Advertisment

Security Agency Owner Murder: ବ୍ୟାଗରୁ ମିଳିଲା ବ୍ୟବସାୟୀଙ୍କ ଖଣ୍ଡବିଖଣ୍ଡିତ ମୃତ ଶରୀର, ସଂପତ୍ତି ଲୋଭରେ ମାରିଦେଇଥିଲା କର୍ମଚାରୀ

ଗୁଜରାଟର ସୁରଟରେ ସିକ୍ୟୁରିଟି ଏଜେନ୍ସି ଖୋଲିଥିବା ଜଣେ ବ୍ୟବସାୟୀଙ୍କ ହତ୍ୟା କରି ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଦୁଇଟି ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ । ମାଲିକଙ୍କୁ ମାରି ମାଲିକଙ୍କ ୧ କୋଟି ଟଙ୍କା ହାତେଇବା ଆଶାରେ ଜୀବନରୁ ମାରିଦେଲା କର୍ମଚାରୀ । ସନ୍ଦେହ ନ ଉପୁଜିବା ପାଇଁ ମିଛିମିଛିକା ଖୋଜିବାରେ ଲାଗିଲା ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Murder

Murder

ବିଶ୍ୱାସରେ ବିଷ । ଯେଉଁ ମାଲିକ ବିଶ୍ୱାସ କରି କମ୍ପାନୀର ସବୁ ଦାୟିତ୍ୱ ଦେଇଥିଲେ, ସେହି ମାଲିକଙ୍କ ବିଶ୍ୱାସରେ ବିଷ ଦେଲା ଚାକିରି କରୁଥିବା ଜଣେ କର୍ମଚାରୀ । ଲୋଭ ଏତେ ବଢିଗଲା ଯେ, କୋଟିଏ ଟଙ୍କା ପାଇଁ ମାଲିକଙ୍କୁ ଜୀବନରୁ ମାରି ଦେବାକୁ ପଛାଇଲା ନାହିଁ । କେବଳ ଏତିକି ନୁହେଁ, ଆହୁରି ବଢି ଯାଇଥିଲା ବର୍ବରତା । ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ବ୍ୟାଗରେ ଭର୍ତ୍ତି କରି ଫୋଫାଡି ଦେଲା ଅଭିଯୁକ୍ତ । ସୁରଟର ଲିମ୍ବାୟତ ଅଂଚଳରୁ ଜଣେ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ବ୍ୟାଗରୁ ମିଳିବା ପରେ ଏଭଳି ଖୁଲାସା ହୋଇଛି । ଜଣେ ପ୍ରାଇଭେଟ ସିକ୍ୟୁରିଟି ଏଜେନ୍ସି ଓନରଙ୍କ ପାଖରେ ୧୮  ମାସ ଧରି କାମ କରିବା ପରେ ବିଶ୍ୱାସ ଭାଜନ ହୋଇ ଶେଷରେ ତାଙ୍କୁ ହତ୍ୟା କରିଥିବାର ଜଣା ପଡିଛି । ଖଣ୍ଡ ବିଖଣ୍ଡିତ ଶରୀର ଭର୍ତ୍ତି ବ୍ୟାଗ ମିଳିବା ପରେ ପୋଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତ ପାଖରେ ପହଞ୍ଚିଛି ପୋଲିସ । ମୃତକ ହେଉଛନ୍ତି ସିକ୍ୟୁରିଟି ଏଜେନ୍ସି ଓନର ଚନ୍ଦ୍ରଭାନ ଦୁବେ ଏବଂ ଅଭିଯୁକ୍ତ ହେଉଛି ବିହାରର ରଶିଦ୍ ଅନସାରୀ ।

Advertisment

ମିଳିଥିବା ସୂଚନା ମୁତାବକ, ଚନ୍ଦ୍ରଭାନ ଦୁବେ ସଲବଟପୁରାରେ ଦୁବେ ସିକ୍ୟୁରିଟି ସର୍ଭିସ ନାମରେ ଏକ ସିକ୍ୟୁରିଟି ଏଜେନ୍ସି ଚଳାନ୍ତି । ସେଠାରେ ସେ ପ୍ରାୟ ୨୦୦ ଲୋକଙ୍କୁ ଚାକିରି ଦେଇଛନ୍ତି । ଗତ ୧୮ ମାସ ପୂର୍ବରୁ ତାଙ୍କ ଏଜେନ୍ସିରେ ଯୋଗ ଦେଇଥିଲା ରଶିଦ୍ ଅନସାରୀ । ଅନସାରୀ ଭଲ କାର୍ଯ୍ୟ କରୁଥିବାରୁ ସେ ଦୁବେଙ୍କ ବିଶ୍ୱାସଭାଜନ ହୋଇ ପାରିଥିଲା । ଧିରେ ଧିରେ ଦୁବେଙ୍କ ଭରସାଯୋଗ୍ୟ ହୋଇ ଅଟୋ ଚଳାଇବା ସହ ଅନସାରୀ ଦୁବେଙ୍କ ପେମେଂଟ ଓ କଲେକ୍ସନ କାର୍ଯ୍ୟରେ ନିୟୋଜିତ ହୋଇଥିଲା । 

ଅଧିକ ପଢ଼ନ୍ତୁ: ବିବାଦରେ ଟ୍ରାଭେଲ୍ ବ୍ଲଗର ଲବ ହାଁସଦା, ବେଙ୍ଗାଲୁରୁରେ ରୁଜୁ ହେଲା ଅପରାଧିକ ମାମଲା

Advertisment

ତେବେ ଗତ ୧୨ ତାରିଖରୁ ହିଁ ନିଖୋଜ ହୋଇ ଯାଇଥିଲେ ଦୁବେ । ପରେ ମିଳିଥିଲା ତାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର । ୧୨ ତାରିଖ ଅର୍ଥାତ୍ ସୋମବାର ସନ୍ଧ୍ୟା ୬ଟାରେ ଅନସାରୀ ଅଟୋରେ ବସି ଅଫିସ ପାଇଁ ବାହାରି ଯାଇଥିଲେ ଦୁବେ । ହେଲେ ପ୍ରଥମେ ପାଣ୍ଡେସରା ସିଇଟିପି ପ୍ଲାଂଟକୁ ଯାଇ ସିକ୍ୟୁରିଟି ଗାର୍ଡ୍ସମାନଙ୍କୁ ପେମେଂଟ କରିଥିଲେ । ଏହା ପରେ ଅଭୱା ସ୍ଥିତ ଏକ ସ୍କୁଲକୁ ଯାଇ ସେଠାରେ ମଧ୍ୟ କିଛି ଗାର୍ଡ୍ସଙ୍କୁ ପେମେଂଟ କରିଥିଲେ । କିନ୍ତୁ ତା’ପରେ ସେ ଆଉ ଘରକୁ ଫୋନ କରିନଥିଲେ । ସମୟ ଭିତରେ ଘରେ ନ ପହଞ୍ଚିବାରୁ ଦୁବେଙ୍କ ପରିବାର ଲୋକେ ଅନସାରୀକୁ ଫୋନ କରିଥିଲେ । ହେଲେ, ଅନସାରୀ କହିଥିଲା ଯେ, ସେ ଦୁବେଙ୍କୁ ସିବି ପଟେଲ ଷ୍ଟାଡିୟମ ନିକଟରେ ଛାଡିଥିଲେ । ଆଉ ତାପରେ ସେ ଏକ ଧଳା କାର ଯୋଗେ କେଉଁଆଡେ ଯାଇଥିଲେ । ଏହା ପରେ ଦୁବେଙ୍କ ପରିବାର ଲୋକେ ମେ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ତାଙ୍କୁ ଖୋଜିବାକୁ ଲାଗିଥିଲେ । ଦୁବେଙ୍କୁ ନ ପାଇବା ପରେ ଅଲଥାନ ପୋଲିସ୍ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । 

ଅଭିଯୋଗ ଆଧାରରେ ଦୁବେଙ୍କୁ ଖୋଜାଖୋଜି ଆରମ୍ଭ ହେଲା । ସନ୍ଦେହ ନ ଉପୁଜିବା ପାଇଁ ପୋଲିସ ଓ ଦୁବେଙ୍କ ପରିବାର ଲୋକଙ୍କ ସହ ମିଶି ମିଛିମିଛିକା ଖୋଜିଥିଲା ଅନସାରୀ । କିନ୍ତୁ ପୋଲିସ୍ ହାତରେ ଯେତେବେଳେ ସିସିଟିଭି ଫୁଟେଜ ଲାଗିଲା, ସେତେବେଳେ ସେ ଧରା ପଡିବା ଭୟରେ ଫେରାର ହୋଇଯାଇଥିଲା । ଅନସାରୀ ଓ ତାକୁ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ୍ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । 

ଡିସିପି ବିଜୟ ସିଂହ ଗୁର୍ଜାରଙ୍କ ସୂଚନା ମୁତାବକ, ପୋଲିସ୍ ୫୦୦ଟି ସିସିଟିଭି ଫୁଟେଜ ଚେକ୍ କରିଥିଲା । ଗୋଟିଏ ଫୁଟେଜରେ ଜଣା ପଡିଥିଲା ଯେ, ଦୁବେ କୌଣସି କାରରେ ଯାଇ ନାହାନ୍ତି କିମ୍ବା କୌଣସି ଅଟୋରେ ମଧ୍ୟ ବସି ନାହାନ୍ତି । ବରଂ ଅନସାରୀ ଉନ ଅଂଚଳର ଭିଣ୍ଡି ବଜାରରେ ଥିବା ତା ଘରକୁ ଦୁବେଙ୍କୁ ନେଇଥିଲା । କିନ୍ତୁ ତାପରେ ଦୁବେ ଆଉ ଅନସାରୀ ଘରୁ ବାହାରିବା ସିସିଟିଭି ଫୁଟେଜରେ ଦେଖା ଯାଉନଥିଲା । ମଙ୍ଗଳବାର ଅନସାରୀ ଦୁଇଟି ଓଜନିଆ ଭର୍ତ୍ତି ବ୍ୟାଗ ଧରି ତା ଘରୁ ବାହାରକୁ ଯାଇଥିଲା । ଏହା ପରେ ଆମ ସନ୍ଦେହ ଘନୀଭୂତ ହୋଇଥିଲା ଏବଂ ଅନସାରୀ ଉପରେ ଆମେ ନଜର ରଖିଥିଲୁ । ଅନସାରୀର କାର୍ଯ୍ୟକଳାପକୁ ଟ୍ରାକ କରିବା ପାଇଁ ଆମେ ଏକ ଟିମ୍ ଗଠନ କରିଥିଲୁ ଏବଂ ମୃତଦେହ ଥିବା ଦୁଇଟି ବ୍ୟାଗ ପାଇଥିଲୁ । ସେହି ବ୍ୟାଗରେ ଥିବା ଖଣ୍ଡ ବିଖଣ୍ଡିତ ଶରୀର ଦୁବେଙ୍କର ବୋଲି ଚିହ୍ନଟ କରିଥିଲେ ତାଙ୍କ ପରିବାର ଲୋକେ । ପୋଲିସ୍ ନିଶ୍ଚିତ ହୋଇଥିଲା ଯେ, ଦୁବେଙ୍କୁ ଅନସାରୀ ହିଁ ହତ୍ୟା କରିଛି । ଅନସାରୀ ସହ ତାକୁ ସହଯୋଗ କରିଥିବା ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି । ତଦନ୍ତରୁ ଜଣା ପଡିଥିଲା ଯେ, ଅନସାରୀ ୧ କୋଟି ଟଙ୍କା ପାଇବା ପାଇଁ ଦୁବେଙ୍କୁ ହତ୍ୟା କରିଥିଲା । 

ଅଧିକ ପଢ଼ନ୍ତୁ: ବିଜେଡି ନେତା ରାଜା ଚକ୍ରର ଫାର୍ମ ହାଉସ ବାଜ୍ୟାପ୍ତି ହେବ, ୩ ଏକର ଲିଜରେ ନେଇ ୭ ଏକର ମାଡ଼ି ବସିଥିଲା

Murder
Advertisment
Advertisment