁଛନ୍ତି । ସେ କହିଛନ୍ତି, ସାଇବର ଅପରାଧକୁ ସମ୍ପୂର୍ଣ୍ଣ ଦମନ କରିବା ପାଇଁ କାର୍ଯ୍ୟ କରାଯାଉଛି । ନବ ନିଯୁକ୍ତ ସମସ୍ତ ସବ-ଇନସ୍ପେକ୍ଟରଙ୍କୁ ବାଇକ, ଲାପଟପ ଓ ସ୍ମାର୍ଟ ଫୋନ ଓ ପେନଡ୍ରାଇଭ ଦିଆଯାଉଛି । କାର୍ଯ୍ୟରେ ଯୋଗଦେଲା ପରେ ଶତସିଂହର ବଳ ନେଇ କାମ କରିବାକୁ ସେ ଟ୍ରେନି ଅଫିସରମାନଙ୍କୁ କହିଛନ୍ତି ।
ଅଧିକ ପଢ଼ନ୍ତୁ: ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ, ଦେଖାଉଛି ଲୁଟ୍ ଡେମୋ
ମୁଖ୍ୟମନ୍ତ୍ରୀ କହିଛନ୍ତି, ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୦୦ ଟ୍ରାଫିକ ଅଫିସର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖାଲି ପଡ଼ିଥିବା ୨୫୦୦ ଗୃହରକ୍ଷୀ ପଦବୀକୁ ପୂରଣ କରାଯିବା ସହ ପୁଣି ୨୫୦୦ ନୂଆ ପଦବୀ ସୃଷ୍ଟି କରାଯାଉଥିବା ସେ କହିଛନ୍ତି । ପୋଲିସ କାନ୍ଧରେ ବନ୍ଧୁକ ରଖି ସରକାରଙ୍କୁ ଆକ୍ରମଣ କରିଥାନ୍ତି କିଛି ରାଜନୈତିକ ଦଳ ଓ ବ୍ୟକ୍ତି । ପୋଲିସର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରନ୍ତି। ତେଣୁ ଆପଣମାନେ ସେଥିରେ ବିଚଳିତ ହେବେ ନାହିଁ ବୋଲି ଭରସା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସବୁ ଚାଲେଞ୍ଜକୁ ଦୃଢ଼ତାର ସହ ମୁକାବିଲା କରନ୍ତୁ ଓ ଅପରାଧୀମାନେ ହାଇଟେକ ଅପରାଧ କରୁଛନ୍ତି, ତାହା ହେଉଛି ଚାଲେଞ୍ଜ ବୋଲି ସେ କହିଛନ୍ତି । ଭୁବନେଶ୍ୱରରେ ତୃତୀୟ ଟ୍ରାଫିକ ଥାନା ଖୋଲିବ ବୋଲି ସେ କହିଛନ୍ତି ।
ଉତ୍ତୀର୍ଣ୍ଣ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଦୁଇବର୍ଷ ଧରି ଆଉଟଡୋର ଓ ଇନଡୋର ଟ୍ରେନିଂ ଦିଆଯାଇଛି । ବିଶେଷ କରି ପୋଲିସର ଭୂମିକା, ମାନବିକ ଅଧିକାର, ଅପରାଧ ମୁକାବିଲା କ୍ଷେତ୍ରରେ ଭୂମିକା, ପୋଲିସର ବ୍ୟବହାର, ଲିଡରସିପ, କମ୍ପୁଟର ଇନ୍ଫଫର୍ମମେସନ, BNS ଆଇନ, ତଦନ୍ତ ପ୍ରକ୍ରିୟା, ଫରେନସିକ ସାଇନ୍ସ ଭଳି ବିଭିନ୍ନ କ୍ଷେତ୍ରରେ ଟ୍ରେନିଂ ଦିଆଯାଇଛି । ବିଶେଷ କରି ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ କିଭଳି କାର୍ଯ୍ୟ କରାଯିବ, ସେନେଇ ମଧ୍ୟ ତାଲିମ ଦିଆଯାଇଛି । କୃତକାର୍ଯ୍ୟ ହୋଇଥିବା ୧୭୧ଜଣ SIଙ୍କ ମଧ୍ୟରେ ୪୦ ଜଣ ମହିଳା ଅଛନ୍ତି । ଏହି ସମାରୋହରେ ପୋଲିସ ମହାନିର୍ଦ୍ଦେଶକ ୱା.ବି ଖୁରାନିଆ ଓ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ପୋଲିସ କିଭଳି ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ, ସେ ସଂପର୍କରେ ଆଲୋକପାତ କରିଥିଲେ ।