ବିଚ୍ ରାସ୍ତାରେ ହାଇଡ୍ରାମା। ପାଟିତୁଣ୍ଡ ତା’ପରେ ଧସ୍ତାଧସ୍ତି। ୨ଘଣ୍ଟା ଧରି ଚାଲିଲା ତୁ ତୁ ମେଁ ମେଁ ଆଉ ଠେଲାପେଲା । ଖାକିକୁ ଖାତିର କଲେନି ଲୋକେ । ଦେଖାଇଲେ ନାଲି ଆଖି । ଛତିଶଗଡ଼ରୁ ବରଗଡ଼, ଅଭିଯୁକ୍ତଙ୍କୁ ଧରିବାକୁ ଆସି ଏଭଳି ହଟହଟା ହେଲା ପୋଲିସ । ଅଭିଯୁକ୍ତକୁ ଗିରଫ କରିନେବା ବେଳେ ଛତିଶଗଡ଼ ପୋଲିସକୁ ଅଟକାଇଲେ ପରିବାର ଲୋକେ ।
ପାଖରେ ୱାରେଣ୍ଟ ଥିଲେ ବି କିଛି ଶୁଣିଲେନି । ବରଗଡ଼ର ଜଣେ ଅଭିଯୁକ୍ତ ୧୭ଲକ୍ଷ ଟଙ୍କାର କୌଣସି ଏକ କାରବାରକୁ ନେଇ ତାଙ୍କ ନାଁରେ ୱାରେଣ୍ଟ ଥିଲା । ଏଥିପାଇଁ ତାଙ୍କୁ ଗିରଫ କରିବାକୁ ଛତିଶଗଡ଼ ରାୟପୁର ସିଭିଲ୍ ଲାଇନରୁ ଆସିଥିଲେ ୨ଜଣ ପୋଲିସ ଅଧିକାରୀ ।
Also Read
ସନ୍ଧ୍ୟାରେ ତାଙ୍କୁ ଗିରଫ କରିବାକୁ ବରଗଡ଼ ସ୍ଥିତ ତାଙ୍କ ଘରକୁ ଯାଇଥିଲେ । ଅଭିଯୁକ୍ତକୁ ଗିରଫ କରି ନେଉଥିବା ବେଳେ ତାଙ୍କ ପରିବାର ଲୋକେ ରାସ୍ତା ମଝିରେ ପୋଲିସକୁ ଅଟକାଇଥିଲେ । ତା’ ପରେ ବଢ଼ିଥିଲା ଭିଡ଼ ଆଉ ରାସ୍ତା ମଝିରେ ଆରମ୍ଭ ହୋଇଯାଇଥିଲା ହାଇଡ୍ରାମା । ହାତାହାତି ଯାଏ ବି କଥା ଯାଇଥିଲା ।
ପୋଲିସ ତାଙ୍କୁ ଠେଲାପେଲା କରିଥିଲା ବୋଲି ଝାୱାରଙ୍କ ମାଆ ଅଭିଯୋଗ କରିଛନ୍ତି । ଛତିଶଗଡ଼ ପୋଲିସ କହିଛି ୱାରେଣ୍ଟ ଥିବାରୁ ଆମେ ଗିରଫ କରିବାକୁ ଆସିଥିଲୁ । ହେଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ଆମକୁ ଠେଲାପେଲା କରିଥିଲେ ।
ଏହି ଅପ୍ରୀତିକର ଘଟଣା ପରେ ଟାଉନ ଥାନାରେ ପହଞ୍ଚିଥିଲା ଛତିଶଗଡ଼ ପୋଲିସ । ତେବେ ଅଭିଯୁକ୍ତକୁ ଗିରଫ କରିନପାରି ଫେରିଯାଇଛି ପୋଲିସ୍ । ଜଣେ ୱାରେଣ୍ଟ ଅଭିଯୁକ୍ତକୁ ଗିରଫ କରିବାକୁ ଆସିଥିବା ପୋଲିସକୁ ତଦନ୍ତରେ ସହଯୋଗ କରିବା ବଦଳରେ ପରିବାର ଲୋକେ ଏଭଳି ହମ୍ଲା କରି ଆଇନକୁ ହାତକୁ ନେବା କେତେ ଦୂର ଠିକ୍? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।